୫-ଟି ସଚିବଙ୍କୁ ନେଇ କେନ୍ଦ୍ରର ଚିଠି ପରେ ବିଜେଡିର ଜବାବ: ପ୍ରସନ୍ନ କହିଲେ, କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି ମୁଖ୍ୟମନ୍ତ୍ରୀ, ବରଂ ଲୋକଙ୍କ ପାଖରେ ସରକାରଙ୍କୁ ପହଞ୍ଚାଇଛନ୍ତି
ଭୁବନେଶ୍ବର: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ନେଇ କେନ୍ଦ୍ରର ଚିଠି ପରେ ଜବାବ ରଖିଛି ବିଜେଡି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି, ବରଂ ବିଜେଡି ସଭାପତି ହିସାବରେ କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିସାବରେ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜ ସରକାରୀ ଘରକୁ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି। ସିଏମଓ ଯେଉଁଭଳି ଲୋକଙ୍କ ନିକଟତର ହେଉଛି ଭାରତରେ ଅନ୍ୟତ୍ର କେଉଁଠି ହେଉନି। ସିଏମଓକୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚିବେ ଏଥିରେ ଅସ୍ୱାଭାବିକତା କୋଉଠି ରହିଲା ?
ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର୍ ଡେଲିଗେଟ ହେଉଛି। ମୁଖ୍ୟମନ୍ତ୍ରୀ ଆମ ଦଳର ମୁଖ୍ୟ। ମୁଖ୍ୟ ହିସାବରେ ସେ ଦଳର କର୍ମୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ହିସାବରେ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି, ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ। ସେ କାହାକୁ କ୍ଷମତା ହସ୍ତାନ୍ତର କରୁନାହାନ୍ତି, ଯାହା ନିକଟରେ ଇସ୍ୟୁ ନଥାଏ ସେମାନେ ଏମିତି କୁହନ୍ତି, ବିଭାଗୀୟ ଚିଠି ଆସିବା ନୂଆ କଥା ନୁହେଁ। ଏଭଳି ଚିରାଚରିତ ଚିଠି ଆମେ ଆଗରୁ ଦେଖିଛୁ, ସରକାର ଲୋକଙ୍କ ନିକଟରେ ପହଞ୍ଚୁଛି। ସେଥିରେ ଲୋକ ଖୁସି, ଆଗାମୀ ନିର୍ବାଚନରେ ବିକାଶ ପ୍ରଭାବ ପଡ଼ିବ।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ରୂପେଶ କୁମାର ଏହି ଚିଠି ଲେଖିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲଙ୍କ ଦ୍ବାରା ଗତ ୨୪ ତାରିଖ ଦିନ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ସଚିବ ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ଲେଖିଛନ୍ତି। ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ ଉଲ୍ଲେଖ ରହିଛି। ସଚିବ ଆଇଏଏସ କଣ୍ଡକ୍ଟ ରୁଲ ଉଲଂଘନ କରୁଥିବା ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ ମୁଖ୍ୟ ଶାସନ ସଚିବ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।