ଓଡିଶା ପ୍ରଗତିର ପ୍ରତିବନ୍ଧକ ସାଜିଛି ବିଜେପି ଶାସିତ କେନ୍ଦ୍ର ସରକାର: ବିଜେଡି

ରେଳ ସାନ୍ଦ୍ରତା କ୍ଷେତ୍ରରେ ପୂର୍ବଭାରତ ରାଜ୍ୟମାନଙ୍କ ଭିତରେ ଓଡିଶା ସର୍ବନିମ୍ନ
ଓଡିଶାର ୭ଟି ଜିଲ୍ଲା ଏବେ ବି ରେଳ ଶୂନ୍ୟ
ରାଜ୍ୟର ପାଞ୍ଚଟି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲକୁ କେନ୍ଦ୍ରର ନା
ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଏବେ ବି ଦିବାସ୍ବପ୍ନ

ଭୁବନେଶ୍ୱର, ୨୯/୦୫/୨୦୨୪:: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ ଓଡ଼ିଶାର ବିଭିନ୍ନ ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଆସୁଥିବାର ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ତଥା ମିଡ଼ିଆ କୋର୍ଡ଼ିନେଟର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ଶ୍ରୀମତୀ ମହନ୍ତ କହିଥିଲେ, ରେଳବାଇ କ୍ଷେତ୍ରରେ କ୍ରମାଗତ ଭାବେ ଅବହେଳାର ଶିକାର ହୋଇଆସୁଛି ଓଡ଼ିଶା। କେନ୍ଦ୍ରରେ ଥିବା ସରକାର ମାନଙ୍କ ଦ୍ବାରା ସ୍ବାଧୀନତାର ୭୬ ବର୍ଷ ପରେ ବି ଓଡ଼ିଶାକୁ ଏହାର ହକ୍ ମିଳି ପାରିନାହିଁ। ଓଡ଼ିଶାର ରେଳପଥ ସାନ୍ଦ୍ରତା ଯେ କେବଳ ଜାତୀୟ ହାରାହାରି ସାନ୍ଦ୍ରତା ଠାରୁ କମ୍ ରହିଛି ତାହା ନୁହେଁ, ଝାଡ଼ଖଣ୍ଡ ଓ ପଶ୍ଚିମବଂଗ ଭଳି ପଡ଼ୋଶୀ ରାଜ୍ୟଠାରୁ ମଧ୍ୟ ଯଥେଷ୍ଟ ପଛରେ ରହିଛି। ପୂର୍ବ ଭାରତର ବିକାଶ କଥା ବାରମ୍ବାର ଡିଣ୍ଡିମ ପିଟା ଯାଉଥିବା ବେଳେ, ଓଡ଼ିଶା ପୂର୍ବ ଭାରତର ରାଜ୍ୟ ମାନଙ୍କ ତୁଳନାରେ ରେଳ ସାନ୍ଦ୍ରତା କ୍ଷେତ୍ରରେ ସବୁଠାରୁ ତଳେ ରହିଛି। ରେଳ ସାନ୍ଦ୍ରତା ଉପରେ ପୂର୍ବ ଭାରତର ରାଜ୍ୟ ମାନଙ୍କ ତଥ୍ୟ ଦେଇ କହିଥିଲେ ଆସାମର ରେଳ ସାନ୍ଦ୍ରତା ୩୧.୫୧୯ ମିଟର ପ୍ରତି ବର୍ଗକିଲୋମିଟର ରହିଥିଲା ବେଳେ ବିହାରର ୩୯.୬୧୭ ମିଟର ପ୍ରତି ବର୍ଗକିଲୋମିଟର, ଝାରଖଣ୍ଡର ୩୦.୦୩୮ ମିଟର ପ୍ରତି ବର୍ଗକିଲୋମିଟର, ପଶ୍ଚିମବଙ୍ଗର ୩୧.୧୪୦ ମିଟର ପ୍ରତି ବର୍ଗକିଲୋମିଟର ରହିଛି। ଏହି ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ରେଳ ସାନ୍ଦ୍ରତା ୧୬.୫୧୯ ମିଟର ପ୍ରତି ବର୍ଗକିଲୋମିଟର, ଅର୍ଥାତ୍‌ ସର୍ବନିମ୍ନ ରହିଛି। ଅନ୍ୟପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ ରେଳବାଇ ବିଭାଗ ଓଡ଼ିଶାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛି। ଆଜି ବି ରାଜ୍ୟର ୭ଟି ଜିଲ୍ଲା ରେଳସେବାରୁ ବଂଚିତ ହୋଇ ରହିଛି।

