ଗଣତନ୍ତ୍ରର ମହାନ ପର୍ବରେ ଉତ୍ସାହର ସହ ସାମିଲ ହେଲେ ମତଦାତା, ସ୍ଵାଭିମାନ ଅଞ୍ଚଳର ଅନେକ ଗ୍ରାମରେ ପ୍ରଥମ ଥର ପାଇଁ ଇଭିଏମରେ ମତଦାନ କାଲେ ଲୋକେ: ସାଧାରଣ ଲୋକଙ୍କ ପରି ଜିଲ୍ଲାପାଳ ମଧ୍ୟ ଧାଡିରେ ରହି ଦେଲେ ଭୋଟ

ମାଲକାନଗିରି, ୧୩।୫: ରାଜ୍ୟରେ ପ୍ରଥମ ପ୍ରର୍ଯାୟ ମତଦାନ ଆଜି ଅନୁଷ୍ଠିତ ହୋଇଥିବା ବେଳେ ଏହି କ୍ରମରେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାତା ମାନେ ଉତ୍ସାହର ସହ ମତଦାନ କରିଛନ୍ତି । ଆଜି ଜିଲ୍ଲାର ମୋଟ ୫୪୭ଟି ମତଦାନ କେନ୍ଦ୍ରରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ମତଦାନ ପାଇଁ ଲୋକଙ୍କ ଲମ୍ବା ଲାଇନ ଓ ପ୍ରବଳ ଉତ୍ସାହ ଗଣତନ୍ତ୍ରର ଏହି ମହାନ ପର୍ବର ମହତ୍ଵକୁ ପ୍ରତିପାଦନ କରୁଥିଲା । ତେବେ ମାଲକାନଗିରି ଜିଲ୍ଲା ଏକ ମାଓ ଉପଦ୍ରବ ଜିଲ୍ଲା ଭାବେ ପୂର୍ବରୁ ପରିଗଣିତ ହେଉଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଅନେକ ସୁଧାର ଆସିବା ସହ ମାଓ ମୁକ୍ତ ହେଉଥିବାରୁ ଜିଲ୍ଲାର ଅନେକ ଆଭ୍ୟନ୍ତରିଣ ଅଞ୍ଚଳରେ ବୀନା ଭୟ ମନ ଖୋଲି ଭୋଟ ଦେବାକୁ ଆଗଭର୍ର ହେଉଥିବା ଦେଖିବାକୁ ମିଳିଛି । ଏହାସହ ଜିଲ୍ଲାର ସ୍ଵାଭିମାନ ଅଙ୍କହଳରେ ଥିବା ଅନେକ ଗ୍ରାମରେ ଲୋକେ ପ୍ରଥମ ଥର ପାଇଁ ଇଭିଏମ ମେସିନ ଦ୍ଵାରା ମତଦାନ କରିଥିବା ବେଳେ ଅନେକ ମତଦାତା ପ୍ରଥମ ଥର ପାଇଁ ନିଜ ଗ୍ରାମରେ ହିଁ ମତଦାନ କରିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ସ୍ଵାଭିମାନ ଅଞ୍ଚଳରେ ଲୋକେ ବେସ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆଜି ମତଦାନ କେନ୍ଦ୍ରରେ ମତଦାତା ମାନେ ସକାଳୁ ମତଦାନ ପାଇଁ ଯାଇଥିବା ବେଳେ କିଛି ମତଦାନ କେନ୍ଦ୍ରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିବା ବେଳେ ଏହାର ତ୍ଵରିତ ସମାଧାନ ଉପରେ ପ୍ରଶାସନିକ ଅଧିକାରୀ ମାନେ ପଦକ୍ଷେପ ନେଇ ସମାଧାନ କରିଥିଲେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଜିଲ୍ଲାରେ ମୋଟ ୬୫.୮୮ ପ୍ରତିଷ୍ଟ ମତଦାନ ହୋଇଥିବା ବେଳେ ମତଦାନ ଜାରି ରହିଥିବା ଦେଖିବାକୁ ମିଳିଛି ।

