ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: କଟକ ଓ ଭଦ୍ରକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

କଟକ/ଭଦ୍ରକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆସନ୍ତା ୨୬ରେ କଟକ ଆସିବେ। ସେ ଓଡ଼ିଶା ଉଚ୍ଚ ନ୍ୟାୟଳୟ, ଏସସିବି ମେଡିକାଲ ଓ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତି କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏହି ତିନୋଟି ଅନୁଷ୍ଠାନକୁ ସରକାରୀ ସ୍ତରରେ ସୂଚିତ କରାଯାଇସାରିଛି। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ପୂର୍ବରୁ ଥରେ ଆସି ସାରିଛନ୍ତି ଏହା ତାଙ୍କ ଦ୍ବିତୀୟ ଥର ପାଇଁ ଗସ୍ତ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ପୁଲିସ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଉପରେ ନଜର ରଖିଛି।

ଏଣେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଭାରତର ମହାମହିମ ରା‌ଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆସନ୍ତା ଜୁଲାଇ ୨୭ ତାରିଖରେ ଭଦ୍ରକ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରାଯିବ। ଏଥିପାଇଁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଇଁ କଲେଜର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯିବା ନେଇ ଆଲୋଚନା ହୋଇଛି। ଦୁଇ ଦିନ ଧରି କଲେଜ ପରିସରରେ ଉତ୍ସବ ପାଳନ କରାଯିବ। ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଏ ସଂପର୍କରେ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଆସି ସାରିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ ଆଜି ଭଦ୍ରକ କେଲଜ ପରିସରରେ କଲେଜର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ସେହିପରି ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଦ୍ରକ କଲେଜର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଇ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ବଳିରାମ ବନ୍ଦୋର ଯୋଗଦେଇ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ କିଭଳି ସୂଚାରୁ ରୂପେ ପରିଚଳାନା କରାଯିବ। ସେ ନେଇ ଆଲୋଚନା କରିବା ସହ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି କଲେଜ ପରିସରର ପରିବେଶ ଉପରେ ଗୁରୁତ୍ବ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ କିଭଳି ସରସ ସୁନ୍ଦର କରାଯାଇ ପାରିବ। ସେ ନେଇ ଜିଲ୍ଲାପାଳ କଳେଜ କତ୍ତୃପକ୍ଷ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଭଦ୍ରକ କଲେଜର ପ୍ଲାଟିମ୍ ଜୁବୁଲି ଉତ୍ସବ ଦୁଇ ଦିନ ଧରି ଚାଲିବ। ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଯୋଗଦେବା ସହ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଜୁଲାଇ ୨୮ ତାରିଖ ଅର୍ଥାତ ଉଦଯାପନୀ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗ୍ରସ୍ତ ପାଇଁ କଟକ ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏନେଇ କଟକ ଓ  ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ମେ’ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡ଼ିଶା ଆସିଥିଲେ। ୪ ତାରିଖରେ ଶ୍ରୀମତୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ୫ ତାରିଖରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ୬ ତାରିଖରେ ଶ୍ରୀମତୀ ମୁର୍ମୁ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଥିଲେ।

Leave A Reply

Your email address will not be published.