ଓଡ଼ିଶାରେ ରେଳବାଇର କୌଣସି ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଏବଂ ୫୦ ପ୍ରତିଶ୍ରତ ଅର୍ଥ ପ୍ରଦାନ କରୁଥିଲେ ହେଁ ଏଯାଏ ଅନେକ ରେଳ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇ ପାରୁ ନାହିଁ। ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ଯଥା, ପାରାଦୀପ-ହରିଦାସପୁର, ବୁଢାମରା– ଚାକୁଲିଆ, ବାଙ୍ଗିରିପୋଷି – ଗୋରୁ ମହିଷାଣୀ, ବାଦାମ ପାହାଡ – କେଉଁଝର, ତାଳଚେର – ବିମଲାଗଡ, ଜୟପୁର-ନବରଂଗପୁର, ଜୟପୁର-ମାଲକାନଗିରି, ଖୋର୍ଦ୍ଧ–ବଲାଙ୍ଗୀର ଇତ୍ୟାଦି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ସେହିପରି ବାଙ୍ଗିରିପୋଷି-ରୁପସା ରେଳ ଲାଇନ ସିଙ୍ଗଲ ଲାଇନ ଥିବା ଫଳରେ ଯାତ୍ରା ବିଳମ୍ବ ହେଉଛି ଏବଂ ଗୁଡ୍ସ ଟ୍ରେନ ବାରିପଦା ଓ ବାଙ୍ଗିରିପୋଷି ଯାଇପାରୁ ନାହିଁ। ନୂଆଗଁ। ଷ୍ଟେସନ ଠାରୁ ଠାକୁର ତୋଟା ଷ୍ଟେସନ ବାଇପାସ ଲିଙ୍କ ନିର୍ମାଣ ସକାଶେ ବାରମ୍ବାର ଦାବି ହେଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହା ଫଳରେ ବାରିପଦାରୁ କଲିକତା ଟ୍ରେନ ସିଧା ଯାତାୟାତ କରିପାରୁ ନାହିଁ। ସପ୍ତାହକୁ ଥରେ ଚଳାଚଳ କରୁଥିବା ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନକୁ ପ୍ରତେକ ଦିନ ଚାଲୁ କରିବା ପାଇଁ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ସପ୍ତାହକୁ ଚାରି ଦିନ ଚାଲୁଥିବା ଭଞ୍ଜପୁର-ଶାଲିମାର ଟ୍ରେନକୁ ସପ୍ତାହରେ ୭ ଦିନ ଚାଲିବାକୁ ଦାବି ହୋଇଆସୁଛି। ଶାଲିମାର ବଦଳରେ ହାଓ୍ବାଡ଼ାକୁ ସଂଯୋଗୀକରଣ ହେଲେ ରେଳଯାତ୍ରୀ ଅଧିକା ଉପକୃତ ହେବେ। ବାରମ୍ବାର ଦାବି କରିବା ସତ୍ତ୍ବେ ବାଙ୍ଗିରିପୋଷି ଘାଟି ଜାତୀୟ ରାଜପଥକୁ ପ୍ରଶସ୍ତିକରଣ ନକରିବାରୁ ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଓଡ଼ିଶା ସରକାରଙ୍କ ଦ୍ବାରା ବିକଳ୍ପ ବାଇପାସ ରାସ୍ତା ନିର୍ମାଣ କରାଯାଉଛି। ମୟୂରଭଞ୍ଜ ସ୍ଥିତ ବମ୍ବେ ଛକରେ ଦୀର୍ଘ ଦିନ ଧରି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ ସମ୍ପୂର୍ଣ୍ଣ ନ ହେବା ଫଳରେ ଏହି ରାସ୍ତା ଏବେ ମରଣଜନ୍ତା ପାଲଟିଛି।

ଆମ ରାଜ୍ୟ ଜନସଂଖ୍ୟାର ୨୨.୮୫% ଆଦିବାସୀ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରୁ ଆଦିବାସୀ ମାନଙ୍କ ନାର୍ଯ୍ୟ ହକ ଆଜି ଯାଏଁ ମିଳିପାରିନାହିଁ। ହୋ, ମୁଣ୍ଡାରୀ, ଭୂମିଜ, କୁଇ ଓ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହୋଇ ପାରିନାହିଁ। ଅପରପକ୍ଷରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ୨୩ଟି ଜିଲ୍ଲାରେ ସ୍ପେଶାଲ ଡେଭେଲପମେନ୍ଟ କାଉନସିଲ (SDC) ଗଠନ କରି ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ ଜାରି ରଖିଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ତାପନ ସକାଶେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

୨୦୧୫ ମସିହାରେ କେନ୍ଦ୍ର ସରକାର ଓଡ଼ିଶାର ସାତଟି କୋଷ୍ଟାଲ ଜିଲ୍ଲାକୁ ସଂଯୋଗ କରି ଏକ କୋଷ୍ଟାଲ ରାଜପଥ ତିଆରି କରିବା ପାଇଁ ଘୋଷଣା କରିଥିଲେ। ଏହି ଉପକୂଳ ଜାତୀୟ ରାଜପଥ ନିର୍ମାଣ ହେଲେ ଗମନା ଗମନ ସୁବିଧା ହେବା ସଙ୍ଗେ ବାଣିଜ୍ୟ, ଶିଳ୍ପ ଓ ଟୁରିଜିମ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇ ପାରିବ ବୋଲି କୁହା ଯାଇଥିଲା। ବାରମ୍ବାର ରାଜ୍ୟ ସରକାର ଓ ବିଜୁ ଜନତା ଦଳର ସାଂସଦ ମାନେ ପାର୍ଲିଆମେଣ୍ଟରେ ଏ ବିଷୟ ଉତଥାପନ କଲେ ମଧ୍ୟ କେନ୍ଦ୍ର ସରକାର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ନିର୍ବାଚନ ସମୟରେ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି ନେତା ମାନେ ଯଦି ଟିକେ ଆଗ୍ରହ ପ୍ରକାଶ କରିଥାନ୍ତେ ତାହେଲେ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଜିଲ୍ଲା ସହିତ ରାଜ୍ୟର ଅର୍ଥନୀତି ସୃଦୃଢ ହୋଇପାରିଥାନ୍ତା ।

Leave A Reply

Your email address will not be published.