xmas

ଜଣେ ଅଧିକାରୀରେ ଚାଲିଛି ଇସ୍ପାତ ଓ ଖଣି କାର୍ଯ୍ୟାଳୟ; ୩ ମାସରେ ୧୧ ଲକ୍ଷ ଜୋରିମାନା ଆଦାୟ, ୨ ବାଲିଘାଟକୁ ବନ୍ଦ କଲା ବିଭାଗ

ମାଲକାନଗିରି, ୨୩/୭: ମାଲକାନଗିରି ଜିଲ୍ଲାରେ ଚାଲିଥିବା ବାଲିଘାଟ ଗୁଡିକରେ କପରି ଚାଲିଛି ବେପାର ତାକୁ ନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଘନ ଘନ ଚଢାଉ ହେଉଛି। ତେବେ ଏହି ଚଢାଉରେ ଆବଶ୍ୟକ ପରିମାଣର କର୍ମଚାରୀ ନଥିବାରୁ ବହୁ ସମୟରେ ଚଢାଉ ହୋଇପାରୁନଥିବା ଜଣାପଡିଛି। ମାଲକାନଗିରି ଇସ୍ପାତ ଓ ଖଣି କାର୍ଯ୍ୟାଳୟରେ ମାତ୍ର ଜଣେ ହିଁ ଖଣି ଅଧିକାରୀ ରହିଛନ୍ତି। ଜଣେ ଖଣି ଅଧିକାରୀ ସାରା ଜିଲ୍ଲାକୁ ବୁଲି ବାଲିଘାଟର ତଦାରଖ କରିବା ଏବଂ ବେଆଇନ ବାଲି ଚାଲଣ ରୋକିବା କେତେ ଦୁର ସମ୍ଭବ ତାହା ସହଜରେ ଅନୁମେୟ। ଜିଲ୍ଲାରେ ୧୯ଟି ବାଲିଘାଟ ରହିଛି।ସେଥିମଧ୍ୟରୁ ଦୁଇଟି ବାଲିଘାଟ ବେଆଇନ ଭାବେ ଚୁକ୍ତିନାମକୁ ଖିଲାପ କରିଥିଲେ। ଏହି ଦୁଇ ବାଲିଘାଟ ହେଲା ପାଙ୍ଗାମ ଓ ପୋଡାଗୁଡା। ଏହି ଦୁଇ ବାଲିଘାଟ ଯେତିକି ହେକ୍ଟରରୁ ବାଲି ଉଠାଇବା କଥା ତାଠାରୁ ଅଧିକା ହେକ୍ଟରରୁ ବାଲି ଉଠାଉଥିଲେ। ତେଣୁ ଏହି ଦୁଇ ବାଲିଘାଟକୁ ତଦନ୍ତ ପରେ ବନ୍ଦ କରିଦିଆଯାଇଛି। ଏହି ଦୁଇ ବାଲିଘାଟର ତଦନ୍ତ କରିଥିଲେ ଜଣେ ଦକ୍ଷ ସ୍ବୀକୃତିପ୍ରାପ୍ତି ଖଣି ଅଧିକାରୀ। ଏହାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ସ୍ଥାନୀୟ ଖଣି ଅଧିକାରୀ ସତେନ୍ଦ୍ର ସରଦାର ପ୍ରକାଶ କରିଛନ୍ତି।ବର୍ତ୍ତମାନ ଜିଲ୍ଲାରେ ଚାଲିଥିବା କାଲିମେଳା ବ୍ଲକର ତାମନପାଲୀ ବାଲିଘାଟ ଓ ଗିରକାନପାଲି ବାଲିଘାଟ,ମୋଟୁ ଅଂଚଳରେ ଚାଲିଥିବା ଉସକାଲବାଗ ବାଲିଘାଟ, ଖଇରପୁଟ ବ୍ଲକର ଶିଖପାଲି ବାଲିଘାଟ, କମଳାପଦର ବାଲିଘାଟ ଓ ଗୋବିନ୍ଦପାଲୀ ବାଲିଘାଟ, ଚିତ୍ରକୋଣ୍ଡା ବ୍ଲକର ଓର୍କେଲ ବାଲିଘାଟ, କୁଡୁମୁଲୁଗୁମ୍ମା ବ୍ଲକର ଚିତାପାରି ବାଲିଘାଟ ଓ ଗୋଟିଗୁଡା ବାଲିଘାଟ, ମାଲକାନଗିରି ବ୍ଲକର ଚିଡୁପାଲୀ ବାଲିଘାଟ, ପୁଲିମେଟଲା ବାଲିଘାଟ ଓ କୋଡେଲମେଟଲା ବାଲିଘାଟ, ମାଥିଲି ବ୍ଲକର ମେକା ବାଲିଘାଟ, ଗାଙ୍ଗରାଜଗୁମ୍ମା ବାଲିଘାଟ, ମାଳିଗୁଡା ବାଲିଘାଟ, ଖଇରପାଲୀ ବାଲିଘାଟ ଓ ଚାଉଳମେନ୍ଦି ବାଲିଘାଟ। ତେବେ ଏହି ବାଲିଘାଟ ଗୁଡିକ ବିଭାଗ ସହ କରିଥିବା ଚୁକ୍ତିନାମାରେ କେତେ ହେକ୍ଟର ମଧ୍ୟରୁ ବାଲି ଉଠାଇବାର ନିୟମ ରହିଥିବା ବେଳେ ଏମାନେ ସେତିକିରେ ସୀମିତ ରହିଛନ୍ତି ନା ଏହି ବାଲିଘାଟ ଗୁଡିକ କରିଥିବା ଚୁକ୍ତିନାମା ଠାରୁ ଅଧିକା ଅଂଚଳରୁ ବାଲି ଉଠାଣ କରୁଛନ୍ତି ତାହା ମଧ୍ୟ ଏବେ ତଦନ୍ତ ସାପେକ୍ଷ।ଚଳିତ ମାସ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ମାଲକାନଗିରି ଇସ୍ପାତ ଓ ଖଣି ବିଭାଗ ତରଫରୁ ୧୧ ଲକ୍ଷ ଟଂକା ଜୋରିମାନା ଆଦାୟ କରାଯାଇଥିବା ବିଭାଗ କହିଛି । ତେବେ ଜଣେ ଅଧିକାରୀରେ ବଳକା ୧୭ଟି ବାଲିଘାଟକୁ ନିୟମିତ ତଦାରଖ କରିବା ଏବଂ ଏକା ସାଙ୍ଗରେ ଅଫିସ କାର୍ଯ୍ୟକୁ ତରାନ୍ବିତ କରିବା ସମ୍ଭବ ହେଉନଥିବା ସ୍ଥାନୀୟ ଖଣି ଅଧିକାରୀ ସତ୍ୟନ୍ଦ୍ର ସରଦାର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟାଳୟରେ ଜଣେ ଅତିରିକ୍ତ ଖଣି ଅଧିକାରୀ ରହିବା ସହ ୩ ଜଣ ଜୁନିଅର ଖଣି ଅଧିକାରୀ ଓ ଅନ୍ୟ କର୍ମଚାରୀ ରହିବା କଥା କିନ୍ତୁ ମାତ୍ର ଜଣେ ଅଧିକାରୀରେ ଚାଲିଛି କାର୍ଯ୍ୟାଳୟ। ପୂର୍ବରୁ ରାଜସ୍ବ ବିଭାଗ ବାଲିଘାଟ ଗୁଡିକରେ ଚଢାଉ କରାଯିବା ସହ ବେଆଇନ ବାଲି ଚାଲାଣକୁ ରୋକ ଲଗାଉଥିଲା। ତେବେ ସରକାର ରାଜସ୍ବ ବିଭାଗରୁ ଏହି ଦାୟୀତ୍ବ ଉଠାଇ ଖଣି ବିଭାଗକୁ ହସ୍ତାନ୍ତର କଲେ। ଏବେ ପୁଣି ଖଣି ବିଭାଗ ଏହାର ଉଚିତ ତଦନ୍ତ କରିନପାରି ଏଥିରେ ତହସିଲକୁ ସାମିଲ କରିବା ନେଇ ସରକାରଙ୍କୁ ଜଣାଇଥିବା ଜଣାପଡିଛି।

Leave A Reply

Your email address will not be published.