ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ନିର୍ବାଚନ ଲଢ଼ିବେନି ଭି. କାର୍ତ୍ତିକେୟ ପାଣ୍ଡିଆନ । ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ତେବେ ପାଣ୍ଡିଆନ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ ଦେବୀ କହିଛନ୍ତି। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବୀ ମିଶ୍ର ଏହି କଥା କହିଛନ୍ତି।
ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ନଭେମ୍ବର ୨୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ।
କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ ଦେବୀ ମିଶ୍ର କହିଛନ୍ତି, ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋଶାଲ ମିଡିଆକୁ ଅସ୍ତ୍ର କରାଯିବ। ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ବୋଲି ସଭାପତି କହିଛନ୍ତି। କିଛି ଇସ୍ୟୁ ନଥିବାରୁ ମିଛ କହି ଅପପ୍ରଚାର କରୁଛନ୍ତି ବିରୋଧୀ।
ସେହିପରି କେନ୍ଦ୍ର ନିକଟରେ ପୁଣି ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନେଇଛି ବିଜେଡି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଉଦ୍ୟମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା ନେଇ ଦୁଃଖପ୍ରକାଶ କରିଛି ଦଳ। କୋଇଲା ରୟାଲିଟି, ସେସ୍ରେ ଦାବି ପୂରଣ ପାଇଁ ଉଦ୍ୟମ ଚାଲିବ ବୋଲି କହିଛନ୍ତି ଦେବୀ ମିଶ୍ର।
ସେ ଆହୁରି କହିଛନ୍ତି, ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ଚଳାଇବ ବିଜୁ ଜନତା ଦଳ। କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଓ ଗାଁକୁ ଚାଲ ଅଭିଯାନ ଚଲାଇବ। ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଦିଆଯିବ। ନିର୍ବାଚନ ମଣ୍ଡଳୀ ପରେ ଜୋନାଲ ୱାରୀ ପ୍ରଶିକ୍ଷଣ ଦିଆଯିବ। ପଞ୍ଚାୟତସ୍ତରୀୟ ସମ୍ମିଳନୀ କରିବାକୁ ମଧ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି।