କଟକ: ଓଡ଼ିଶାର ନ୍ୟାୟ ବ୍ୟବସ୍ଥାର ସୁଦୀର୍ଘ ଇତିହାସ ରହିଛି। ଓଡ଼ିଶାର ନ୍ୟାୟିକ ଇତିହାସକୁ ସଂରକ୍ଷିତ କରି ରଖିବା ପାଇଁ ହାଇକୋର୍ଟ ପକ୍ଷରୁ ପ୍ରତିଷ୍ଠା କରାଯାଇଛି ‘ମ୍ୟୁଜିୟମ ଅଫ୍ ଜଷ୍ଟିସ’ (ନ୍ୟାୟ ସଂଗ୍ରହାଳୟ)। ଦେଶରେ ଏପରି ମ୍ୟୁଜିୟମ ପ୍ରଥମ ବୋଲି କୁହାଯାଉଛି। ଐତିହାସିକ ବାରବାଟୀ କିଲା ପରିସରରେ ଥିବା ମୁଖ୍ୟ ବିଚାରପତିଙ୍କ ଆବାସିକ କୋଠାରେ ଏହି ସଂଗ୍ରହାଳୟ କରାଯାଇଛି। ଫେବ୍ରୁଆରି ୨୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସଂଗ୍ରହାଳୟକୁ ଉଦଘାଟନ କରିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ସଂଗ୍ରହାଳୟ ଉଦ୍ଘାଟନ କରାଯାଇଥିଲା ରାଜ୍ୟର ନ୍ୟାୟିକ ଇତିହାସ ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ପ୍ରଦର୍ଶନ କରିବା ଲାଗି ଏହି ନୂଆ ଆଧୁନିକ ମ୍ୟୁଜିୟମ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୧୯୪୮ରେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାଦିନର ଫଟୋ ଏଠାରେ ରହିଛି। ୧୮୦୪ରୁ ୧୯୪୭ ମଧ୍ୟର ବିଭିନ୍ନ ଘଟଣା ବିଷୟରେ ଏଠାରେ ତଥ୍ୟ ପ୍ରଦର୍ଶନ କରାଯାଇଛି। ସ୍ବାଧୀନତା ସଂଗ୍ରାମୀମାନଙ୍କ ମାମଲାର ଟ୍ରାଏଲ ଓ ଦଣ୍ଡାଦେଶ ସଂପର୍କିତ ଅଦାଲତି ରାୟ ଏଠାରେ ଦେଖିବାକୁ ମିଳେ। ଆଦିବାସୀଙ୍କ ନ୍ୟାୟ ବ୍ୟବସ୍ଥା ସଂପର୍କରେ ତଥ୍ୟ ରହିଛି। ୧୮୦୮ରୁ ଆରମ୍ଭ କରି ୨୦୧୩ ପର୍ଯ୍ୟନ୍ତ ସମୟରେ ଅଦାଲତଙ୍କ ରାୟ ଓ ପ୍ରକାଶିତ ଖବରର ତଥ୍ୟ ରହିଛି। ଏଥି ସହିତ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ସ ପ୍ରତିଷ୍ଠା କରାଯାଇଛି। ଏଥିରେ ବିଭିନ୍ନ ରେକର୍ଡକୁ ସଂରକ୍ଷିତ କରି ରଖାଯାଉଛି।
ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ନୂଆ ଅଧ୍ୟାୟ
ହାଇକୋର୍ଟରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଇତିମଧ୍ୟରେ ନୂଆ ଦିଗ ସୃଷ୍ଟି କରିଛି। କରୋନା ସଂକ୍ରମଣ ବେଳେ ଅଦାଲତି କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ହାଇବ୍ରିଡ ମୋଡରେ ହାଇକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଦାବି ହେଉଥିଲା। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦ଟି ସ୍ଥାନରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି। ଉଭୟ ଫିଜିକାଲ ଓ ଭର୍ଚୁଆଲ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି କରାଯାଉଛି। ୨୦୨୧, ଏପ୍ରିଲ ୫ରୁ ଓଡ଼ିଶା ହାଇକୋର୍ଟ ଭିଡିଓ କନଫରେନ୍ସିଂ ରୁଲ୍ସ କାର୍ଯ୍ୟକାରୀ କରାଯାଇଥିଲା। ଏହା ଦ୍ବାରା କୋର୍ଟ କାର୍ଯ୍ୟ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଚାଲିବା ସହିତ ସାକ୍ଷୀଙ୍କ ବୟାନ ରେକର୍ଡ ମଧ୍ୟ ଦୂର ଅଞ୍ଚଳରୁ ସମ୍ଭବ ହୋଇ ପାରୁଛି। ୨୦୨୧, ଏପ୍ରିଲ ୫ରେ ଇ-ଫାଇଲିଂ ୱେବ ପୋର୍ଟାଲ ଆରମ୍ଭ କରାଯାଇଥିଲା। କେନ୍ଦ୍ର, ରାଜ୍ୟ ସରକାର ଓ ସେମାନଙ୍କ ସଂସ୍ଥା ଗୁଡିକ ପାଇଁ ଇ-ଫାଇଲିଂ ହାଇକୋର୍ଟରେ ବାଧ୍ୟତାମୂଳକ କରାଯାଇଥିଲା।
