ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପୁରୀରେ ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି। ତାଙ୍କ ସହ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି, ଏସପି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ପାଇଁ ପୁରୀକୁ ଉତ୍ସବ ମୁଖରିତ କରାଯିବ। ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀକୁ ଆସିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଧର୍ମଶାଳାକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବାକୁ ଯାଉଛି। ରଥଯାତ୍ରା ସମୟରେ ଯେଉଁଭଳି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା କୋଠାର ଛାତ ଉପରେ ବସି ଭକ୍ତମାନେ ପହଣ୍ଡି ଆଦିର ଦର୍ଶନ କରିବାକୁ ସୁଯୋଗ ପାଇଥାନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ମଧ୍ୟ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ସମସ୍ତ ମଠ ଓ ଧର୍ମଶାଳାର ଛାତକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏଥିପାଇଁ ଡୁଡୁୱାଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗର ପଠାଘର ଓ ସିଂହଦ୍ବାର ସୂଚନାକେନ୍ଦ୍ରର ପରିଚାଳକମାନଙ୍କୁ ଏହି ଚିଠି କରିଛନ୍ତି। ଏହି କୋଠାକୁ ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେଇଯିବ ବୋଲି ଚିଠି ହୋଇଛି। ଏହି କୋଠାମାନଙ୍କରେ ଛାମୁଣ୍ଡିଆ ବନ୍ଧାଯାଇ ଏଠାରେ ଭକ୍ତମାନଙ୍କୁ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଆସନ୍ତା ୧୨ରୁ ଶ୍ରୀସେତୁ ସ୍ବାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ସମସ୍ତ ମୌଜାରେ ପାର୍କିଂ ପରେ ସେଠାରୁ ଶ୍ରଦ୍ଧାଳୁ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ । ଜଗନ୍ନାଥ ବଲ୍ଲଭରେ‌ ଗୁଆ ଚାଉଳ, ନଡିଆ ସଂଗ୍ରହ କରାଯିବ । ସମସ୍ତ ପାର୍କିଂକୁ ଦୁଇଟି ରାସ୍ତା କରାଯିବ । ୮ଶହ ମିଟର ଶ୍ରୀଦାଣ୍ଡ ରାସ୍ତା ୧୬ ତାରିଖ ପୂର୍ବରୁ ଶେଷ ହେବ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୧୭‌ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ।‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସବୁସ୍ତରରେ ସ୍ବାଗତ କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ତୁଳସୀ ଗଛ ସାଙ୍ଗକୁ ବିଭିନ୍ନ ପ୍ରକାରର ସବୁଜିମା ଗଛ ଲଗାଯାଇଥିବାରୁ ଭକ୍ତଙ୍କର ଏହା ମୁଖ୍ୟ ଆକର୍ଷଣ ପାଲଟିଛି । ଏଥିସହ ସେବାୟତ, ପୁରୁଷ ଓ ମହିଳାମାନଙ୍କ ପାଇଁ ଶୌଚାଳୟ, ଜୋତା ଷ୍ଟାଣ୍ଡ, ପରିକ୍ରମା ମାର୍ଗ, ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭକ୍ତମାନେ ଭରପୁର ଉପଭୋଗ କରୁଛନ୍ତି ।

Leave A Reply

Your email address will not be published.