ଓଡ଼ିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର: ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆଜି ଓଡ଼ିଶା ସମେତ କେରଳ,ତେଲେଙ୍ଗାନା ଓ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି ।

ଭୁବନେଶ୍ୱର: ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି । ଆସନ୍ତାମାସ ୭ତାରିଖରେ ବର୍ତ୍ତମାନର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ ।

ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆଜି ଓଡ଼ିଶା ସମେତ କେରଳ,ତେଲେଙ୍ଗାନା ଓ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ପୂର୍ବରୁ ଜୁଲାଇ ୫ତାରିଖରେ ଜଷ୍ଟିସ ତାଳପତ୍ରଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ନିମନ୍ତେ ସୁପାରିଶ କରିଥିଲେ । ଜଷ୍ଟିସ ତାଳପତ୍ର ୨୦୧୧ ନଭେମ୍ବର ୧୫ତାରିଖରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୨୦୧୩ରେ ତ୍ରିପୁରାରେ ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପନ ହେବା ପରେ ସେ ନିଜ ଗୃହ ରାଜ୍ୟ ତ୍ରିପୁରା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଜଷ୍ଟିସ ତାଳପତ୍ରଙ୍କ ବଦଳି ପରେ ସେ ୨୦୨୨ ଜୁନ୍ ୧୦ତାରିଖରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । 

୧. ଓଡ଼ିଶା: ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୦୧୧ ନଭେମ୍ବର ୧୫ରେ ପ୍ରଥମେ ଗୌହାଟି ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ପରେ ୨୦୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ସେ ତ୍ରିପୁରା ହାଇକୋର୍ଟକୁ ବଦଳି ହୋଇଥିଲେ। ସେଠାରୁ ବଦଳି ହୋଇ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି। ବର୍ତ୍ତମାନର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅବସର ପରେ ଆସନ୍ତା ଅଗଷ୍ଟ ୭ ତାରିଖରେ ସେ ତାଙ୍କ ସ୍ଥାନରେ ଅବସ୍ଥାପିତ ହେବେ।

୨. ତେଲେଙ୍ଗାନା: ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ୨୯ ଡିସେମ୍ବର ୨୦୦୯ରେ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ପରେ ତାଙ୍କୁ ୨୦୧୮ରେ କର୍ଣ୍ଣାଟକ ହାଇକୋର୍ଟକୁ ବଦଳି କରାଯାଇଥିଲା। ଉକ୍ତ ଦୁଇଟି ହାଇକୋର୍ଟରେ ବିଚାରପତି ଭାବେ ତାଙ୍କର ୧୩ ବର୍ଷର ଅଭିଜ୍ଞତା ରହିଛି।

୩ ଗୁଜରାଟ: ଜଷ୍ଟିସ୍ ସୁନୀତା ଅଗ୍ରୱାଲଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଅୱଧ ବିଶ୍ବବିଦ୍ୟାଳୟରୁ ଆଇନ ପାସ କରିବା ପରେ ୧୯୯୦ ଡିସେମ୍ବର ୧୬ରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୧୧ ନଭେମ୍ବର ୨୧ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୩ ଅଗଷ୍ଟ ୬ରେ ସେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ।

୪. କେରଳ: ଜଷ୍ଟିସ୍ ଆଶିଷ ଜିତେନ୍ଦ୍ର ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ତାଙ୍କ ବାପା ସ୍ବର୍ଗତ ଜିତେନ୍ଦ୍ର ପି ଦେଶାଇ ଗୁଜରାଟ ହାଇକୋର୍ଟର ବିଚାରପତି ଥିଲେ। ୨୭-୧୧-୧୯୮୫ରୁ ଗୁଜରାଟ ବାର କାଉନସିଲରେ ନାମ ପଞ୍ଜୀକରଣ କରିଥିବା ଦେଶାଇ ୧୯୯୫ରେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ହୋଇଥିଲେ। ତାଙ୍କୁ ୨୧ ନଭେମ୍ବର ୨୦୧୧ରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ଏବଂ ୦୬-୦୯-୨୦୧୩ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ।

Leave A Reply

Your email address will not be published.