ଉଦ୍‌ଘାଟନକୁ ବିତିଲା ଦୁଇ ସପ୍ତାହେ, ମଣ୍ଡିରେ ପଡ଼ି ରହିଛି ଶହଶହ କୁଇଣ୍ଟାଲ ଚିନାବାଦାମ

ମାଲକାନଗିରି ୧୪/୦୬: ମାଲକାନଗିରି ଜିଲ୍ଲା କାଲିମେଳା ମଣ୍ଡିରେ ପଡ଼ି ରହିଛି ଶହଶହ କୁଇଣ୍ଟାଲ ଚିନାବାଦାମ । ମଣ୍ଡି ଉଦ୍‌ଘାଟନ ହେଇ ଦୁଇ ସପ୍ତାହ ବିତିଗଲା, କିନ୍ତୁ ଆଜିବି ପଡ଼ି ରହିଛି ଶହଶହ କୁଇଣ୍ଟାଲ ଚିନାବାଦାମ । ମାଲକାନଗିରି ଜିଲ୍ଲାରେ ମେ ମାସ ୨୯ ତାରିଖ ଦିନ ଚିନାବାଦାମ ଓ ମୁଗ ମଣ୍ଡି ଉଦ୍‌ଘାଟିତ ହୋଇଥିଲା। ହେଲେ ଉଦ୍‌ଘାଟନର ୨ ସପ୍ତାହ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମଣ୍ଡିରୁ ଚିନାବାଦାମ କି ମୁଗ କିଣାଯାଇ ପାରିନାହିଁ । ଫଳରେ ମଣ୍ଡି ଗୁଡ଼ିକରେ ଶହ ଶହ କୁଇଣ୍ଟାଲ ଚିନାବାଦାମ ପଡ଼ି ରହିଛି। କାଲିମେଳା ବ୍ଲକରେ ଆଜି ପର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇପାରିଲା ନାହିଁ।ତେଣୁ ମଣ୍ଡିରେ ଚିନାବାଦାମ ଏବଂ ମୁଗ ବିକ୍ରି କରିବାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ସ୍ଥିର କରାଯାଇଥିବା ମଣ୍ଡି ଗୁଡ଼ିକରେ ଚାଷୀମାନେ ଆଗୁଆ ଟୋକେନ୍ ନେଇ ନିଜର ଜମିରେ ଉତ୍ପାଦିତ ଚିନାବାଦାମ ଆଣି ରଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମଣ୍ଡି ଆରମ୍ଭ ହୋଇପାରି ନାହିଁ। ତେବେ ସୋମବାର ଦିନ ଏମପିଭି-୮୧, ମଙ୍ଗଳବାର କାଲିମେଳା, ବୁଧବାର ଦିନ ଏମଭି-୭୯ ଓ ଭେଜାଙ୍ଗିବାଡ଼ା, ଗୁରୁବାର ଉଣ୍ତକୋଣ୍ଡା, ଶୁକ୍ରବାର ଦିନ ପୁଷୁଗୁଡ଼ା ଓ ଚିତ୍ରାଙ୍ଗପାଲୀରେ ଚିନାବାଦାମ ମଣ୍ଡି କରାଯିବାକୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥିର କରାଯାଇଛି | ତେବେ ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ବିଧିବଦ୍ଧ ନିର୍ଦ୍ଦେଶ ଆସି ନଥିବାରୁ ଚିନାବାଦାମ ମଣ୍ଡି ଆରମ୍ଭ ହୋଇପାରିନଥିବା ସୂଚନା ମିଳିଛି । ପ୍ରାୟ ଏକ ସପ୍ତାହେ ହେଲା କାଲିମେଳା ମଣ୍ଡିରେ ପ୍ରାୟ ୪ ଶହ କୁଇଣ୍ଟାଲ ଚିନାବାଦାମ ପଡ଼ି ରହିଥିବା ବେଳେ ଚାଷୀମାନେ ନିଜ ଫସଲକୁ ଜଗି ରହିଥିବାର ଦେଖିବାକୁ ମିଳିଛି। ଏହି ମଣ୍ଡିରେ ନିରଂଜନ ମିସ୍ତ୍ରୀ, କୃଷ୍ଣପଦ ବେପାରୀ, ଅଜିତ ଅଧିକାରୀ, ମହାନନ୍ଦ ଗୋଲଦାର ଓ ଜଗା ପଡ଼ିଆମୀଙ୍କ ପରି ଅନେକ ଚାଷୀଙ୍କର ଶହ ଶହ କୁଇଣ୍ଟାଲ ଚିନାବାଦାମ ଗଛିତ ରହିଥିବା ବେଳେ କେବେ ମଣ୍ଡି ଆରମ୍ଭ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ଏ ସଂପର୍କରେ କାଲିମେଳା ଲ୍ୟାମ୍ପସ ଏମଡି କହିଛନ୍ତି ରାଜ୍ୟରେ ନୂତନ ସରକାର ଗଠିତ ହୋଇଥିବା ବେଳେ ନିର୍ଦ୍ଦେଶ ଆସିବା କ୍ଷଣି ଖୁବଶୀଘ୍ର ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଚିନାବାଦାମ କିଣାଯିବ ବୋଲି ପ୍ରକାଶ କରିଥିଲେ।

Leave A Reply

Your email address will not be published.