ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ, ସମର୍ଥନ ଜଣାଇଲା ବିଜେଡି

ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି।

ଭୁବନେଶ୍ୱର: କିଛି ଦିନ ହେବ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି। ଆଜି ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେଡି।  

୨୦୧୯ରେ ବି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି । ଚଳିତ ଥର ବି ନିଜ ସମର୍ଥନ ଦୋହରାଇବ ବୋଲି ଏପ ପ୍ରେସ୍‌ ରିଲିଜ ଜାରି କରି ଘୋଷଣା କରିଛି ବିଜେଡି।  

ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ  ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି। ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। 

ଅନ୍ୟପକ୍ଷରେ ଗତକାଲି ମଧ୍ୟ ବିଜେଡି ନିଜର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଧାୟକଙ୍କ ଉପସ୍ଥିତିରେ ୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛି । 

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସେ ଦଳୀୟ ମୁଖ୍ୟାଳୟକୁ ଯିବା ସହ ରେଳବାଇ ଓ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ। ରାତିରେ ରେଳବାଇ ଗେଷ୍ଟ ହାଉସରେ ରାତ୍ରୀ ଯାପନ ରହିବେ। ୧୫ ତାରିଖ ଗୁରୁବାର ସନ୍ଧ୍ୟା ୬.୪୦ରେ ଭୁବନେଶ୍ୱର ଛାଡ଼ିବେ। ତେବେ ସେହି ଦିନ ତାଙ୍କର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିନାହିଁ। କେବଳ ସ୍ଥାନୀୟ କାର୍ଯ୍ୟକ୍ରମ ବୋଲି ଉଲ୍ଲେଖ ରହିଛି। ତେଣୁ ସେ ଗୁରୁବାର ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ କରିବାର ଥିବା ଚର୍ଚ୍ଚା ହେଉଛି। 

ସୂଚନାଯୋଗ୍ୟ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି। ଏହି ୩ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ୧୫ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ବିଧାନସଭାରେ ବିଜେପିର ମାତ୍ର ୨୨ଜଣ ବିଧାୟକ ଥିବାବେଳେ ଜଣେ ପ୍ରାର୍ଥୀଙ୍କ ଜିତିବା ପାଇଁ ସର୍ବନିମ୍ନ ୩୭ଜଣ ବିଧାୟକଙ୍କ ସମର୍ଥନ ଜରୁରୀ।

Leave A Reply

Your email address will not be published.