ସାହସ ଓ ଦୃଢ଼ ମନୋବଳ ସହ କର୍କଟ ରୋଗର ମୁକାବିଲା କରାଯାଇପାରେ

ଭୁବନେଶ୍ୱର, ଫେବୃଆରୀ ୩: କର୍କଟ ଏକ ଭୀତିପ୍ରଦ ରୋଗ ହୋଇପାରେ ମାତ୍ର ସାହସର ସହ ଓ ଦୃଢ଼ ମନୋବଳ ନେଇ ଏହାର ମୁକାବିଲା କରାଯାଇ ପାରିବ ବୋଲି ବିଶିଷ୍ଟ ଓଲିଉଡ୍ ଅଭିନେତା ସାତ୍ୟକୀ ମିଶ୍ର କହିଛନ୍ତି ।

ସଂପ୍ରତି ମୁଖ କର୍କଟ ରୋଗ ନିମନ୍ତେ ଚିକିତ୍ସିତ ହେଉଥିବା ଏହି ଅଭିନେତା ଶନିବାର ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ବିଶ୍ୱ କର୍କଟ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ଯେଉଁମାନେ ତମାଖୁ, ଗୁଟ୍‌କା, ପାନ ଓ ସିଗାରେଟ ଇତ୍ୟାଦି ବ୍ୟବହାର କରନ୍ତି ସେମାନଙ୍କୁ ମୋର ଅନୁରୋଧ ଯେ ସେମାନେ ଏହି ଅଭ୍ୟାସ ପରିତ୍ୟାଗ କରନ୍ତୁ । ମୋର ଏହି ଅଭ୍ୟାସ ହିଁ ମୋତେ ଆଜି ସମସ୍ୟାରେ ପକାଇଛି ବୋଲି ସେ କହିଥିଲେ ।

ସମ୍ ହସ୍ପିଟାଲ୍‌ରେ ପ୍ରତିବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିବା ତଥା ଚିକିତ୍ସିତ ହେଉଥିବା ପ୍ରାୟ ୬୦୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପପୁ ପମ୍‌ପମ୍ ମଧ୍ୟ ଯୋଗ ଦେଇ ସଚେତନତା ମାଧ୍ୟମରେ ଏହି ରୋଗର ନିରାକରଣ କରାଯାଇ ପାରିବ ବୋଲି କହିଥିଲେ ।

ସାତ୍ୟକୀ ମିଶ୍ର କହିଥିଲେ ଯେ ନିୟମିତ ତମାଖୁ ଓ ଗୁଟ୍‌କା ବ୍ୟବହାର କରୁଥିଲେ ମଧ୍ୟ ତାଙ୍କୁ ଏହି ରୋଗ ହେବ ବୋଲି ସେ କେବେ ଭାବି ନଥିଲେ । ମୋର ନିଜ ଭୁଲ ଯୋଗୁଁ ମୁଁ ଏହି ପରିସ୍ଥିତିର ସମ୍ମୁଖୀନ ହେଲି । “ମୁଁ ଏହି ଅଭ୍ୟାସ ତ୍ୟାଗ କରିବାକୁ ବିଫଳ ହୋଇଥିଲି ।”

ଜଣେ ଏହି ଦ୍ରବ୍ୟଗୁଡ଼ିକ ବ୍ୟବହର କରୁଥିଲେ ଏହି ଅଭ୍ୟାସ ପରିତ୍ୟାଗ କରିବା ସମ୍ଭବ ହୁଏ ନାହିଁ । କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଏହା କରାଯାଇ ପାରିବ ବୋଲି ସେ କହିଥିଲେ ।

