‍ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

ନିଜ ପାଖରେ ଏହି ସବୁ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର ଗଠନ ହେବାର ୩ଦିନ ପରେ ଆଜି ମନ୍ତ୍ରୀମାନଙ୍କୁ ବିଭାଗ ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ  ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୨ଜଣ(ବିଧାନସଭା ସଦସ୍ୟଙ୍କ ୧୫ପ୍ରତିଶତ) ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଜେପି ନିଜର ମନ୍ତ୍ରିମଣ୍ଡଳର ସଂଖ୍ୟାକୁ ୧୬ଜଣଙ୍କ ମଧ୍ୟରେ ସୀମିତ ରଖିଛି । ତେବେ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାହାରିକୁ ଆବଂଟନ କରାଯାଇନି । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ୬ଟି ବିଭାଗକୁ ନିକଟ ଭବିଷ୍ୟତରେ ଆଉ କିଛି ମନ୍ତ୍ରୀଙ୍କୁ ସାମିଲ କରି ଅନ୍ୟ କାହାକୁ ଆବଂଟନ କରାଯାଇପାରେ ବୋଲି ଜଣାପଡ଼ିଛି ।

ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ରଘୁବର ଦାସ ଆଜି ନିଜ କ୍ଷମତାର ଉପଯୋଗ କରି ମନ୍ତ୍ରୀମାନଙ୍କୁ ବିଭାଗ ଆବଂଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ସହ କାହାରିକୁ ଆବଂଟିତ ହୋଇନଥିବା ବିଭାଗକୁ ନିଜ ପାଖରେ ରଖିଛନ୍ତି । ଅର୍ଥ ବିଭାଗ କାହାରିକୁ ଦିଆଯାଇନଥିବା ସମ୍ଭବତଃ ଏହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ।

ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସହ ଶକ୍ତି ବିଭାଗ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମିଳିଛି ।

କ୍ୟାବିନେଟ୍ ମନ୍ତ୍ରୀ

  • ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ
  • ରବିନାରାୟଣ ନାଏକ – ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ
  • ନିତ୍ୟାନନ୍ଦ ଗଣ୍ଡ- ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି-ଜନଜାତି-ସଂଖ୍ୟାଲଘୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
  • କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ପୃଥ୍ୱୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ ଓ ଅବକାରୀ
  • ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି
  • ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
  • କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହନିର୍ମାଣ ଓ ନଗରଉନ୍ନୟନ, ସାଧାରଣ ଉଦ୍ୟୋଗ

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)

  • ଗଣେଶରାମ ସିଂ ଖୁଂଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
  • ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ପ୍ରଦୀପ ବଳ ସାମନ୍ତ- ସମବାୟ, ହସ୍ତତନ୍ତ-ବୟନଶିଳ୍ପ ଓ ହସ୍ତଶିଳ୍ପ
  • ଗୋଲକଚନ୍ଦ୍ର ମଲ୍ଲିକ- ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଏମଏସଏମଇ
  • ସମ୍ପଦ ଚନ୍ଦ୍ର ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
Leave A Reply

Your email address will not be published.