ନିର୍ବାଚନ ଅବ୍ୟାହତି ପୂର୍ବରୁ ରାଜନୈତିକ ହିଂସା: ବିଜେପି କର୍ମୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ

ଖୁଣ୍ଟା: ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ରାଜନୈତିକ ଓ କେତେକ ନିର୍ମାଣ କାର୍ଯ୍ୟର ପୂର୍ବ ଶତୃତାକୁ କେନ୍ଦ୍ର ଦେଖାଦେଇଛି ରାଜନୈତିକ ହିଂସା । ଯାହାକୁ ନେଇ ଜଣେ ବିଜେପି ଦଳର ସମର୍ଥକଙ୍କୁ ଶାସକ ଦଳର କର୍ମୀ ମାନେ ଜନଗହଳି ପୂର୍ଣ୍ଣ ଛକ ଠାରେ ଭୂଜାଲି ଓ ମାରଣାସ୍ତ୍ର ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ଡୁକୁରା ଠାରେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯାହାକୁ ନେଇ ସଂପୃକ୍ତ ଅଞ୍ଚଳରେ ରାଜନୈତିନ ଉତ୍ତେଜନା ଦେଖା ଦେଇଛି । ଘଟଣାରୁ ପ୍ରକାଶ ଯେ,ବଡ଼ସାହି ଥାନା ଅଧିନ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରା ଓ ତାଙ୍କର ସାଙ୍ଗ ସନିଆ ସିଂ ରବିବାର ସଂଧ୍ଯା ସମୟରେ ବାରିପଦାରୁ ଏକ ବସ ଯୋଗେ ଫେରିବା ସହ ଡୁକୁରା ଛକଠାରେ ଓହ୍ଲାଇ ଥିଲେ । ଏବଂ ଘରକୁ ଯିବା ପାଇଁ ସେ ଛକରେ ଥିବା ଏକ ଅଟୋ ନିକଟକୁ ଯାଉଥିବା ସମୟରେ ଯୋଜନାବଦ୍ଧ ଭାବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବଡସାହି ଥାନା ଅଧିନ ଖାନୁଆଁ ଗ୍ରାମର ହେମେନ୍ଦ୍ର ଗିରି ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ସେହି ଗ୍ରାମର କୁନା ସିଂ ଏବଂ ସଂଗ୍ରାମ ସିଂ ମିଳିତ ଭାବେ ଦୋଳଗୋବିନ୍ଦଙ୍କ ଉପରକୁ ଭୂଜାଲି ଓ ଅନ୍ୟ ମାରଣାସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ତେବେ ଦୋଳଗୋବିନ୍ଦ ଘଟଣାସ୍ଥଳରୁ ଦୈଡି ପଲାଇବାକୁ ଉଦ୍ୟମ କରୁଥିବା ସମୟରେ ହେମେନ୍ଦ୍ର ତାଙ୍କୁ ପଛପଟୁ ଜାବୁଡ଼ି ଧରିବା ସହ ହାତରେ ଧରିଥିବା ଭୂଜାଲି ସାହାର୍ଯ୍ୟରେ ବାମ ପାଖ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଦୋଳଗୋବିନ୍ଦଙ୍କ ମୁଣ୍ଡରୁ ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ି ଯାଇଥିଲେ । ପରବର୍ତ୍ତୀ ସମୟରେ ଆକ୍ରମଣକାରୀ ମାନେ ତାଙ୍କ ମୁହଁ, ନାକ ଏବଂ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ବାରମ୍ବାର ଆକ୍ରମଣ କରିଥିଲେ । ସେ ଚିତ୍କାର କରିବାରୁ ଛକରେ ଥିବା ବ୍ୟବସାୟୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଆସୁଥିବା ଦେଖି ଆକ୍ରମଣକାରୀମାନେ ଦୋଳଗୋବିନ୍ଦଙ୍କୁ ଜୀବନରୁ ମାରିଦେବା ଏବଂ ଗାଁ ଛାଡ଼ି ଚାଲିଯିବା ଇତ୍ୟାଦି ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରବର୍ତ୍ତୀ ସମୟରେ ଦୋଳଗୋବିନ୍ଦଙ୍କୁ ଉଦ୍ଧାର କରାଯିବା ସହ ଡୁକୁରା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଉକ୍ତ ରାତ୍ରୀରେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଦୋଳଗୋବିନ୍ଦଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋମବାର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷେ ଦୋଳଗୋବିନ୍ଦ ଏବେ ଚିକିତ୍ସାଧିନ ଥିବାରୁ ଡାକ ଯୋଗେ ତାଙ୍କର ଅଭିଯୋଗ ପତ୍ର ଖୁଣ୍ଟା ଥାନାକୁ ପଠାଇଥିବା ଜଣାଯାଇଛି । ସୁଚନା ପାଇ ବାରିପଦା ବିଧାୟକ ପ୍ରକାଶ ସରେନ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ଦୋଳଗୋବିନ୍ଦଙ୍କୁ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏବଂ ଏହା ଏକ ନିନ୍ଦନୀୟ ଘଟଣା, ମୟୁରଭଞ୍ଜ ଏକ ଶାନ୍ତି ପ୍ରିୟ ଜିଲ୍ଲା ମାତ୍ର ଏହି ଜିଲ୍ଲାରେ ଏଭଳି ଘଟଣା ଅଶୋଭନୀୟ । ରାଜନୈତିକ ଦଳକୁ ସମର୍ଥନ ଜଣାଇବା ବ୍ୟକ୍ତିର ନିଜସ୍ୱ ଚିନ୍ତାଧାରା ଏଣୁ ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବାରିପଦା ବିଧାୟକ ପ୍ରକାଶ ସରେନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଅନୁରୁପ ଭାବେ ତାଙ୍କ ଉପରକୁ ଗତ ୮ ତାରିଖ ଦିନ ସଂପୃକ୍ତ ବ୍ୟକ୍ତିମାନେ ଆକ୍ରମଣ କରିଥିଲେ । ଯାହାକୁ ନେଇ ଗତ ୯ ତାରିଖରେ ଦୋଳଗୋବିନ୍ଦ ଏ ସଂମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ ମଧ୍ୟ କରିଥିବା ଜଣାଯାଇଛି । ତେବେ ଖାନୁଆଁ ଗ୍ରାମଟି ବଡସାହି ଥାନା ଅଧିନରେ ହୋଇଥିବା ବେଳେ ସଂପୃକ୍ତ ଗ୍ରାମବାସୀ ଖୁଣ୍ଟା ଥାନା ଅଧିନ ଡୁକୁରା ବଜାର ଉପରେ ନିର୍ଭର କରି ଆସନ୍ତି ଏବଂ ଆକ୍ରମଣ ଘଟଣାଟି ଖୁଣ୍ଟା ଥାନା ଅଞ୍ଚଳରେ ଘଟିଥିବାରୁ ଖୁଣ୍ଟା ପୋଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Leave A Reply

Your email address will not be published.