କଟକ: ୧୯୪୮, ଜୁଲାଇ ୨୬ ତାରିଖ। ରାଜ୍ୟର ନ୍ୟାୟିକ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖି ହୋଇଯାଇଥିଲା ଏକ ଦିନ। ଏହି ଦିନ ଓଡ଼ିଶାରେ ସ୍ଥାପନ ହୋଇଥିଲା ଏକ ସ୍ବତନ୍ତ୍ର ହାଇକୋର୍ଟ। କିନ୍ତୁ ହାଇକୋର୍ଟ ପ୍ରତିଷ୍ଠାର ଭିତ୍ତିଭୂମି ପଡିଥିଲା ଏହାର ପ୍ରାୟ ୩୨ ବର୍ଷ ପୂର୍ବରୁ। ୧୯୧୬, ମେ ୧୮ରେ ଓଡ଼ିଶା ପାଇଁ ପାଟନା ହାଇକୋର୍ଟର ସର୍କିଟ କୋର୍ଟ କଟକ ଠାରେ ଅନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଯାହାକି ଥିଲା ଦେଶର ପ୍ରଥମ ସର୍କିଟ କୋର୍ଟ। ଏହି ସର୍କିଟ କୋର୍ଟରେ ତତ୍କାଳୀନ ପାଟନା ହାଇକେର୍ଟର ମୁଖ୍ୟ ବିଚାରପତି ଚେମିୟର ଓ ଜଷ୍ଟିସ ସରାଫୁଦ୍ଧିନ ବିଚାରପତି ଭାବେ ଯୋଗ ଦେଇଥିଲେ। ଏହି ସର୍କିଟ କୋର୍ଟର ସଫଳତା ପରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ହାଇକୋର୍ଟର ପ୍ରତିଷ୍ଠା ନେଇ ସବୁ ଆଡେ ସ୍ବର ଶୁଭିଥିଲା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ବ୍ରିଟିଶ ସରକାରଙ୍କ ଦ୍ବାରା ଗଠିତ ବିଭିନ୍ନ କମିଟି ବିଶେଷ କରି ସାର ଜନ ଅଷ୍ଟିନ ହବାକଙ୍କ ସବ୍ କମିଟି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ସ୍ବତନ୍ତ୍ର ହାଇକୋର୍ଟ ସ୍ଥାପନ ପାଇଁ ସୁପାରିସ କରିଥିଲା।
୧୯୪୨, ଅଗଷ୍ଟ ୧୪ରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାରେ ଏକ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠାର ଆବଶ୍ୟକତାକୁ ଅନୁଧ୍ୟାନ କରିବା ପାଇଁ ପ୍ରଖ୍ୟାତ ଆଇନଜୀବୀ, ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିବା ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ଆଇନଜୀବୀ ଚିନ୍ତାମଣି ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାସ, ଡକ୍ଟର ନରସିଂହ ରାଓ ସଦସ୍ୟ ଥିବା ବେଳେ ଏହି କମିଟିର ସଦସ୍ୟ ସଚିବ ଥିଲେ ଜେ.ଇ.ମେହେର। ୧୯୪୩, ଡିସେମ୍ବର ୨୩ରେ କମିଟି ଓଡ଼ିଶା ପାଇଁ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ କରି ରିପୋର୍ଟ ପ୍ରଦାନ କରିଥିଲା। କିନ୍ତୁ ଏହି ରିପୋର୍ଟ ବହୁ ବିଳମ୍ବରେ ଅର୍ଥାତ ୧୯୪୮, ମାର୍ଚ୍ଚ ୩ରେ ରାଜ୍ୟପାଳଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ସରକାର ଏହି ରିପୋର୍ଟ ପାଇବା ପରେ ସ୍ବାଧୀନ ଭାରତର ପ୍ରଥମ ବଡଲାଟ ଲର୍ଡ ମାଉଣ୍ଟବେଟନ ୧୯୪୮, ଏପ୍ରିଲ ୩୦ ତାରିଖ ଦିନ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାର ଆଦେଶନାମା ଜାରି କରିଥିଲେ।