କୋର୍ଟ ଫି ଦାଖଲର ଇ-ପେମେଣ୍ଟ ପାଇଁ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଇ-ଫାଇଲିଂ, ଇ-ପେମେଣ୍ଟ ବ୍ୟବସ୍ଥା ବ୍ୟବହାର ପାଇଁ ହାଇକୋର୍ଟ ଓ ଜିଲ୍ଲା ଅଦାଲତର ଆଇନଜୀବୀଙ୍କ ପାଇଁ କର୍ମଶାଳା ଆୟୋଜନ କରାଯାଇଥିଲା। ୨୦୨୧, ନଭେମ୍ବର ୧ରୁ ଇ-କଷ୍ଟଡି ସାର୍ଟିଫିକେଟ ବ୍ୟବସ୍ଥା ଗୃହ ବିଭାଗ, ଜେଲ ବିଭାଗ, ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟ ସହଯୋଗରେ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ଜଣେ ବନ୍ଦୀଙ୍କ ପୁରୁଣା ରେକର୍ଡ ଓ ଅନ୍ୟାନ୍ୟ ସୂଚନା ଦେଉଛି। ୨୦୨୧, ଅଗଷ୍ଟ ୨ରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେଉଥିବା ମାମଲା ଶୁଣାଣିର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା। ହାଇକୋର୍ଟର ଅଫିସିଆଲ ୟୁଟ୍ୟୁବ୍ ଚାନେଲରେ ଏହା ଦେଖି ହେଉଛି। ଅନ୍ୟ କେତେକ ଖଣ୍ଡପୀଠରେ ହେଉଥିବା ମାମଲା ଶୁଣାଣି ମଧ୍ୟ ସିଧା ପ୍ରସାରଣ କରାଯାଉଛି। ୨୦୨୧, ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା ନବ ନିର୍ମିତ ଆଇନସେବା ଭବନକୁ ଉଦଘାଟନ କରିଥିଲେ। ୨୦୨୧ରେ ଏ-୪ କାଗଜର ହାଇକୋର୍ଟରେ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା। ବିଚାରବିଭାଗ କିଭଳି ଭାବେ କାର୍ଯ୍ୟ କରୁଛି ସେ ନେଇ ଜାଣିବା ପାଇଁ ୨୦୨୧, ନଭେମ୍ବର ୧୪ରେ ୨୫ଜଣ ଛାତ୍ରଛାତ୍ରୀଙ୍କ ହାଇକୋର୍ଟ, ଆଇନସେବା ପ୍ରାଧିକରଣ ଓ ଜୁଡିସିଆଲ ଏକାଡେମି ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା।
ବିଭିନ୍ନ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା ଓଡ଼ିଶାର ଆଇନଜୀବୀ
ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ବାରିଷ୍ଟର ରଣଜିତ ମହାନ୍ତି, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ସର୍ବ ଭାରତୀୟ ବାର୍ କାଉନସିଲର ଅଧ୍ୟକ୍ଷ ପଦବିକୁ ନିର୍ବାଚିତ ହୋଇ ଆମ ରାଜ୍ୟର ଗୌରବ ସର୍ବଭାରତୀୟ କ୍ଷେତ୍ରରେ ବୃଦ୍ଧି କରିଛନ୍ତି। ଓଡ଼ିଶା ହାଇକୋର୍ଟ ବାର୍ର ବରିଷ୍ଠ ସଦସ୍ୟ ବିବୁଧେନ୍ଦ୍ର ମିଶ୍ର, ଦୀନବନ୍ଧୁ ସାହୁ, ନରସିଂହ ମିଶ୍ର, ସମୀର ଦେ, ଶ୍ରୀନିବାସ ମିଶ୍ର(କ), ବ୍ରହ୍ମାନନ୍ଦ ପଣ୍ଡା