ମାଲକାନଗିରି ଜିଲ୍ଲାରେ ଖରିଫ ଧାନ କିଣିବା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେଉନାହିଁ: ଟାର୍ଗେଟ ୧୦ ଲକ୍ଷ ୪୦ ହଜାର କ୍ୟୁଣ୍ଟାଲ, କିଣାଯାଇଛି ୯ ଲକ୍ଷ ୧୬ ହଜାର କ୍ୟୁଣ୍ଟାଲ

୧ ଲକ୍ଷ ୨୪ ହଜାର କ୍ୟୁଣ୍ଟାଲ ଧାନ ଗଲା କୁଆଡେ? ନାମକୁ ମାତ୍ର ସ୍କାଡ ଟିମ୍

ମାଲକାନଗିରି: ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଖରିଫ ଧାନ ଚାଷୀଙ୍କ ଠାରୁ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରୁନାହିଁ। ଜିଲ୍ଲାରେ ଖରିଫ ଧାନ ୩୯ ହଜାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ୧୦ ଲକ୍ଷ ୪୦ ହଜାର କ୍ୟୁଣ୍ଟାଲ ଧାନ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । କିନ୍ତୁ ତାହା ପୂରଣ ହେବା କଷ୍ଟ ହୋଇ ପଡୁଛି । ଜିଲ୍ଲାରେ ୬୮ଟି ମଣ୍ଡି ସେଣ୍ଟର ରହିଛି ଚାଷୀଙ୍କ ଧାନ ୮ଟି ଲ୍ୟାମ୍ପ, ୫ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ଏବଂ ୨୮ଟି ମିଲରଙ୍କ ମାଧ୍ୟମରେ ଚାଷୀଙ୍କ ଧାନ କିଣିବା ପାଇଁ ଅଂଶଗ୍ରହଣ କରିଛନ୍ତି। କିନ୍ତୁ ଡିସେମ୍ବର ୨୦ ତାରିଖରେ ମଣ୍ଡି ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୧୬ ହଜାର କ୍ୟୁଣ୍ଟାଲ୍ ଧାନ ଚାଷୀଙ୍କ ଠାରୁ କିଣାଯାଇଛି। ଜିଲ୍ଲାରେ ସମୁଦାୟ ୩୯ ହଜାର ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିଲା । କେବଳ ୨୫ ହଜାର ଚାଷୀଙ୍କ ଧାନ କିଣାଯାଇଛି ବଳକା ୧୪ ହଜାର ଚାଷୀଙ୍କ ଧାନ ପ୍ରାୟ ୧ ଲକ୍ଷ ୨୪ ହଜାର କ୍ୟୁଣ୍ଟାଲ ଧାନ କିଣିବା ପାଇଁ ବାକି ରହିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ୧ ଲକ୍ଷ କ୍ୟୁଣ୍ଟାଲରୁ ଅଧିକ ଧାନ ଗଲା କୁଆଡେ ? ୬୮ଟି ମଣ୍ଡିରେ ଖାଁ ଖାଁ ଲାଗୁଛି, ଧାନ ନାହିଁ ତେବେ ଧାନ ଜିଲ୍ଲାରୁ ଗଲା କୁଆଡେ ବୋଲି ସାଧାରଣରେ ଅଭିଯୋଗ ଉଠିଛି। କେତେକ ଚାଷୀଙ୍କ ଅଭିଯୋଗ ହେଲା ମାଲକାନଗିରି ଜିଲ୍ଲାରେ ମଣ୍ଡି ନଭେମ୍ବର ମାସରେ ଆରମ୍ଭ ହୋଇଥିଲେ ଠିକ୍ ଥାଆନ୍ତା । ଜିଲ୍ଲାରେ ମଣ୍ଡିରେ ସୁରୁଖୁରୁ ଚଳାଇବା ଚାଷୀଙ୍କ ଧାନ ଯେପରି ଅନ୍ୟ ରାଜ୍ୟକୁ ନଯାଏ ଏବଂ ଚୋରା ଚାଲାଣକୁ ରୋକିବା ପାଇଁ ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ସ୍କାଡ ଟିମ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠନ କରାଯାଇଥିଲେ ଭି ଏହା କେବଳ ନାମକୁ ମାତ୍ର । ଜିଲ୍ଲା ସୀମାନ୍ତ ପଡିଆ ବ୍ଲକର କମାରଗୁଡା, ମାଲକାନଗିରି ବ୍ଲକର ସୀମାନ୍ତ ସୁକୁମା, ଦୋର୍ଣାପଲ ପଦ୍ମଗିରି, ମୋଟୁ ସୀମାର ମୁକୁଳା ବାଟ ଦେଇ ଛତିଶଗଡ, ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହେଉଛି। ସୀମାନ୍ତ ଛତିଶଗଡ ରାଜ୍ୟରେ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କା ରହିଥିବା ବେଳେ ଓଡ଼ିଶାରେ କ୍ୟୁଣ୍ଟାଲ ପିଛା ଧାନ ୨୧୮୩ ଟଙ୍କା ରହିଛି। ଅସାଧୁ ବ୍ୟବସାୟୀ ଓ ଦଲାଲ ମାନେ ଚାଷୀଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ କିଣି ଛତିଶଗଡ଼ ରାଜ୍ୟକୁ ଚୋରା ବାଟ ଦେଇ ପଠାଉ ଥିବାର ଅଭିଯୋଗ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାରେ ଖରିଫ ଧାନ ୩୮୫୨୪ ଜଣ ଚାଷୀଙ୍କ ଠାରୁ ୧୨ ଲକ୍ଷ ୧୬ ହଜାର କ୍ୟୁଣ୍ଟାଲ ଧାନ କ୍ରୟ କରାଯାଇଥିଲା । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୧ ଲକ୍ଷ ୬୮ ହଜାର କ୍ୟୁଣ୍ଟାଲ ଧାନ ୩୫୩୫୭ ଜଣ ଚାଷୀଙ୍କ ଠାରୁ ସରକାର କ୍ରୟ କରିଥିଲେ କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ଟାର୍ଗେଟ ୧୦ ଲକ୍ଷ ୪୦ ହଜାର କ୍ୟୁଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୧୬ ହଜାର କ୍ୟୁଣ୍ଟାଲ ଧାନ ୨୫ ହଜାର ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଛି । ବଳକା ୧୪ ହଜାର ଚାଷୀଙ୍କ ଧାନ ପ୍ରାୟ ୧ ଲକ୍ଷ ୨୪ ହଜାର କ୍ୟୁଣ୍ଟାଲ ଧାନ ଗଲା କୁଆଡେ ? କେବେ ଏ ଲକ୍ଷ ଧାର୍ଯ୍ୟ ପୂରଣ ହେବ କି ନାହିଁ ତାହା ସନ୍ଦେହ ଘେରରେ । ଚଳିତ ବର୍ଷରେ ଧାନ କିଣା କମିଲା କାହିଁକି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Leave A Reply

Your email address will not be published.