ଆଦିବାସୀ ମେଳାରେ ଜନଜାତି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ବହୁଭାଷୀ ନାଟକ ଏକ ପ୍ରମୁଖ ଆକର୍ଷଣ

ଭୁବନେଶ୍ବର, ଫେବୃଆରୀ ୪: “ଦେଖ୍ ମେଟା ତୋର ଟୋକିର୍ କାତା” ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ଉପରେ ଆଧାରିତ କୋରାପୁଟିଆ ଦେଶୀଆ ଭାଷାର ଏକ ସୁନ୍ଦର ନାଟକ ଆଜି ଜନଜାତି କଳାକାରଙ୍କ ବହୁଭାଷୀ ନାଟକ ଉତ୍ସବରେ ଆଦିବାସୀ ମେଳାରେ ଉପସ୍ଥାପନ କରାଯାଇଥିଲା ।

ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ଉନ୍ନତ ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଥିଲା ।

କୋରାପୁଟ ଜିଲ୍ଲାର ଗୁଣ୍ଡାଲ୍ କୁଣ୍ଡ୍ରାର “ମାଆ ମଉଲି କଳା ପରିଷଦ”ର ନିର୍ଦେଶକ ସୁନ୍ଦରମାଲ୍ ବାରିକ ଏହି ଆଦିବାସୀ ବହୁଭାଷିକ ନାଟକ ଜରିଆରେ ମହତ୍ଵପୂର୍ଣ ସନ୍ଦେଶ ଦେଇଛନ୍ତି । ଯେଉଁଥିରେ ହଜାର ହଜାର ଦର୍ଶକ ଆକର୍ଷିତ ହେବା ସହ ନାଟକରେ ଭାଗ ନେଇଥିବା ସଦସ୍ୟଙ୍କୁ ଏକ ଅଦ୍ଭୁତ ଅନୁଭୂତି ଦେଇଛି।

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଷ୍ଟଝରଣର ‘ମା’ ଚିନ୍ତାମଣି ମୁଣ୍ଡାରୀ ଅପେରା’ର ମୁଣ୍ଡାରୀ ଭାଷାରେ ଆଜି ରାତିରେ ଦ୍ୱିତୀୟ ନାଟକ ହେଉଛି ‘ହେମଲ ଉମ୍ବୁଲ’ । ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ଏହି ନାଟକରେ କିଭଳି ଗୋଟିଏ ପରିବାର ନିଜ ମା’ଙ୍କୁ ଡାହାଣୀ ଭାବି ଅଲଗା କରିଦିଅନ୍ତି ଏବଂ ଅବୈଜ୍ଞାନିକ, ଅନ୍ଧବିଶ୍ୱାସୀଙ୍କ ବିରୋଧରେ ଏହି ନାଟକରେ ଏକ ଦୃଢ଼ ବାର୍ତ୍ତା ଦେଇଥିଲା ।

ଲେଖକ-ନିର୍ଦ୍ଦେଶକ-ଅଭିନେତା ଦଶରଥ ସିଂ ଅନୁଭବ କରିଛନ୍ତି ଯେ, ଆଦିବାସୀ ମେଳାରେ ପ୍ରଥମ ବହୁଭାଷୀ ନାଟକ ମହୋତ୍ସବ ନିଶ୍ଚିତ ଭାବରେ ଆଦିବାସୀ ସମ୍ପ୍ରଦାୟର ଅନ୍ୟମାନଙ୍କୁ ସୃଜନଶୀଳ ଚିନ୍ତାଧାରା ଗ୍ରହଣ କରିବାକୁ ଏବଂ ସେମାନଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ ।

ମୋବାଇଲ୍ ବିପଦ:

ମୋବାଇଲର ବିପଦ ବର୍ତ୍ତମାନ ଆମ ସମାଜ ପାଇଁ ବୋଝ ପାଲଟିଛି। ଜଣେ ଆଦିବାସୀ ଯୁବକ କିଭଳି ଏହାର ଶିକାର ହୋଇଛନ୍ତି ଏବଂ ତାଙ୍କ ଜୀବନ କିପରି ପ୍ରଭାବିତ ହେଉଛି । ଏହି ନିଶା ଯୋଗୁଁ ସେ କିପରି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ମୟୂରଭଞ୍ଜ ଜିଲ୍ଲା ଉଦଳା ଖଡିଆବାସାରୁ ଆସିଥିବା “ମାଁ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବ” ର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ମୁଣ୍ଡାରୀ ଭାଷାର ଶକ୍ତିଶାଳୀ ନାଟକ ମାଧ୍ୟମରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ।

ଶତ୍ରୁଘନ ସିଂହଙ୍କ ନିର୍ଦ୍ଦେଶିତ ଏହି ନାଟକ “ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା” ରେ ଲକ୍ଷ ଲକ୍ଷ ପିତାମାତା ଏବଂ ସେମାନଙ୍କ ପିଲାଙ୍କ ଦୁର୍ଦ୍ଦଶା ଏବଂ ଏହି ଯନ୍ତ୍ର ପ୍ରତି ରହସ୍ୟମୟ ଆକର୍ଷଣ କାରଣରୁ ଯୁବପିଢୀ କିପରି ବିଭ୍ରାନ୍ତ ହେଉଛନ୍ତି ତାହାକୁ ଉପଯୁକ୍ତ ଭାବେ ବର୍ଣ୍ଣନା କରିଛନ୍ତି ।

ଗତକାଲି ମୁଣ୍ଡାରୀ ଭାଷାରେ ଏହି ନାଟକ ପରେ ସାନ୍ତାଲି ନାଟକ “ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ” ନାମକ ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା । ଅନେକ ଆଦିବାସୀ ସମ୍ପ୍ରଦାୟରେ ନୃତ୍ୟ ଏବଂ ସଙ୍ଗୀତ ଭଳି ମନୋରଞ୍ଜନର ଅତ୍ୟଧିକ ବ୍ୟବହାର ଯୋଗୁଁ ସେମାନଙ୍କର ମୁଖ୍ୟସ୍ରୋତର କାର୍ଯ୍ୟକଳାପ ପ୍ରଭାବିତ ହେଉଛି ଏବଂ ସେମାନେ ଅତ୍ୟନ୍ତ ନିମ୍ନ ଆୟ ଏବଂ “ଅସନ୍ତୁଳିତ” ଜୀବନଶୈଳୀ ସହିତ ଜୀବନ ଯାପନ କରୁଛନ୍ତି ।

ସାନ୍ତାଳି ନାଟକର ନିର୍ଦ୍ଦେଶକ ଗଙ୍ଗାଧର ହେମ୍ବ୍ରମ କହିଛନ୍ତି ଯେ “ଏକ ସାଧାରଣ ବର୍ଗର ନାୟକ ତାଙ୍କ ଆଦିବାସୀ ଭାଇ ଓ ଭଉଣୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଉପଯୁକ୍ତ ଯୋଜନା ଏବଂ ଜୀବନର ସନ୍ତୁଳନ ସହିତ ସେ ଏକ ଆରାମଦାୟକ ଜୀବନ ଯାପନ କରୁଛନ୍ତି । କିନ୍ତୁ ତାଙ୍କ ଆଦିବାସୀ ବନ୍ଧୁମାନେ ଏବେ ବି ଯନ୍ତ୍ରଣା ଭୋଗୁଛନ୍ତି କାରଣ ଜୀବନ ପ୍ରତି ସେମାନଙ୍କର ଆଭିମୁଖ୍ୟ ଏକ ପ୍ରକାର ବିଭ୍ରାନ୍ତ ହେଉଛି ।

ନିଜ ସାନ୍ତାଳି ଭାଷାରେ ନାଟକ ପରିବେଷଣ ପାଇଁ ଏତେ ଚମତ୍କାର ମଞ୍ଚ ଯୋଗାଇ ଦେଇଥିବାରୁ ଶ୍ରୀ ହେମ୍ବ୍ରମ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଜନତା ମଇଦାନରେ ଅନୁଷ୍ଠିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଏକ ସମକାଳୀନ କାର୍ଯ୍ୟକ୍ରମ ଭାବେ ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ବହୁଭାଷୀ ଆଭିମୁଖ୍ୟ ଉପରେ ଏକ ସୁନ୍ଦର ବାର୍ତ୍ତା ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

“ଆଦିବାସୀ ଭାଷାର ବିବିଧତା ଆମ ରାଜ୍ୟ ପାଇଁ ଏକ ମହାନ ସମ୍ପତ୍ତି । ଆଦିବାସୀ ମେଳା ପଡ଼ିଆରେ ଆୟୋଜିତ ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ଆମ ପ୍ରତିଭାବାନ କଳାକାରମାନଙ୍କ ପାଇଁ ବଡ଼ ଏକ ସୃଜନଶୀଳ ପ୍ଲାଟଫର୍ମ ପାଲଟିଛି” ବୋଲି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ରୂପା ରୋଶନ ସାହୁ କହିଛନ୍ତି ।

ଲେଖକ ତଥା ନିର୍ଦ୍ଦେଶକ ରାଜ ଗାଇପାଇ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର “ପଣ୍ଡିତ ଲାକୋବୋଦ୍ରା ଡ୍ରାମାଟିକ୍ କ୍ଲବ”ରୁ ହୋ ଭାଷାରେ ଏକ ନାଟକ ‘ଆଦିବାସୀ’ ପରିବେଷଣ କରିବେ। ଏହି ସୁନ୍ଦର ନାଟକରେ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ଦୁର୍ଦ୍ଦଶା କୁ ଦର୍ଶାଯିବ। ମିଥ୍ୟା ପ୍ରତିଶ୍ରୁତି ସତ୍ତ୍ୱେ ଆଦିବାସୀ ମାନେ ସେମାନଙ୍କ ଜମି, ଜଙ୍ଗଲ ଏବଂ ସମସ୍ତ ଜିନିଷପତ୍ର ହରାଇ ଦୁଃଖ ଭୋଗୁଛନ୍ତି ବୋଲି ଦଳର ମ୍ୟାନେଜର ସମୟ ପୂର୍ତ୍ତି କହିଛନ୍ତି।

Leave A Reply

Your email address will not be published.