ମମତା ମହାନ୍ତ ‘ଏକ୍ସ’ ଲେଖିଛନ୍ତି, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି।
ଭୁବନେଶ୍ବର: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଛନ୍ତି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା। ୨୦୨୬ ମସିହା ଏପ୍ରିଲ ମାସରେ ସରିଥାନ୍ତା ମମତାଙ୍କ କାର୍ଯ୍ୟକାଳ । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ କାହିଁକି ଇସ୍ତଫା ଦେଲେ ଏବଂ ଇସ୍ତଫା ପରେ କ’ଣ ରହିବ ତାଙ୍କ ପଦକ୍ଷେପ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଅଟନ୍ତି ମମତା ମହାନ୍ତ ।
ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ବି ଇସ୍ତଫା ଦେଲେ ମମତା । ବିଜେଡିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ‘ଏକ୍ସ’ରେ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି ମମତା ମହନ୍ତ ।
ସେପଟେ ମମତା ମହାନ୍ତ ‘ଏକ୍ସ’’ ଲେଖିଛନ୍ତି, ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି। ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଏବଂ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ବୋଲି ମମତା ଲେଖିଛନ୍ତି।
ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା। ତେଣୁ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ। ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ। ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ମମତା ଲେଖିଛନ୍ତି।
କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ ମମତା ମହାନ୍ତ। ନିଜ ସମ୍ପ୍ରଦାୟ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝରରେ ବହୁ ଲୋକ ଅଛନ୍ତି।
୨୦୧୧ରେ ରାଜନୀତିରେ ପାଦ ଥାପିଥିବା ମମତା ୨୦୧୨ରେ ବିଶୋଇ ବ୍ଲକ୍ର ୩୪ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସାଂଗଠନିକ ଦକ୍ଷତା ଓ ନେତୃତ୍ବ ନେବାର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା। ବିଶେଷ କରି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସହିତ ତାଙ୍କର ସଂପୃକ୍ତି ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ବିଜେଡି ଏଠାରୁ କାହାକୁ ରାଜ୍ୟସଭା ପଠାଇବ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା। ଶେଷରେ କୁଡୁମୀ ସମ୍ପ୍ରଦାୟ ତଥା ଓବିସି ବର୍ଗର ମହିଳା ମମତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ଲଗାଇଥିଲେ ନବୀନ।