୫୪୭ ବୁଥରେ ମତଦାତାଙ୍କ ଲମ୍ବା ଲାଇନ:
ମାଲକାନଗିରି ଜିଲ୍ଲାରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ମୋକ ପୋଲିଂ ଆରମ୍ଭ ନହେଉଣୁ ହିଁ ଭୋଟର ମାନେ ଧାଡି ଲଗେଇବା ଆରମ୍ଭ କରିଦେଇଥିଲା । ସମସ୍ତ ବୁଥରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ମତଦାନ କରି ଲୋକେ ଅନେକ ଉତ୍ସାହିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରଭାହ ସତ୍ବେ ଲୋକେ ଘରୁ ବାହାରି ମତଦାନ ପାଇଁ ଆଗକୁ ଆସିବା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଥିଲେ । ମତଦାତାଙ୍କ ସଂଖ୍ୟା ଢେର ଅଧିକ ଥିବାରୁ ମତଦାନ ସମୟ ଶେଷ ହୋଇଥିବା ସତ୍ବେ ମଧ୍ୟ ସଷ ସହ ସଂଖ୍ୟାରେ ମତଦାତା ମତଦାନ କେନ୍ଦ୍ର ପରିସରରେ ଧାଡିବାନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବିଶେଷ କରି ବୃଦ୍ଧା ଓ ବୟସ୍କ ଭୋଟର ମାନେ ମଧ୍ୟ ଧାଡିରେ ଛିଡା ହୋଇ ମତଦାନ କରିବା ଓ ଦିବ୍ୟାଙ୍ଗ ମାନେ ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଅଧିକ ଉତ୍ସାହ ଓ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

ଧାଡିରେ ରହି ଜିଲ୍ଲାପାଳ ଓ ଏସପି ଦେଲେ ମତଦାନ:
ଆଜି ପ୍ରଥମ ପ୍ରର୍ଯାୟ ମତଦାନ ଅବସରରେ ମାଲକାନଗିରି ଜିଲ୍ଲାରେ ସମସ୍ତ ମତଦାନ କେନ୍ଦ୍ରରେ ନିଜର ମତ ଓ ଅଧିକାର ଜାହିର କରିବା ପାଇଁ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖା ଦେଇଥିବା ବେଳେ ମତଦାତା ମାନେ ଲମ୍ବା ଧାଡିରେ ରହି ମତଦାନ କରିଥିଲେ । ତେବେ ସମସ୍ତଙ୍କ ପରି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଓ ଏସପି ନିତେଶ ୱାଧୱାନି ମଧ୍ୟ ଲୋକଙ୍କ ସହ ମିଶି ଲମ୍ବା ଧାଡିରେ ରହି ମତଦାନ କରିଥିଲେ । ଯାହାକି ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ସମ୍ମାନ ବୃଦ୍ଧି କରିଥିଲା । ଉଭୟ ଅଧିକାରୀ ଚାହିଁଥିଲେ ସ୍ଵତନ୍ତ୍ର ରୂପେ ଖୁବ କମ ସମୟ ମଧ୍ୟରେ ମତଦାନ କରି ପାରିଥାନ୍ତେ, କିନ୍ତୁ ସେମାନେ ସାଧାରଣ ଲୋକଙ୍କ ପାରି ହିଁ ଧାଡିରେ ରହି ଭୋଟ ଦେଇ ନିଆରା ଉଦାହରଣ ସୃଷ୍ଟି କରିଥିଲେ ।

ଲୋକଙ୍କୁ ଆକୃଷ୍ଠ ପାଇଁ ଶଖି ଓ ୟଙ୍ଗ ବୁଥ:
ମତଦାନ ବଢାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଯୁବ ପିଢୀ ଓ ମହିଳାଙ୍କୁ ଆକୃଷ୍ଠ କରିବା ପାଇଁ ମାଲକାନଗିରି ଜିଲ୍ଲାରେ ୩୦ଟି ଶଖି ବୁଥ ଓ ୧୦ଟି ୟଙ୍ଗ ବୁଥ କରଯାଇଥିଲା । ଶଖି ବୁଥରେ କେବଳ ମହିଳା କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହା ମହିଳା ମାନଙ୍କୁ ଅଧିକ ଆକୃଷ୍ଠ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ୟଙ୍ଗ ବୁଥରେ ୩୦ ବର୍ଷରୁ କମ ବୟସ୍କ ତଥା ଯୁବା କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହା ଯୁବ ପିଢୀର ଭୋଟରଙ୍କୁ ବେସ ଆକୃଷ୍ଠ କରିପାରିଥିବା ଦେଖିବାକୁ ମିଳିଛି ।

ବଣ୍ଡା ଘାଟିରେରେ ଆଦିମ ଜନଜାତିଙ୍କ ମତଦାନ:
ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡା ମାନେ ସମୁଦ୍ର ପତନରୁ ୫୦୦୦ ଫୁଟ ଉପରେ ରହୁଥିବା ବେଳେ ଅନେକ ମାତ୍ରାରେ ସେମାନେ ପରିବର୍ତ୍ତନଶୀଳ ସମାଜ ସହ ଖାପ ଖୁଆଇ ଆଗକୁ ବଢିଛନ୍ତି । ତେବେ ସେମାନେ ନିଜର ଭୋଟର ମୂଲ୍ୟ ବୁଝି ପାରିଥିବା ସହ ନିଜେ ମତଦାନ କରିବା ପାଇଁ ବେସ ଆଗ୍ରହ ପ୍ରକାଶ କରିଥିବା ସହ ଆଜିର ମତଦାନ ପ୍ରକ୍ରିୟାରେ ଅଧିକାଂଶ ମାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ଧାଡିରେ ରହି ବଣ୍ଡା ମହିଳା ମାନେ ନିଜର ପାରମ୍ପରିକ ବେସ ବୁଷା ସହ ମତଦାନ କରାଇଥିବା ସହ ନିଜର ଅଧିକାରୀ ସାବ୍ୟସ୍ତ କରି ବେସ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

