ଜାତି-ଧର୍ମ ନୁହେଁ ‘ଭାରତୀୟ’ ଆମର ଅସଲ ପରିଚୟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୧୫ରେ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଦେଶବାସୀ ଉତ୍ସାହର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି । ସମସ୍ତେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ମୋତେ ମୋ ପିଲାଦିନ କଥା ମଧ୍ୟ ମନେ ପକାଉଛି । ତ୍ରିରଙ୍ଗା ଉତ୍ତୋଳନ ବେଳେ ଦେହରେ ବିଜୁଳି ଭଳି ଶିହରଣ ଖେଳିଯାଉଥିଲା । ଏସବୁ ଉତ୍ସାହରେ ଭରି ଯାଇଥିଲା। ଆମେ ସ୍କୁଲରେ ଥିବା ବେଳେ ଏହି ଦିନକୁ ଅପେକ୍ଷା କରିଥିଲୁ । ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ହେଉଛି ଆମ ଦେଶ । ଆମେ ପ୍ରଥମେ ଭାରତର ନାଗରିକ । ଭାରତ ହେଉଛି ଲୋକତନ୍ତ୍ରର ଜନନୀ ।

ସେ ଭାରତର ଝିଅମାନେ ଆଗକୁ ବଢ଼ିବାକୁ ଚାହୁଁଥିବା କହିଥିବେ ବେଳେ ଦେଶର ସବୁ ନାଗରିକ ସମାନ ଓ ସମସ୍ତଙ୍କର ସମାନ ଅଧିକାର ରହିଛି ବୋଲି ମତ ରଖିଛନ୍ତି।

ସେ କହିଛନ୍ତି, “ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ, ଅଧିକାର ଓ କର୍ତ୍ତବ୍ୟ ରହିଛି। ଜାତି, ଧର୍ମ, ଭାଷାରୁ ଉପରେ ରହି ସମସ୍ତେ ଭାରତୀୟ ଭାବେ ପରିଚିତ।

ଆଜିକା ଦିନରେ ଦେଶର ବିକାଶ ଓ ସେବା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ିଛି। ସେମାନେ ଦେଶର ଗର୍ବକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। କିଛି ଦଶନ୍ଧି ତଳେ ସେମାନଙ୍କ ଯୋଗାଦାନ ନଗଣ୍ୟ ଥିଲା। ହେଲେ ଏବେ ସେମାନେ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିଛନ୍ତି।”

ସେ ଆହୁରି କହିଛନ୍ତି, “ସ୍ୱାଧୀନତା ଦିବସ ମୋତେ ମୋ ପିଲା ଦିନ ମନେପକାଇ ଦେଉଛି। ଛୋଟ ବେଳେ ସ୍କୁଲରେ ଉତ୍ସବ ମନରେ ଶିହରଣ ସୃଷ୍ଟି କରୁଛି। ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ। ଆମ ସ୍ୱାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା। ଏହି ଆଧାରଶିଳାକୁ ଅନେକ ଦେଶ ନିଜ ପାଇଁ ଆପଣାଇଛନ୍ତି।

ଆଜି ମହିଳାମାନେ ବିକାଶ ଓ ଦେଶସେବାରେ ଆଗରେ ଅଛନ୍ତି। ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଆର୍ଥିକ ସଶକ୍ତୀକରଣ ଯୋଗୁ ମହିଳାଙ୍କ ସ୍ଥିତି ମଜବୁତ ହୋଇପାରିଛି। ଆଜି ଭାରତ କେବଳ ବିଶ୍ୱରେ ନାଁ କରିନି, ବରଂ ନିଜ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି।

ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଆମର ଅନ୍ନଦାତାମାନେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ସରକାରଙ୍କ ସମୁଚିତ ପଦକ୍ଷେପ ଯୋଗୁ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି। ଭାରତ ଆଜି ବିଶ୍ୱର ଶ୍ରେଷ୍ଠ ୫ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହୋଇପାରିଛି। ବିଶ୍ୱର ଶ୍ରେଷ୍ଠ ୩ ଅର୍ଥବ୍ୟବସ୍ଥାରେ ସାମିଲ ହେବାକୁ ଉଦ୍ୟମ ଚଳାଇଛି ଦେଶ।”

