ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି।
ଗତକାଲି ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଥିଲେ। ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଥିଲେ। ଏଥି ସହିତ ସେ ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କ ଜରିଆରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଥିଲେ। ସୁରେନ୍ଦ୍ର ସିଂ ଭୋଇ ୨୦୦୯ରେ ଟିଟିଲାଗଡ଼ ବିଧାନସଭା ଆସନରୁ ବିଧାୟକ ଭାବରେ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ।
ସୂଚନାଯୋଗ୍ୟ ଶ୍ରୀ ଭୋଇ କଂଗ୍ରେସ ସହିତ ୩୮ ବର୍ଷ କାମ କରିଥିଲେ। ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।