‘ମମତା’ ସହାୟତା ରାଶି ୧୦ହଜାର ଟଙ୍କାକୁ ବୃଦ୍ଧି, ଅଗଷ୍ଟରୁ ପିଛିଲା ଭାବେ ମିଳିବ

୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବକେୟା ରାଶି ହିତାଧିକାରୀଙ୍କୁ ମିଳିବ ।

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ତୁଷ୍ଟୀକରଣ ପାଇଁ ରାଜ୍ୟସରକାର ରାଜକୋଷ ଖୋଲି ଦେଇଛନ୍ତି । ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ର ସହାୟତା ରାଶି ଏଣିକି ୫ହଜାର ବଦଳରେ ୧୦ହଜାର ଟଙ୍କା ମିଳିବ । ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ । ନିର୍ବାଚନକୁ ଆଖିରେ ରଖି ମହିଳା ଭୋଟରଙ୍କୁ ଖୁସି କରିବା ପାଇଁ ସରକାର ମମତା ଯୋଜନାର ସହାୟତା ରାଶି ଦୁଇଗୁଣ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏବେ ଗର୍ଭବତୀ ମହିଳାମାନଙ୍କୁ ମମତା ଯୋଜନାରେ ୨ଟି କିସ୍ତିରେ ୫ହଜାର ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଗର୍ଭବତୀ ମହିଳାମାନେ ଏଣିକ ପ୍ରଥମ କିସ୍ତିରେ ୬ହଜାର ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୪ହଜାର ଟଙ୍କା ଏଭଳି ମୋଟ ୧୦ହଜାର ଟଙ୍କା ସହାୟତା ପାଇବେ । ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବକେୟା ରାଶି ହିତାଧିକାରୀଙ୍କୁ ମିଳିବ ।

ସେହିପରି ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ । ସେମାନଙ୍କ ପାଇଁ ଦୁଇଟି ସନ୍ତାନର ନିୟମକୁ ସରକାର କୋହଳ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ରାଜ୍ୟ ସରକାର ୨୦୧୧ ମସିହାରେ ନିଜସ୍ୱ ପାଣ୍ଠିରୁ ଏହି ମମତା ଯୋଜନା ଆରମ୍ଭ କରିଥିଲେ । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ପୁଷ୍ଟିହୀନତା ଦୂର କରିବାରେ ଏହି ଯୋଜନା ସହାୟକ ହେଉଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି । ମମତା ଯୋଜନାରେ ୧୯ବର୍ଷ ବୟସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ(ଗର୍ଭବତୀ ମହିଳାଙ୍କୁ) ଦୁଇଟି ଜୀବିତ ସନ୍ତାନ ପାଇଁ ଏହି ସହାୟତା ଦିଆଯାଇଥାଏ । ଏହି ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.