ଭୁବନେଶ୍ବର: ଓଡ଼ିଶା କ୍ୟାଡର ୧୯୬୭ ବ୍ୟାଚ୍ର ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଡ. ମୃଣାଳକାନ୍ତି ପୁର୍କେତଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପଶ୍ଚିମବଙ୍ଗର ମୂଳ ନିବାସୀ ଶ୍ରୀ ପୁର୍କେତଙ୍କର ଭୁବନେଶ୍ବର ସହିଦ ନଗରସ୍ଥିତ ବାସଭବନରେ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି। ସେ ଓଡ଼ିଶା ଖଣି ନିଗମ (ଓଏମ୍ସି)ରୁ ଅଧ୍ୟକ୍ଷ ପଦରେ ଥାଇ ଅବସର ନେଇଥିଲେ।
ସେ ପଶ୍ଚିମ ବଙ୍ଗଳା ମୂଳ ବାସିନ୍ଦା, କିନ୍ତୁ ଅବସର ପରେ ସହିଦ ନଗର ନିଜ ବାସଭବନର ସ୍ଥାୟୀ ବାସିନ୍ଦା ଥିଲେ। ପ୍ରଶାସନିକ ମହଲରେ ସେ ଜଣେ ଅତ୍ଯନ୍ତ ଶ୍ରୁଂଖଳିତ ଏବଂ ସ୍ପଷ୍ଟ ଭାଷି ଅଧିକାରି ଥିଲେ। ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରି, ଶେଷରେ ଓଡ଼ିଶା ଖଣି ନିଗମର ଚେୟାରମ୍ୟାନ ଭାବେ ଅବସର ଗ୍ରହଣ କରିଥିଲେ। ସେ ସମ୍ବଲପୁରରୁ ନିଜର ପ୍ରଶାସନିକ ସେବା ଆରମ୍ଭ କରିଥିଲେ।
ସେ MDConSHE ବୋର୍ଡ଼ର ପ୍ରାଥମିକ ସଭାପତି ରହିଥିଲେ। ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ସ୍ବର୍ଗତ ଡ. ମୃଣାଳ କାନ୍ତି ପୁର୍କେତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଏଥି ମଧ୍ୟରୁ ଭୁବନେଶ୍ବରରେ ଇଏଏସ୍ଆଇ ହସ୍ପିଟାଲ ଥିଲା ଅନ୍ୟତମ।
ଅନ୍ତିମ ଶଯ୍ୟା ନିକଟରେ ନିଜ ସ୍ତ୍ରୀ, ଝିଅ, ପୁଅ, ପୁତ୍ର ବଧୁ ଏବଂ ପୁତ୍ର ନାତି ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଥିଲା। ତାଙ୍କର ପୁଅ ତଥା ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରୀତମ ପୁରୁକାୟସ୍ଥ ମୁଖାଗ୍ନି ଦେଇଛନ୍ତି।