ଏବଂ ୧୯୪୮, ଜୁଲାଇ ୨୬ ତାରିଖ ସକାଳ ୯ଟାରେ କଟକ ଠାରେ ଓଡ଼ିଶା ହାଇକୋର୍ଟକୁ ସେହି ସମୟର ଫେଡେରାଲ କୋର୍ଟ ଅଫ୍ ଇଣ୍ଡିଆ (ଯାହାକି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଭାବେ ନାମକରଣ ହୋଇଥିଲା)ର ମୁଖ୍ୟ ବିଚାରପତି ସାର ହୀରାଲାଲ ଜେକିସନ ଦାସ କାନିଆ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ବାରିଷ୍ଟର ମିଷ୍ଟର ଆସିଫ ଅଲ୍ଲୀ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ, ପଶ୍ଚିମବଙ୍ଗର ତତ୍କାଳୀନ ରାଜ୍ୟପାଳ ଡକ୍ଟର କୈଳାସନାଥ କାଟଜୁ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ ସୁଲତାନ ଅହମ୍ମଦ, ବଙ୍ଗଳାର ଆଡଭୋକେଟ ଜେନେରାଲ ସାର୍ ଏସ.ଏମ.ବୋଷ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେଦିନ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କୁ ମିଶାଇ ଚାରି ଜଣ ବିଚାରପତିଙ୍କୁ ନେଇ ଓଡ଼ିଶା ହାଇକୋର୍ଟର ଜନ୍ମ ହୋଇଥିଲା। ଏହି ଉତ୍ସବରେ ଧନ୍ୟବାଦ ଜ୍ଞାପନ କରି ଓଡ଼ିଶା ହାଇକୋର୍ଟର ପ୍ରଥମ ଆଡଭୋକେଟ ଜେନେରାଲ ବିଚିତ୍ରାନନ୍ଦ ଦାସ କହିଥିଲେ ଯେ ଭାରତ ବର୍ଷର ମାଳଭ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହି ଅଞ୍ଚଳର ସନ୍ତାନ ମୁଖ୍ୟ ବିଚାରପତି ହୀରାଲାଲ କାନିଆ ଓଡ଼ିଶାର ନ୍ୟାୟ ମନ୍ଦିର ଉଦଘାଟନ କରିବା ଯଥାର୍ଥରେ ଐତିହାସିକ।
ପ୍ରକୃତରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭଳି ଓଡ଼ିଶା ହାଇକୋର୍ଟ ନ୍ୟାୟ ମନ୍ଦିର ଭାବେ ୭୫ ବର୍ଷ ଧରି ସତ୍ୟ, ଧର୍ମ, ନ୍ୟାୟ ଓ ନିରପେକ୍ଷତାର ମହାନ ଆଦର୍ଶ ଆଧାରରେ ନ୍ୟାୟ ପ୍ରଦାନ କରି ଚାଲିଛି। ଏହି ଅନୁଷ୍ଠାନର ମୁଖ୍ୟ ବିଚାରପତି ଭାବେ ଏବେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର କାର୍ଯ୍ୟ କରୁଥିବା ବେଳେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ, ଜଷ୍ଟିସ ଅରିନ୍ଦମ ସିହ୍ନା, ଜଷ୍ଟିସ ଦେବବ୍ରତ ଦାଶ, ଜଷ୍ଟିସ ବିଶ୍ବନାଥ ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ କୃଷ୍ଣରାମ ମହାପାତ୍ର, ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ, ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ, ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ, ଜଷ୍ଟିସ ମୁରାହରି ଶ୍ରୀ ରମଣ, ଜଷ୍ଟିସ ସଂଜୟ କୁମାର ମିଶ୍ର, ଜଷ୍ଟିସ ଗୌରୀଶଙ୍କର ଶତପଥୀ, ଜଷ୍ଟିସ ଚିତ୍ତରଂଜନ ଦାଶ ବିଚାରପତି ରହିଛନ୍ତି। ଓଡ଼ିଶା ହାଇକୋର୍ଟର ଏକ ମାତ୍ର ମହିଳା ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଏବେ କାର୍ଯ୍ୟରତ। ସଂପ୍ରତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ରାଜ୍ୟର ୧୮ତମ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି।