ନିଜ ପରମ୍ପରାକୁ ସମୃଦ୍ଧ କରିବାକୁ ଆଦିବାସୀ ଭାଇଭଉଣୀଙ୍କୁ ରାଷ୍ଟ୍ରପତି ମୁର୍ମୁ ଆହ୍ୱାନ ଦେଇଛନ୍ତି। ଶିକ୍ଷା ସାମାଜିକ ସଶକ୍ତୀକରଣର ସବୁଠାରୁ ବଡ଼ ମାଧ୍ୟମ। ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ଭାବେ ଉଭା ହୋଇଛି। ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ଦେଶ ଆଗକୁ ବଢୁଛି ବୋଲି ସେ କହିଛନ୍ତି।

ଦେଶର ଝିଅମାନେ ଆଗକୁ ଯାଆନ୍ତୁ ବୋଲି ଆଶା ରଖି ରାଷ୍ଟ୍ରପତି ମୁର୍ମୁ ସରୋଜିନ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମା ଦେବୀ, ଅରୁଣା ଅସଫ ଅଲୀ ଓ ସୁଚେତା କ୍ରିପାଲିନଙ୍କ ଉଦାହରଣ ଦେଇଛନ୍ତି। ମା’ କସ୍ତୁରବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଠିନ ସତ୍ୟାଗ୍ରହର ସବୁ ସମୟରେ ସାଥ ଦେଇଥିବା କଥା ମଧ୍ୟ ରାଷ୍ଟ୍ରପତି କହିଛନ୍ତି।

ମହାନ ଭାରତୀୟ ସଭ୍ୟତା:

ସ୍ୱାଧୀନତା ଦିବସ ଆମକୁ ମନେ ପକାଇ ଦିଏ ଯେ ଆମେ ବ୍ୟକ୍ତି ନୁହଁ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ସଦସ୍ୟ-ଏକ ସର୍ବବୃହତ୍ ଓ ଜୀବନ୍ତ ସମୁଦାୟର ଅଂଶବିଶେଷ । ଉପନିବେଶ ଶାସନ ଏହାର ଅନ୍ତ ଘଟାଇବାକୁ ଚେଷ୍ଟା କରିଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନ ହୋଇଥିଲୁ। ଆମର ସ୍ୱାଧୀନତା ଆନ୍ଦୋଳନ ଅଦ୍ଭୁତ ଥିଲା । ସଂଗ୍ରାମୀମାନେ ଆମ ମହାନ ସଭ୍ୟତାର ମୂଲ୍ୟବୋଧକୁ ସେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ। ଆମ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ସତ୍ୟ ଓ ଅହିଂସାକୁ ସମଗ୍ର ବିଶ୍ୱରେ ଗ୍ରହଣ କରାଯାଇଛି ।

ଏହି ଦିନ ଆମ ସମସ୍ତଙ୍କ ପାଇଁ ଏକ ଗର୍ବିତ ଏବଂ ପବିତ୍ର ଦିନ । ଚାରିଆଡ଼େ ଉତ୍ସବର ବାତାବରଣ ଦେଖି ମୁଁ ବହୁତ ଖୁସି । ଜାତି, ଧର୍ମ, ଭାଷା ଓ ଅଞ୍ଚଳ ବ୍ୟତୀତ ଆମର ପରିବାର ଓ କର୍ମକ୍ଷେତ୍ର ସହ ଜଡ଼ିତ ପରିଚୟ ମଧ୍ୟ ରହିଛି। କିନ୍ତୁ ଆମର ଏକ ପରିଚୟ ଅଛି ଯାହା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଆମର ସେହି ପରିଚୟ ହେଉଛି ଯେ ଆମେ ଭାରତୀୟ ।

ସମ୍ବିଧାନ ଆମ ମାର୍ଗଦର୍ଶକ :

ରାଷ୍ଟ୍ରପତି କହିଥିଲେ ଯେ ଆମ ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ ଦସ୍ତାବିଜ। ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ରହିଛି। ଆସନ୍ତୁ ଆମର ପ୍ରତିଷ୍ଠାତାମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଭାବନା ସହ ଆଗକୁ ବଢ଼ିବା ।

ଭାରତ ହେବ ୩ୟ ବୃହତ୍ତମ ଅର୍ଥନୀତି

ରାଷ୍ଟ୍ରପତି ନିଜ ଭାଷଣରେ ଚନ୍ଦ୍ରଯାନ-୩, ଜଳବାୟୁ ପରିବର୍ତ୍ତନ, ଦେଶର ଅର୍ଥ ବ୍ୟସ୍ଥାର ଅଭିବୃଦ୍ଧି କଥା କହିଥିଲେ । ସେ କହିଥିଲେ ଯେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ।

Leave A Reply

Your email address will not be published.