xmas

ପ୍ରମିଳା ମଲ୍ଲିକ ହେଲେ ବିଜେଡି ବାଚସ୍ପତି ପ୍ରାର୍ଥୀ

ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ।

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ଆଜି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ଉପସଭାନେତ୍ରୀ ଶ୍ରୀମତୀ ମଲ୍ଲିକ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଓ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିଦ୍ୱନ୍ଦ୍ୱରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ । ଗତ ଜୁନ୍ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି ।

ସୂଚନା ଅନୁସାରେ, ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ସହ ବାଚସ୍ପତି ନିର୍ବାଚନ ସମ୍ପନ୍ନ ହେବ । ବିଜେଡି ପ୍ରାର୍ଥୀ ଭାବେ ଶ୍ରୀମତୀ ମଲ୍ଳିକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଆଜି ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ଶ୍ରୀମତୀ ମଲ୍ଲିକ ମନ୍ତ୍ରୀପଦରୁ ଇସ୍ତଫା ଦେଇ ବାଚସ୍ପତି ଭାବେ ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତାକାଲି ହିଁ ନିର୍ବାଚନ ପ୍ରକ୍ରିୟା ଶେଷ ସହ ସେ ବାଚସ୍ପତି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

୧୯୬୩ ମସିହାରେ ଜନ୍ମିତ ଶ୍ରୀମତୀ ମଲ୍ଲିକ ବିଜେଡିର ବହୁ ପଦପଦବୀ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ଏବେ ବିଜେଡିର ଉପସଭାପତି ଓ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଯାଜପୁର ଜିଲ୍ଲାର ଏହି ୬୦ବର୍ଷ ବୟସ୍କା ନେତ୍ରୀଙ୍କୁ ଚଳିତ ଷୋଡ଼ଶ ବିଧାନସଭାରେ ସରକାରୀ ମୁଖ୍ୟ ସଚେତକ ଭାବେ ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସେ ୨୦୨୨ ଜୁନ୍ ମାସରେ ସରକାରୀ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ ଓ ତାଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରିଥିଲେ ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ମାସ ଥିବାବେଳେ ଶ୍ରୀମତୀ ମଲ୍ଲିକଙ୍କ ଉପରେ ଦଳ ଭରସା କରିଛି । ନିର୍ବାଚନ ପୂର୍ବରୁ ବିଜେପି ମହିଳା କାର୍ଡ ଖେଳିଥିବାରୁ ବିଜେଡି ଏବେ ନିଜର ଜଣେ ବରିଷ୍ଠ ନେତ୍ରୀଙ୍କୁ ବାଚସ୍ପତି ପଦରେ ଆସୀନ କରି ମହିଳା କାର୍ଡ ଖେଳିବାକୁ ପ୍ରୟାସ କରିଛି । ସେ କ୍ରମାଗତ ୫ମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଏବେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.