ପ୍ରମୁଖ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଭାବେ ସଫଳତା ସହ କାର୍ଯ୍ୟ କରିଛନ୍ତି। ସଂପ୍ରତି ଛତିଶଗଡ଼ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓଡ଼ିଶା ହାଇକୋର୍ଟରେ ଦୀର୍ଘକାଳ ଧରି ସଫଳତାର ସହ ଓକିଲାତି କରିଥିଲେ। ଓଡ଼ିଶା ହାଇକୋର୍ଟ ବାର୍ର ବରିଷ୍ଠ ଆଇନଜୀବୀମାନଙ୍କ ମଧ୍ୟରେ ବାରିଷ୍ଟର ବୀରେନ୍ଦ୍ରମୋହନ ପଟ୍ଟନାୟକ, ବାରିଷ୍ଟର ଗୋବିନ୍ଦ ଦାସ, ବରିଷ୍ଠ ଆଇନଜୀବୀ ଗଙ୍ଗାଧର ରଥ, ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥ ସର୍ବଭାରତୀୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ବୀକୃତି ଲାଭ କରିଥିଲେ।
୪ରୁ ୩୩
ଓଡ଼ିଶା ହାଇକୋର୍ଟ ଆରମ୍ଭ ବେଳେ ମାମଲା ସଂଖ୍ୟା ଥିଲା ପ୍ରାୟ ୧୯୦୦। ସେତେବେଳେ ମଂଜୁରୀପ୍ରାପ୍ତ ବିଚାରପତି ପଦବି ସଂଖ୍ୟା ଥିଲା ମାତ୍ର ୪। ୧୯୭୮ ବେଳକୁ ବିଚାରପତି ସଂଖ୍ୟା ୮କୁ ବୃଦ୍ଧି କରାଯାଇ ଥିଲା। ୧୯୮୯ରେ ହାଇକୋର୍ଟର ବିଚାରପତି ପଦ ୧୨କୁ, ୧୯୯୨ରେ ୧୬କୁ, ୨୦୦୪ରେ ୨୨କୁ, ପରେ ୨୭କୁ ଏବଂ ନିକଟ ଅତୀତରେ ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୩୩କୁ ବୃଦ୍ଧି କରାଯାଇଛି। ହାଇକୋର୍ଟ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୩, ଜୁଲାଇ ୨୪ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ରହିଛି ୧ ଲକ୍ଷ ୪୫ ହଜାର ୭୯୮।
ପ୍ରଥମ ଚାରି ବିଚାରପତି ହୋଇଥିଲେ ମୁଖ୍ୟ ବିଚାରପତି
ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ବୀର କିଶୋର ରାୟ। ମୁଖ୍ୟ ବିଚାରପତି ଜଷ୍ଟିସ ରାୟଙ୍କ ସହିତ ବିଚାରପତି ଜଷ୍ଟିସ ବି. ଜଗନ୍ନାଥ ଦାସ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଜଷ୍ଟିସ ଆର.ଏଲ.ନରସିଂହମଙ୍କୁ ନେଇ ଓଡ଼ିଶା ହାଇକୋର୍ଟ ଆରମ୍ଭ ହୋଇଥିଲା। ଓଡ଼ିଶା ହାଇକୋର୍ଟ ଆରମ୍ଭରୁ ବିଚାରପତି ଥିବା ଉପରୋକ୍ତ ତିନି ବିଚାରପତି ପରବର୍ତ୍ତୀ ସମୟରେ ମୁଖ୍ୟ ବିଚାରପତି ପଦ ଅଳଙ୍କୃତ କରିଥିଲେ। ଜଷ୍ଟିସ ଦାସ ୧୯୫୧, ଅକ୍ଟୋବର ୩୧େର ଓଡ଼ିଶା ହାଇକୋର୍ଟର ଦ୍ବିତୀୟ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ସେହିଭଳି ଜଷ୍ଟିସ ପାଣିଗ୍ରାହୀ ୧୯୫୩, ମାର୍ଚ୍ଚ ୪ରେ ଓ ଜଷ୍ଟିସ ନରସିଂହମ ୧୯୫୬, ମାର୍ଚ୍ଚ ୨୨ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ପରଲୋକ ୧୯୫୮, ଜୁଲାଇ ୨୬ରେ ହୋଇଥିଲା। ଏହି କାରଣରୁ ଜୁଲାଇ ୨୬ ତାରିଖକୁ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଦିବସ ଓ ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି।