ଭୋଟର ସଚେତନତା ଶୋଭାଯାତ୍ରା ଉଦଘାଟିତ

ମାଲକାନଗିରି,୩୦/୦୩/୨୦୨୪: ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ସଦର ମହକୁମାରେ ଏକ ରାଲି ଆୟୋଜନ କରାଯାଇଛି। ସ୍ଥାନୀୟ ବ୍ଲକ୍ ପଡିଆ ଠାରୁ ଏହା ଆରମ୍ଭ ହୋଇ ଡିଏନକେ ଛକ, ପୁରୁଣା ମେଡ଼ିକାଲ ଛକ ଅତିକ୍ରମ କରି ଶେଷରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ୍ ପାୱାର ଏହି ରାଲିକୁ ଉଦଘାଟନ କରିଥିଲେ। ସହରାଞ୍ଚଳ ଭୋଟରଙ୍କ ଅନୁପାତ ବୃଦ୍ଧି, ସ୍ବତନ୍ତ୍ର ଭୋଟର ଯେପରିକି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କିନ୍ନର ଗୋଷ୍ଠୀଙ୍କ ଅଧିକରୁ ଅଧିକ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ ଏବଂ ଯୁବ ଭୋଟରଙ୍କ ମଧ୍ୟରେ ସଚେତନତା କରିବା ଏହି ରାଲିର ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ମତଦାନ ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ଗଠନରେ ସାମିଲ ହେବା ନିମନ୍ତେ ଶ୍ରୀ ପାୱାର ସମସ୍ତଙ୍କୁ ଅପିଲ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ଵ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ, ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝୋଡ଼ିଆ ଓ ଅତିରିକ୍ତ ତହସିଲଦାର, ଉମେଶ ପୂଜାରୀ ଏଥିରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଧ୍ୟାପକ ଅଧ୍ୟାପିକା, ଜିଲ୍ଲା ଯୁବ ଅଧିକାରୀ, ନେହେରୁ ଯୁବ କେନ୍ଦ୍ରର କର୍ମଚାରୀ ଓ ନିର୍ବାଚନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.