ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ପ୍ରଥମ କୋଲାଞ୍ଜିଓସ୍କୋପି ଓ ପୋଏମ ସର୍ଜରୀ

କଟକ: ଚିକିତ୍ସା ବିଜ୍ଞାନରେ ପୁଣି ଏକ ନୂତନ ଅଧ୍ୟାୟ ଯୋଡ଼ିଛି ଏସ.ସି.ବି. ମେଡିକାଲ କଲେଜ । ଏସ.ସି.ବି. ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗ ପକ୍ଷରୁ ସରକାରୀ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ରାଜ୍ୟରେ ମାଗଣାରେ କରାଯାଇଛି କୋଲାଞ୍ଜିଓସ୍କୋପି ଓ ପୋଏମ ସର୍ଜରୀ । ଏଥି ନିମନ୍ତେ ଏକ ଦିନିକିଆ କର୍ମଶାଳା ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀସ୍ଥିତ ମ୍ୟାକ୍ସ ହସ୍ପିଟାଲର ବରିଷ୍ଠ ଡାକ୍ତର ବିକାଶ ଶିଙ୍ଗଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ । ଏତଦ ଦ୍ୱାରା କେଉଁଝର, ସୋନପୁର ଓ କଟକ ଜିଲ୍ଲାର ୩ ଜଣ ରୋଗୀଙ୍କର ସଫଳ ଚିକିତ୍ସା ସମ୍ଭବ ହୋଇପାରିଛି ଏବଂ ସମସ୍ତ ରୋଗୀ ସୁସ୍ଥ ରହିଛନ୍ତି ।

ରାଜ୍ୟ ଚିକିତ୍ସା ବିଜ୍ଞାନରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ସବୁ ସମୟରେ ନୂତନ ଅଧ୍ୟାୟ ସୃଷ୍ଟି କରି ଆସିଛି । ଏଥର କଷ୍ଟକର ପିତ୍ତନଳୀ ଷ୍ଟୋନ ଏବଂ ଆକାଲସିଆ କାର୍ଡିଆ ଭଳି ରୋଗର ଚିକିତ୍ସାରେ ବ୍ୟବହୃତ ଆଡ଼ଭାନ୍ସ ଏଣ୍ଡୋସ୍କୋପିକ ସର୍ଜରୀ କ୍ଷେତ୍ରରେ ସଫଳତା ମିଳିଛି । ଏହି ପଦ୍ଧତି ବ୍ୟବହାର ଦ୍ୱାରା ଆଉ ପେଟଚିରି ଅସ୍ତ୍ରୋପଚାର କରିବାକୁ ପଡେ ନାହିଁ । ବେସରକାରୀ ଡାକ୍ତରଖାନା ଏଭଳି ପଦ୍ଧତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କଟକ ବଡ ମେଡିକାଲରେ ସମ୍ପୂର୍ଣ୍ଣ ମାଗଣାରେ ଏହି ସୁବିଧା ପାଇପାରିବେ ରାଜ୍ୟବାସୀ । ଆଗକୁ ଏଭଳି ନୂତନ ପଦ୍ଧତିର ଅସ୍ତ୍ରୋପଚାର ନିୟମିତ ଭାବରେ କରିବାର ପ୍ରୟୋଜନ ରହିଛି ଏବଂ ଏଥିପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ରାଜ୍ୟ ସରକାର ଯୋଗାଇ ଦେବେ ।

ଏହି ଅସ୍ତ୍ରୋପଚାର କରାଯିବା ଉଦେଶ୍ୟରେ ଅନୁଷ୍ଠିତ ଦିନିକିଆ କର୍ମଶାଳାରେ ଏସସିବି ଅଧିକ୍ଷକ ପ୍ର.ଡା. ସୁଧାଂଶୁ ଶେଖର ମିଶ୍ର, ଓଡିଶା ହେଲଥ ୟୁନିଭରସିଟି କୁଳପତି ପ୍ର.ଡା. ମାନସ ରଞ୍ଜନ ସାହୁ, ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗୀୟ ମୁଖ୍ୟ ପ୍ର.ଡା. ହରିଭକ୍ତି ସେବା ଦାସ ଓ ପ୍ର.ଡା. ଚିତ୍ତରଞ୍ଜନ ପଣ୍ଡା, ହେପାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ର.ଡା. ସୁଶାନ୍ତ ଜେନା ଓ ପ୍ର.ଡା. ଉଲେଶ ଚନ୍ଦ୍ର ପାତ୍ର, ଶଲ୍ୟ ଚିକିତ୍ସା ବିଭାଗର ପ୍ର.ଡା. ରାଜେଶ କୁମାର ଡୋରା, ପ୍ର.ଡା. ପ୍ରମୋଦ ପଳେଇ ଓ ପ୍ର.ଡା. ଲକ୍ଷ୍ମୀଧର ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଆସିଥିବା ଡାକ୍ତର ବିକାଶ ଶିଙ୍ଗଲା ଏହି ଅତ୍ୟାଧୁନିକ ଏଣ୍ଡୋସ୍କୋପିକ ସର୍ଜରୀ ପଦ୍ଧତି ସମ୍ପର୍କରେ ଏସ.ସି.ବି.ର ବିଶେଜ୍ଞ ଓ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗ୍ୟାଷ୍ଟ୍ରୋଏଂଟେରୋଲୋଜି ବିଭାଗ ଆଶୋଷିଏଟ ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା, ଆସିଷ୍ଟାଂଟ୍ ପ୍ରଫେସର ଡାକ୍ତର କୈବଲ୍ୟ ରଞ୍ଜନ ଦାଶ ଓ ଡାକ୍ତର ସମୀର ହୋତା ଏହି କର୍ମଶାଳା ପରିଚାଳନାର ଦାୟିତ୍ୱ ବହନ କରିଥିଲେ ।

Leave A Reply

Your email address will not be published.