ମାଲକାନଗିରି ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ

ମାଲକାନଗିରି, ୨୯/୦୮/୨୩: ଆବହମାନ କାଳରୁ ଏକବିଂଶ ଭାରତରେ କ୍ରୀଡା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖରେ କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ସାରା ଭାରତରେ ଜାତୀୟ କ୍ରୀଡା ଦିବସ ପାଳିତ ହୁଏ । ଆଜି ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଡି ଏନ କେ ଖେଳ ପଡିଆ ଠାରୁ କ୍ରୀଡା କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ମାରାଥନ ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀ ଧ୍ରୁବ ଚରଣ ମୁଦୁଲି, ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ଵୀ ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ମାଥିଲି ତହସିଲଦାର, ଶ୍ରୀ ଚନ୍ଦନ ଭୋଇ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ ଓ ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ଥିଲେ।

ଡିଏନକେ ଖେଳ ପଡିଆ ଠାରୁ କ୍ରୀଡା କମ୍ପ୍ଲେକ୍ସ ପହଞ୍ଚିବା ପରେ ସେଠାରେ ଏକ ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀ ମୁଦୁଲି ସମସ୍ତଙ୍କୁ କ୍ରୀଡା ଦିବସର ଶୁଭେଚ୍ଛା ଜଣାଇ କହିଥିଲେ ଯେ କ୍ରୀଡା ମାନବ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏହାର ମହତ୍ୱ ଅଛି । ଜଣେ ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ଗଠନରେ ଏହା ସହାୟକ । ରାଜ୍ୟ ସରକାର ଜିଲ୍ଲାରେ ଜୁଡୋ ଓ ତୀରନ୍ଦାଜୀ କ୍ରୀଡାର ଭିତ୍ତିଭୂମି ବିକାଶ ନିମନ୍ତେ ପାଣ୍ଠି ଯୋଗାଇ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ଆଦିମ ବଣ୍ଡା ଜନଜାତି ଯୁବକ ଗଣେଶ ଧାଙ୍ଗଡ଼ାମାଝୀ ୨୦ ବର୍ଷରୁ କମ୍ ବର୍ଗ ଜାତୀୟ ରଗ୍ବି ଖେଳରେ ଅଧିନାୟକ ଭାବେ ପ୍ରତିନିଧିତ୍ଵ କରିବେ ଯାହା ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ସେହିପରି ମାଥିଲି ତହସିଲଦାର, ଶ୍ରୀ ଭୋଇ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ହକି ଖେଳ ପ୍ରତି ଅବଦାନ ବିଷୟରେ ସ୍ମୃତି ଚାରଣ କରି କହିଥିଲେ ଯେ ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲମ୍ଫିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଖେଳ ପ୍ରତି ତାଙ୍କର ରହିଥିବା ସ୍ପୃହା ଆଜିର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉଦଜୀବିତ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ଅନ୍ୟାନ୍ୟ ଅତିଥି ମାନେ କ୍ରୀଡା ଦିବସ ଉପଲକ୍ଷେ ଯୁବକଯୁବତୀମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବାକୁ ଅନୁପ୍ରାଣିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ପ୍ରଶିକ୍ଷକ, କୁଳମଣି ନିଆଲ, ପପୁ ସିଂ, ବସନ୍ତ ନାୟକଙ୍କ ସମେତ କ୍ରୀଡାପ୍ରେମୀ, କ୍ରୀଡାବିତ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.