mobile header

ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତିପୂରଣ

ଅସୁସ୍ଥ ଓ ନିଜର ଅଙ୍ଗ ହରାଉଥିବା ମୂଳ ସଫେଇ କର୍ମଚାରୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସଫେଇ କର୍ମଚାରୀଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ମାସରେ ‘ଗାରିମା’ ଯୋଜନା ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରାୟ ୨୦ହଜାର ପରିମଳ କର୍ମଚାରୀ ଉପକୃତ ହୋଇଥିଲେ ।

ରାଜ୍ୟ ନଗର ଉନ୍ନୟନ ବିଭାଗର ସୂଚନା ଅନୁସାରେ ଗାରିମା ଯୋଜନାର ସଫଳତା ସଫେଇ କର୍ମଚାରୀଙ୍କୁ ମିଳିପାରୁଛି । ଏହା ମାଇଲଖୁଣ୍ଟ ଅତିକ୍ରମ କରିଛି । ସଫେଇ କର୍ମଚାରୀଙ୍କ କଲ୍ୟାଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଦରମାର ୧୫ ପ୍ରତିଶତକୁ ରିସ୍କ ଆଣ୍ଡ ହାର୍ଡସିପ୍ ଭତ୍ତା ଭାବେ ଦେବାକୁ ସରକାର ଅନୁମୋଦନ କରିଛନ୍ତି । ଏହା ଗ୍ରେଡ-୧ ସଫେଇ କର୍ମଚାରୀଙ୍କୁ ମିଳିବ । ଏହି ଯୋଜନାରେ ଯେଉଁ ସଫେଇ କର୍ମଚାରୀମାନେ ବିପଜ୍ଜନକ କାର୍ଯ୍ୟ କରିବା ସମୟରେ ଆଘାତ ଓ ସଂକ୍ରମଣର ଶିକାର ହୋଇ ସ୍ଥାୟୀ ଅବା ଆଂଶୀକ ଭିନ୍ନକ୍ଷମ ହେବେ, ଅବା ଅନ୍ୟ କୌଣସି କାରଣରୁ ଅସୁସ୍ଥ ହେବେ ସେମାନଙ୍କୁ ଏହି କ୍ଷତିପୂରଣ ଭତ୍ତା ମିଳିବ ।

କର୍ମଚାରୀ କ୍ଷତିପୂରଣ ଅଧିନିୟମ-୧୯୨୩ କିମ୍ବା କର୍ମଚାରୀ ରାଜ୍ୟ ବୀମା ଅଧିନିୟମ-୧୯୪୮ ମାଧ୍ୟମରେ ଏହି ସଫେଇ କର୍ମଚାରୀମାନଙ୍କୁ କ୍ଷତିପୂରଣ ଭତ୍ତା ଦେବାକୁ ନିଷ୍ପତ୍ତି ହୋଇଛି । ଏହାବ୍ୟତୀତ ଯେଉଁ ସଫେଇ କର୍ମଚାରୀମାନେ ଏହି ଆଇନ ଅନ୍ତର୍ଗତ କ୍ଷତିପୂରଣ ପାଇବେ ନାହିଁ ସେମାନଙ୍କ ନିମନ୍ତେ ଗାରିମା ଯୋଜନାରେ ସୃଷ୍ଟି ହୋଇଥିବା କର୍ପସ ପାଣ୍ଠିରୁ ଏହି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.