କିଛି ସ୍ଥାନରେ ଇଭିଏମ ଅଚଳ ପାଇଁ ଭୋଟ ଦାନ ବିଳମ୍ବ:
ମାଲକାନଗିରି ଜିଲ୍ଲାରେ ଆଜି ସକାଳୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛି ମତଦାନ କେନ୍ଦ୍ରରେ ଇଭିଏମ ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀ ମାନେ ଏହି ସମସ୍ୟା ଉପରେ ତ୍ଵରିତ ପଦକ୍ଷେପ ନେଇ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ତେବେ କିଛି ସ୍ଥାନରେ ସମସ୍ୟା ଯଥା ଶୀଘ୍ର ସମାଧାନ ହୋଇଥିବା ବେଳେ କିଛି ହାତ ଗଣତି ବୁଥରେ ଭୋଟର ମାନଙ୍କୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧିକ ସମସ୍ୟା ଯାଏଁ ଅମତଦାନ ପାଇଁ ଅପେକ୍ଷା କରିବାକୁ ପଡିଥିବା ଦେଖିବାକୁ ମିଳିଥିଲା ।

ମତଦାତାଙ୍କ ସହ ପ୍ରାର୍ଥୀ ମାନେ ମଧ୍ୟ ଦେଲେ ଭୋଟ:
ମାଲକାନଗିରି ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାରେ ମତଦାତା ମାନେ ନିଜର ମତ ଜାହିର କରିବା ପାଇଁ ଉତ୍ସାହର ସହ ଧାଡି ବାନ୍ଧି ଠିଆ ହୋଇଥିବା ବେଳେ ପ୍ରାର୍ଥୀ ମାନେ ମଧ୍ୟ ଏହି ଧାଡିରେ ରହି ନିଜର ମତ ସାବ୍ୟସ୍ତ କରିଥିଲେ । ପ୍ରାର୍ଥୀ ମାନେ ସାଧାରଣ ଲୋକଙ୍କ ସହ ଧାଡିରେ ରହି ହର୍ଷ ଉଲ୍ଲାସର ସହ ନିଜର ମତ ସାବ୍ୟସ୍ତ କରିବା ସହ ସୁସ୍ଥ ଗଣତନ୍ତ୍ର ଗଠନ ପାଇଁ ସମସ୍ତଙ୍କୁ ମତଦାନ କରିବାକୁ ଆବାହନ ଦେଇଥିଲେ ।

ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ:
ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଥିବା ବେଳେ ଆଜି ସେମାନଙ୍କ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଥିଲା । ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତ ଉପରେ ବ୍ୟବସ୍ଥା, ଜଳଛତ୍ର,ପର୍ଯ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ବୁଥ୍ ରେ ନିର୍ବାଚନରେ ନିୟୋଜିତ ଅଧିକାରୀ ତଥା ମତଦାତାଙ୍କୁ ସହାୟତା ନିମନ୍ତେ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବିଙ୍କୁ ନିୟୋଜିତ କରାଯାଇଥିବା ସହ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡ଼ାକଡ଼ି କରାଯାଇଥିଲା । ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ଏହାର ସୁରକ୍ଷା ପାଇଁ ଠୋସ ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଥର ପାଇଁ ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ ହେଉଥିବାରୁ ଏହି ଅଞ୍ଚଳର ଯନ୍ତ୍ରୀ ଓ ସନ୍ୟାସୀଗୁଡା ଠାରେ ମତଦାନ କେନ୍ଦ୍ର କରାଯାଇଥିଲା । ପୋଲିଂ ଅଧିକାରୀଙ୍କ ଯାତାୟାତର ମଧ୍ଯ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇ ଲଞ୍ଚ ଯୋଗେ ସେମାନଙ୍କୁ ପଥ ଯାଇଥିଲା । ଯେହେତୁ ମାଲକାନଗିରି ଜିଲ୍ଲା ଅନ୍ୟ ରାଜ୍ୟ ସୀମା ସହ ସଂଲଗ୍ନ ରହିଛି ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୀମା ସୁରକ୍ଷା ବାହିନୀ ଏଥି ନିମନ୍ତେ ମୁତୟନ କରଯାଇଥିଲା ।

Leave A Reply

Your email address will not be published.