ନ୍ୟାୟ ଜଗତର ନକ୍ଷତ୍ର
ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଦସ୍ୟ ତଥା ପରବର୍ତ୍ତୀ ସମୟର ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର, ଜଷ୍ଟିସ ଗୋପାଳବଲ୍ଲଭ ପଟ୍ଟନାୟକ, ଜଷ୍ଟିସ ଦୀପକ କୁମାର ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଥିଲେ। ସେହିଭଳି ଭାବେ ଜଷ୍ଟିସ ରାଧାଚରଣ ପଟ୍ଟନାୟକ, ଜଷ୍ଟିସ ଦେବପ୍ରିୟ ମହାପାତ୍ର, ଜଷ୍ଟିସ ଅରିଜିତ ପଶାୟତ, ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ସୁପ୍ରିମକୋର୍ଟର ବିଚାରପତି ପଦବି ମଣ୍ଡନ କରିଥିଲେ। ଓଡ଼ିଶାର ବିଚାରପତି ଜଷ୍ଟିସ ଯୁଗଳ କିଶୋର ମହାନ୍ତି ସିକିମ ହାଇକୋର୍ଟ, ଡକ୍ଟର ଜଷ୍ଟିସ ବ୍ରଜନାଥ ମିଶ୍ର ସିକିମ ହାଇକୋର୍ଟ, ଜଷ୍ଟିସ ରାଧାକୃଷ୍ଣ ପାତ୍ର ସିକିମ ହାଇକୋର୍ଟ, ଜଷ୍ଟିସ ପ୍ରଫୁଲ୍ଲ କୁମାର ମିଶ୍ର ପାଟନା ହାଇକୋର୍ଟ, ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର ମଣିପୁର ହାଇକୋର୍ଟ, ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଝାଡଖଣ୍ଡ ହାଇକୋର୍ଟ, ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ରାଜସ୍ଥାନ ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି। ସଂପ୍ରତି ଜଷ୍ଟିସ ସଂଜୟ କୁମାର ମିଶ୍ର ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଅବସର ଗ୍ରହଣ ପରେ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଜାତୀୟ ଲୋକପାଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ଅବସର ଗ୍ରହଣ ପରେ ଅନେକ ଓଡ଼ିଆ ବିଚାରପତି ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ ରହି କାର୍ଯ୍ୟ କରୁଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ବି.ଏଲ.ହଂସାରିଆ, ଜଷ୍ଟିସ ଜି.ଟି.ନାନାବତୀ, ଜଷ୍ଟିସ ଏସ.ଏନ.ଫୁକନ, ଜଷ୍ଟିସ ବି.ଏନ.ଅଗ୍ରୱାଲ, ଜଷ୍ଟିସ ପି.କେ.ବାଲସୁବ୍ରମଣ୍ୟମ, ଜଷ୍ଟିସ ଏ.କେ.ଗାଙ୍ଗୁଲି, ଜଷ୍ଟିସ ବି.ଏସ.ଚୌହାନ, ଜଷ୍ଟିସ ଭି. ଗୋପାଳଗୌଡା, ଜଷ୍ଟିସ ସି.ନାଗାପ୍ପାନ, ଜଷ୍ଟିସ ଏ.କେ.ଗୋଏଲ, ଜଷ୍ଟିସ ଅମିତାଭ ରାୟ, ଜଷ୍ଟିସ ଭିନିତ ସରଣ ପ୍ରମୁଖ ସମୟକ୍ରମେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
ବିଭିନ୍ନ କ୍ଷେତ୍ରରେ ପ୍ରଥମ
ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ହଉଛନ୍ତି ଜଷ୍ଟିସ ଅମୀୟା କୁମାରୀ ପାଢୀ। ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ଆଇନଜୀବୀ ଭାବେ ଉର୍ମିବାଳା ରାୟଙ୍କ ନାମ ସ୍ମରଣୀୟ। ମଧୁବାବୁଙ୍କ କନ୍ୟା ସୁଧାଂଶୁବାଳା ହାଜରା ଭାରତ ବର୍ଷର ପ୍ରଥମ ମହିଳା ଆଇନଜୀବୀ ଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଗତିକୃଷ୍ଣ ମିଶ୍ର ସର୍ବାଧିକ କାଳ କାର୍ଯ୍ୟ କରିଥିଲେ। ଜଣେ ଜ୍ଞାନଦୀପ୍ତ ଓ ନିରପେକ୍ଷ ବିଚାରପତି ଭାବେ ତାଙ୍କର ସୁନାମ ଥିଲା। ଓଡ଼ିଶା ହାଇକୋର୍ଟର ଅନୁସୂଚିତ ଜନଜାତି ବର୍ଗରୁ ଆସିଥିବା ଏକ ମାତ୍ର ବିଚାରପତି ଥିଲେ ଜଷ୍ଟିସ ଏମ.ପାପାନ୍ନା। ବିଚାରପତି ପଦରୁ ଇସ୍ତଫା ଦେଇ ସେ କୋରାପୁଟ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ।
ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଇଥିଲେ ଉପରାଷ୍ଟ୍ରପତି
ଓଡ଼ିଶା ହାଇକୋର୍ଟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ୧୯୯୭ରେ ତତ୍କାଳୀନ ମୁଖ୍ୟ ବିଚାରପତି ଏସ.ଏନ. ଫୁକନଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ତତ୍କାଳୀନ ଉପରାଷ୍ଟ୍ରପତି କୃଷ୍ଣକାନ୍ତ, ଭାରତର ପ୍ରଧାନ ବିଚାରପତି ଜଗଦୀଶ ଶରଣ ବର୍ମା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିଭଳି ଓଡ଼ିଶା ହାଇକୋର୍ଟ ସର୍କିଟ କୋର୍ଟ ପ୍ରତିଷ୍ଠାର ଶତବାର୍ଷିକୀ ସମାରୋହ ୨୦୧୬ରେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରଣଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଟି.ଏସ.ଠାକୁରଙ୍କ ସମେତ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି, ଭାରତ ବର୍ଷର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
ରାଷ୍ଟ୍ରପତିଙ୍କ ଆବେଗଭରା ଆହ୍ବାନ
ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ହାଇକୋର୍ଟ ତାର ୭୫ତମ ଜୟନ୍ତୀ ଉତ୍ସବ ଆୟୋଜନ କରିବାକୁ ଯାଉଛି। ଏଥିରେ ଭାରତର ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଶ୍ରେଷ୍ଠ କନ୍ୟା ଦ୍ରୌପଦୀ ମୁର୍ମୁ ଯୋଗଦେବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ୨୦୨୨, ନଭେମ୍ବର ୨୬ ତାରିଖରେ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ମହୋଦୟା ଛୋଟ ଅପରାଧରେ ସାମିଲ ହୋଇ ଜେଲରେ ଥିବା ଗରିବ ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ବିଚାରବିଭାଗକୁ ଭାବ ପ୍ରବଣ ଆହ୍ବାନ ଦେଇଥିଲେ। ରାଷ୍ଟ୍ରପତିଙ୍କ ଏପରି ବକ୍ତବ୍ୟ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀର୍ଘ ଦିନ ହେବ ବିଚାରାଧୀନ ଥିବା ୭୫ଟି କ୍ରିମିନାଲ ଅପିଲର ସୋମବାର ଦିନ ରାୟ ପ୍ରକାଶ କରିଛନ୍ତି। ଏହା କେବଳ ଯେ ଏକ ଐତିହାସିକ ଘଟଣା ତାହା ନୁହେଁ, ରାଷ୍ଟ୍ରପତିଙ୍କ ଭାବାବେଗ ପ୍ରତି ଯଥେଷ୍ଟ ସମ୍ମାନ।