ଗଛକୁ ଧକ୍କା ଦେଲା କାର, ୫୦ ଫୁଟ ଦୂରକୁ ଛିଟିକି ପଡି ଚାଳକ ମୃତ

ମାଲକାନଗିରି,୨୫।୬: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସିଙ୍ଗାଲବେଚା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ମାଥିଲି ଥାନା ନିକଟସ୍ତ ପାଙ୍ଗମ ଗ୍ରାମର ତାପସ କୁମାର ମିତ୍ର ବୟସ (୨୮) । ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତରୁଣ ଏକ ସେଣ୍ଟ୍ରୋ ଗାଡି ନଂ ସିଜି ୧୮ସି ୦୬୭୫ରେ ଜୟପୁର ଠାରୁ ମାଥିଲି ଅଭିମୁଖେ ଆସୁଥିଲେ । ତେବେ ଗାଡିଟି ଦ୍ରୁତଗତିରେ ଥିବା ଯୋଗୁଁ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଏକ କଟାଗଛର ଖୁଣ୍ଟ ଉପରେ ଚଢିଯାଇ ଏକ ବରଗଛରେ ପିଟିହୋଇ ଥିଲା । ଫଳରେ ଗାଡିଟି ପ୍ରାୟ ୨୦ ଫୁଟ ଉପରକୁ ଉଠିଥିବା ବେଳେ ଚାଳକ ତରୁଣ ଗାଡ଼ିରୁ ଛିଟିକି ପଡି ଗଛ ଡାଳରେ ପିଟି ହୋଇ ଅନ୍ୟ ଏକ ରାସ୍ତା ଉପରେ ପଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.