ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୮/୦୮ : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ଓ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି ।
୨୦୨୧ରୁ ୨୦୨୩ ବ୍ୟାଚର ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍ବିଏ), ଏମ୍ବିଏ (ହସ୍ପିଟାଲ୍ ଆଡ୍ମିନିଷ୍ଟ୍ରେସନ୍) ଓ ୨୦୧୯-୨୦୨୩ ବ୍ୟାଚର ବ୍ୟାଚଲର ଅଫ୍ ବିଜିନେସ୍ ଆଡ୍ମିନିଷ୍ଟ୍ରେସନ୍ (ବିବିଏ) ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଏହି ଉପାଧି ଗ୍ରହଣ କରିଥିଲେ ।
ସେହିପରି ୨୦୧୯-୨୦୨୩ ବ୍ୟାଚର ବ୍ୟାଚଲର ଅଫ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି), ୨୦୨୦-୨୦୨୩ ବ୍ୟାଚର ବିବିଏ ଇନ୍ ହସ୍ପିଟାଲିଟି ଆଣ୍ଡ କୁଲିନାରୀ ଆର୍ଟସ ଏବଂ ୨୦୨୧-୨୦୨୩ ବ୍ୟାଚର ଏମ୍ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥିଙ୍କ ଠାରୁ ସେମାନଙ୍କର ଉପାଧି ଗ୍ରହଣ କରିଥିଲେ ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଏହା ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୂହୁର୍ତ ବୋଲି କହିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ସେମାନଙ୍କ ହାତରେ ଥିବା ଡିଗ୍ରୀଟି କେବଳ ଗୋଟିଏ କାଗଜ ନୁହେଁ ବରଂ ବିଗତ ବର୍ଷ ବର୍ଷ ଧରି ସେମାନେ କରିଥିବା ପ୍ରଚେଷ୍ଟାର ପ୍ରତିଫଳନ ବୋଲି କୁଳପତି କହିଥିଲେ ।
ଶିକ୍ଷା ଗ୍ରହଣ କେବେ ସରେ ନାହିଁ ବୋଲି ମତ ପ୍ରକାଶ କରି ସେମାନଙ୍କର ଶିକ୍ଷାକୁ ବ୍ୟବହାର କରି ସମାଜର ଉନ୍ନତି କରିବା ସହ ଜଟିଳ ସମସ୍ୟାର ସମାଧାନ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ ।
ସୋଆ ଦେଶର ଏକ ଉଚ୍ଚ ର୍ୟାଙ୍କରେ ଥିବା ଶିକ୍ଷାନୁଷ୍ଠାନ ହୋଇଥିବାରୁ ଶିକ୍ଷା ସମାପ୍ତ କରିଥିବା ଗ୍ରାଜୁଏଟ୍ମାନେ ବିଶ୍ୱବିଦ୍ୟାଳୟର ଦୂତ ଭାବେ ନିଜକୁ ଉପସ୍ଥାପିତ କରିବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି ଅବସରରେ ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଏସ୍ଏଚ୍ଏମ୍ ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ୍ କାଉନ୍ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।