ଯୋଗ୍ୟ ତାଲିକା ଶୀଘ୍ର ପ୍ରକାଶ କରୁ ପ୍ରଶାସନ: କଳା ଓ ଖେଳ ଶିକ୍ଷକ ସଂଘ

ବଲାଙ୍ଗିର:ଗ୍ରାମାଞ୍ଚଳରେ କଳା ଓ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପାଇଁ ମୋଟ ୧୯୦ଟି ପଦବୀ ବିଜ୍ଞାପନ ପ୍ରକାଶ ପାଇଥିଲା। ଯେଉଁଥିରେ କ୍ରୀଡ଼ା ଶିକ୍ଷକ ପାଇଁ ୨୧ଟି ଥିବା ବେଳେ କଳା ଶିକ୍ଷକ ପାଇଁ ୧୬୯ଟି ପଦବୀ ପ୍ରକାଶ ପାଇଥିଲା। ଆବେଦନର ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ ନିଯୁକ୍ତିକୁ ନେଇ ଅନ୍ଧାରରେ ରଖାଯାଇଥିବା ବଲାଙ୍ଗିର ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଛି।
ଗୁରୁବାର ଏନେଇ ବଲାଙ୍ଗିର ଜିଲା କଳା ଓ ଖେଳ ଶିକ୍ଷକ ସଂଘ ପକ୍ଷରୁ ଜିଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି ପ୍ରକାଶିତ ନିଯୁକ୍ତି ସମ୍ପର୍କରେ ଦାବି ଜଣାଇଛନ୍ତି। ଆବେଦନର ଦୀର୍ଘ ୨ ବର୍ଷ ପରେ ନିଯୁକ୍ତିର ପ୍ରକୃତ ତାଲିକା ପ୍ରକାଶ କରା ନଯିବା ନିଯୁକ୍ତିକୁ ନେଇ ସନ୍ଦେହ ଉପୁଜିଛି ବୋଲି ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିବା ବେଳେ ଉପରୁ କିଛି ଚିଠି ଆସିନି କହି ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି। ୨ ଦଫା ଦାବି ଉପସ୍ଥାପନ ପୂର୍ବକ ଶୀଘ୍ର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ, ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡିଥିବା କଳା ଓ ଖେଳ ଶିକ୍ଷକ ତୁରନ୍ତ ନିଯୁକ୍ତି କରିବା ପାଇଁ ଜିଲା ସଂଘ ପକ୍ଷରୁ ଦାବି କରାଯାଇଛି। ଜିଲାପାଳଙ୍କୁ ସଂଘ ପକ୍ଷରୁ ଶାନ୍ତନୁ ମେହେର, ଜାୟାରାମ ପଟ୍ଟନାୟକ, ଭବାନୀ ଶଙ୍କର ସେଠ, ଭରତ କ୍ଷତୀ, ସୁଶୀଳ ମେହେର,ପ୍ରମିଳା ହଂସ,ଦୂତୀୟା ରଣା, ଯୁଗଳ ଜାଲ, ମାନସ ରଂଜନ ସେଠ, ହରେକୃଷ୍ଣ ପଟେଲ, ବଘାମ୍ବର ଦୀପ, ମୟୂରୀ ପଟେଲ, ବିକାଶ ଷଡ଼ଙ୍ଗୀଙ୍କ ସମେତ ଶତାଧିକ ଆଶାୟୀ ପ୍ରାର୍ଥୀ ଜିଲାପାଳ ଶ୍ରୀ ରାଣାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଶ୍ରୀ ରାଣା ଦାବି ସମ୍ପର୍କରେ ଅବଗତ ହେବା ସହ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଜିଲାପାଳ ପ୍ରତିଶ୍ରୁତି ନରଖନ୍ତି ତାହା ହେଲେ କଳା ଓ ଖେଳ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.