xmas

“ଗୁଣିଗାରେଡି ଓ ଗଣମାଧ୍ୟମ” ଶୀର୍ଷକ ଆଲୋଚନା ସଭା

ଗତ ୧୧ ବର୍ଷରେ ଡାହାଣୀ ଗୁଣିଆଁ ସନ୍ଦେହରେ ୬୦୬ ଜଣଙ୍କୁ ହତ୍ୟା
ଭୁବନେଶ୍ୱର, ତା ୨୧.୦୪.୨୦୨୪: ଆମ ରାଜ୍ୟରେ ଗତ ୧୧ ବର୍ଷରେ ଡାହାଣୀ ଗୁଣିଆଁ ସନ୍ଦେହରେ ୬୦୬ ଜଣଙ୍କୁ ହତ୍ୟା କରାଯାଇଥିବାର ଚାଞ୍ଚଲ୍ୟକର ତଥ୍ୟ ବିଶିଷ୍ଟ ହେତୁବାଦୀ ଚିନ୍ତକ ଦେବେନ୍ଦ୍ର ସୁତାର ତାଙ୍କ ନୂତନ ପୁସ୍ତକ “ଡାହାଣୀର କାହାଣୀ”ରେ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ “ଗୁଣିଗାରେଡି ଓ ଗଣମାଧ୍ୟମ” ଶୀର୍ଷକ ଆଲୋଚନା ସଭା ଏବଂ ଉକ୍ତ ପୁସ୍ତକର ପାଠକାର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ସଭାରେ ରାଜ୍ୟ ମାନବ ଅଧିକାର ଆୟୋଗ ସଭ୍ୟ ଅସୀମ ଅମିତାଭ ଦାସ, ବରିଷ୍ଠ ସାମ୍ବାଦିକ ରବି ଦାସ, କବି କେଦାର ମିଶ୍ର, ସ୍ତମ୍ଭକାର ଭାସ୍କର ପରିଚ୍ଛା, ସାମ୍ବାଦିକା ଗାର୍ଗୀ ଶତପଥୀ, ସୁପ୍ରିୟା ଦାଶ, ସମାଜସେବୀ ତାପସୀ ପ୍ରହରାଜ ପ୍ରମୁଖ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ । ଗାଳ୍ପିକ ଦେବାଶୀଷ ସାମନ୍ତରାୟ ପ୍ରାରମ୍ଭିକ ସୁଚନା ଦେଇଥିଲେ ।