ଅଭିନେତାଙ୍କ ପତ୍ନୀ ଶ୍ରୀମତି ସୁଚିସ୍ମିତା ମିଶ୍ର କହିଥିଲେ ଯେ ପରିବାରରେ କାହାକୁ ଏହି ରୋଗ ହେଲେ ଏହା ପରିବାର ନିମନ୍ତେ ଏକ କଠିନ ପରିସ୍ଥିତି ସୃଷ୍ଟି କରିଥାଏ । ଯଦି କାହାଠାରେ ଏହି ରୋଗର ସାମାନ୍ୟତମ ସୂଚନା ମିଳେ ତେବେ ବିଳମ୍ବ ନ କରି ସଂଗେ ସଂଗେ ଚିକିତ୍ସା କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ଏହି ପରିପ୍ରେକ୍ଷୀରେ ଜୀବନଶୈଳୀର ଅଧିକ ଗୁରୁତ୍ୱ ରହିଛି । ନିଜର ଅଭ୍ୟାସ ନିମନ୍ତେ ପୁରୁଷମାନେ ମୁଖ, ଫୁସ୍‌ଫୁସ୍ ଓ କୋଲନ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଥି ନିମନ୍ତେ ଚିକିତ୍ସା ଉପଲବ୍ଧ ଅଟେ ମାତ୍ର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ରୋଗୀଙ୍କୁ ପ୍ରଦାନ କରୁଥିବା ପରାମର୍ଶ ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ହସ୍ପିଟାଲ୍‌ର ସର୍ଜିକାଲ୍ ଅଙ୍କୋଲଜି ବିଭାଗର ମୁଖ୍ୟ ଡାକ୍ତର ସୁନୀଲ ଅଗ୍ରୱାଲ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମାଜକୁ ଜଣାଇବା ଯେ କର୍କଟ ରୋଗକୁ ଭୟ କରିବାର ଆବଶ୍ୟକତା ନାହିଁ । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ଏହି ରୋଗର ଚିକିତ୍ସା ସମ୍ଭବ । କର୍କଟ ରୋଗ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ୍ ଏକ ପ୍ରକୃଷ୍ଟ କେନ୍ଦ୍ର ବୋଲି ସେ କହିଥିଲେ ।

ମେଡିକାଲ୍ ସୁପିରଟେଣ୍ଡେଂଟ ପ୍ରଫେସର (ଡ.) ପୁଷ୍ପରାଜ ସାମନ୍ତସିଂହାର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସର ଡିନ୍ ପ୍ରଫେସର (ଡ.) ନୀତା ମହାନ୍ତି ଓ ମେଡିକାଲ୍ ଅଙ୍କୋଲଜି ବିଭାଗର ମୁଖ୍ୟ ଡ. ସୋମ୍ୟ ସୁରଥ ପଣ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ମତ ରଖିଥିଲେ ।

ପେଡିଆଟ୍ରିକ୍ ଅଙ୍କୋଲଜି ବିଭାଗର ମୁଖ୍ୟ ଡ. ସରୋଜ ପ୍ରସାଦ ପଣ୍ଡା କହିଥିଲେ ଯେ ଭାରତରେ ପ୍ରତି ବର୍ଷ ପ୍ରାୟ ୫୦ ହଜାର ଶିଶୁଙ୍କ ଠାରେ କର୍କଟ ରୋଗ ଦେଖାଦେଇଥାଏ । ସମ୍ ହସ୍ପିଟାଲରେ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୧୨୦୦ ଶିଶୁଙ୍କ ଠାରେ କର୍କଟ ରୋଗ ନିରୁପଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୦ ଶିଶୁ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ । ବର୍ତମାନ ହସ୍ପିଟାଲ୍‌ରେ ପ୍ରାୟ ୨୫୦ ଶିଶୁଙ୍କୁ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ରକ୍ତ କର୍କଟ ରୋଗରେ ପୀଡ଼ିତ । ମାତ୍ର ଶିଶୁମାନେ ବୟସ୍କମାନଙ୍କ ଠାରୁ କର୍କଟ ରୋଗ ଚିକିତ୍ସାକୁ ଅଧିକ ଭଲ ଭାବେ ଗ୍ରହଣ କରିଥାନ୍ତି ବୋଲି ସେ କହିଥିଲେ ।

Leave A Reply

Your email address will not be published.