ଭୁବନେଶ୍ୱର, ୨୬/୦୪/୨୦୨୪: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ରମେଶ କୁମାର ପୁରୋହିତଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଓ ପଦ୍ମପୁର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ରମେଶ କୁମାର ପୁରୋହିତଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ପାଟଣାଗଡ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ରମେଶ କୁମାର ପୁରୋହିତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ମିଶ୍ରଣ ପର୍ବରେ ପ୍ରତୀକ କୁମାର ନାୟକ, ହରେକୃଷ୍ଣ ମେହେର, ଲିଲୁରାମ ଜୈନ, ରାଜୁ ନାଗ, ଋଷିରାଜ ନାଗ, ପ୍ରକାଶ ପୁରୋହିତ, ବାପି ସାମଲ, ଜେତା ସାହୁ, ବସନ୍ତ ବୁଡେକ, ହିରାଧର ଗୁରୁ, ଦୀପ୍ତି ସିଂହ ଗୁରୁ ଓ ରାଧାମାଧବ ବାରିକଙ୍କ ସହ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।