ଏହି ଗବେଷଣା ପୁସ୍ତକର ତଥ୍ୟକୁ ଆଧାର କରି ଏକ ରିପୋର୍ଟ ଲେଖକ ଉପସ୍ଥାପନ କରି କହିଲେ ଯେ, ୧୧ ବର୍ଷରେ ହତ୍ୟା କରାଯାଇଥିବା ୬୦୬ ଜଣଙ୍କ ମଧ୍ୟରୁ ୨୨୪ ଜଣ ମହିଳା, ୨୮୪ ଜଣ ପୁରୁଷ ଏବଂ ୯୮ ଜଣ ଶିଶୁ ଅନ୍ତର୍ଭୁକ୍ତ । ଗତ ୧୧ ବର୍ଷ ମଧ୍ୟରେ ଡାହାଣୀ ଗୁଣିଆ ସନ୍ଦେହରେ ମୟୁରଭଞ୍ଜ ଜିଲ୍ଲାରେ ୧୧୦ ଜଣଙ୍କୁ, କେନ୍ଦୁଝର ଜିଲ୍ଲାରେ ୯୭ ଜଣଙ୍କୁ, ସୁନ୍ଦରଗଡ ଜିଲ୍ଲାରେ ୬୭ ଜଣଙ୍କୁ, ଗଞ୍ଜାମ ଜିଲ୍ଲାରେ ୪୦ ଜଣଙ୍କୁ, ରାୟଗଡା ଜିଲ୍ଲାରେ ୩୭ ଜଣଙ୍କୁ, ମାଲକାନଗିରି ଜିଲ୍ଲାରେ ୩୧ ଜଣଙ୍କୁ ଓ କୋରାପୁଟ ଜିଲ୍ଲାରେ ୨୫ ଜଣଙ୍କୁ ହତ୍ୟା କରାଯାଇଛି । ମୋଟ ହତ୍ୟାକାଣ୍ଡର ୬୭ ଭାଗ ଏହି ସାତୋଟି ଜିଲ୍ଲାରେ ଘଟିଛି । ସର୍ବାଧିକ ଡାହାଣୀ ଗୁଣିଆ ପ୍ରବଣ ଥାନା ଗୁଡିକୁ ମଧ୍ୟ ଚିହ୍ନଟ କରାଯାଇ ପାରିଛି । ମୟୁରଭଞ୍ଜ ଜିଲ୍ଲାର ଯଶୀପୁର, ଶରତ, ତିରିଙ୍ଗ, ରାଇରଙ୍ଗପୁର, ବାଦାମପାହାଡ, କେନ୍ଦୁଝର ଜିଲ୍ଲାର ଯୋଡା, ବାମେବାରୀ, ଘଷିପୁରା, ସୁନ୍ଦରଗଡ ଜିଲ୍ଲାର କୋଇଡା, କେ. ବଳଙ୍ଗା, ବଣାଇଁ, ରାୟଗଡା ଜିଲ୍ଲାର ପୁଟାସିଂ, ବନ୍ଧୁଗାଁ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ବୁଗୁଡା, କୋଦଳା, ତାରାସିଂ ଥାନା ଅଞ୍ଚଳ ଗୁଡିକୁ ଅତ୍ୟନ୍ତ ଡାହାଣୀ ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ରାଜ୍ୟରେ ଘଟିଥିବା ପ୍ରତ୍ୟେକଟି ଆରୋପ, ହତ୍ୟାକାଣ୍ଡ ନିର୍ଯ୍ୟାତନା ଘଟଣାର ମୂଳକାରଣ ଅନ୍ଧବିଶ୍ୱାସ ଉପରେ ଲୋକଙ୍କର ଥିବା ବଦ୍ଧମୂଳ ଧାରଣା ସହ ୮୩ ଭାଗ ସ୍ୱାସ୍ଥ୍ୟ ଏବଂ ୧୭ ଭାଗ ଅନ୍ୟାନ୍ୟ କାରଣ ଯୋଗୁ ଘଟିଛି । ଡାହାଣୀର ପ୍ରକୋପ ଗୋଟିଏ ଗାଁ ଭିତରେ ହିଁ ସୀମାବଦ୍ଧ । ତେଣୁ ଶତକଡା ୧୮ ଭାଗ ହତ୍ୟାକାରୀ ରକ୍ତ ସଂପର୍କୀୟ ଅର୍ଥାତ ପୁଅ, ପୁତୁରା, ଭାଇ, ଜ୍ୱାଇଁ, ନାତି ଓ ବୋହୁ ଇତ୍ୟାଦି । ୩୬ ଭାଗ ହତ୍ୟାକାରୀ ଗାଁର ପଡୋଶୀ କିମ୍ବା ଗ୍ରାମର କୌଣସି ବ୍ୟକ୍ତି । ୪୧ ଭାଗ ହତ୍ୟାକାଣ୍ଡ ଗ୍ରାମବାସୀ ମିଳିତ ଭାବେ କରିଥିବା ବେଳେ ୫ ଭାଗ ହତ୍ୟାକାଣ୍ଡ କେହି ଅଜଣା ଦୁବୁର୍ତ୍ତ ଘଟାଇଥିବା ଜଣାଯାଏ ।

ଆରୋପ କରାଯାଇଥିବା ବ୍ୟକ୍ତିଙ୍କୁ ଅକଥନୀୟ ନିର୍ଯ୍ୟାତନା ଏବଂ ନୃଶଂସ ହତ୍ୟା କରାଯାଇଥାଏ । ମହିଳାଙ୍କୁ ଉଲଗ୍ନ କରିବା, ଲଣ୍ଡା କରିବା, ଚେଙ୍କ ଦେବା, ଦାନ୍ତକୁ ଭାଙ୍ଗିବା, ଅଭକ୍ଷ୍ୟ ଖୁଆଇବା, ମାଡ ମାରିବା, ବାସନ୍ଦ କରିବା, ଘରୁ ତଡିଦେବା ଆଦି ନିର୍ଯ୍ୟାତନା ଦିଆଯାଇଥାଏ । ସେହିପରି ଟାଙ୍ଗିଆରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେବା, ମୁଣ୍ଡକୁ ଧରି ଥାନାରେ ପହଞ୍ôଚବା, ଠେଙ୍ଗାରେ ପିଟିପିଟି ମାରିଦେବା, ପଥରରେ ମୁଣ୍ଡକୁ ଛେଚିଦେବା, ମାରିମାରି ଚେତାଶୂନ୍ୟ ଅବସ୍ଥାରେ ଅଖାରେ ପୁରାଇ ନଦୀରେ ଫିଙ୍ଗିଦେବା, କିମ୍ବା ମାଟିତଳେ ପୋତିଦେବା, ପେଟ୍ରୋଲ ଢାଳି ଜାଳିଦେବା, ଅତର୍କିତ ଭାବେ ଆକ୍ରମଣ କରି ହାଣି ପକାଇବା, ହାତ ଗୋଡ ବାନ୍ଧି ଜିଅନ୍ତା ଜଳାଇଦେବା ଇତ୍ୟାଦି ନୃଶଂସ ହତ୍ୟାକାଣ୍ଡ ଘଟିଥାଏ ।

ଆଦିତ୍ୟ ଭାରତ ଏବଂ ଓଡିଶା ଗୁଣି ଗାରେଡି ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ସଭାରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧି, ସାମାଜିକ କର୍ମକର୍ତ୍ତା, ଆରୋପର ଶିକାର ହୋଇଥିବା ବ୍ୟକ୍ତି, ବୁଦ୍ଧିଜୀବୀ, ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.