ଜିଲ୍ଲା ଉନ୍ନତିରେ ବ୍ୟବସାୟୀଙ୍କ ସହଯୋଗ ଆବଶ୍ୟକ: ବିଧାୟକ ନରସିଂହ

ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବିଭିନ୍ନ ସମସ୍ୟା ନେଇ ଆଲୋଚନା

ମାଲକାନଗିରି: ଜିଲ୍ଲାର ଉନ୍ନତିରେ ବ୍ୟବସାୟୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଏଭଳି ମତ ଦେଇଛନ୍ତି ମାଲକାନଗିରି ନବନିର୍ବାଚିତ ବିଧାୟକ ନରସିଂହ ମଦକମି। ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଂଘ୍ ପକ୍ଷରୁ ନବ ନିର୍ବାଚିତ ଯୁବ ବିଧାୟକ ନରସିଂହ ମାଡକାମିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ବିଧାୟକ ଏପରି କହିଛନ୍ତି। ସ୍ଥାନୀୟ ସ୍ବାଗତ ହୋଟେଲର ସଭଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ମାଡକାମି ଯୋଗ ଦେଇଥିବା ବେଳେ ଜିଲ୍ଲା ଭାଜପା ଅଧ୍ୟକ୍ଷ ନିମାଇ ପାଲ, ବରିଷ୍ଠ ଆଇନଜୀବୀ ଗୁରୁ ଚରଣ ମହାନ୍ତି, ବିଶିଷ୍ଠ ବ୍ୟବସାୟୀ ଡ଼ା ତପନ ସାନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ସୁରେଶ ସୋମାନି ଅଧ୍ୟକ୍ଷତା କରିଥିଲେ। ସଂଘର ସଦସ୍ୟ ଦିବାକର ପାଳ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବ୍ୟବସାୟୀ ତଥା ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସମ୍ପାଦକ ଇଶ୍ଵର ପଟ୍ଟନାୟକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପଢୌକନ ଓ ଫୁଲତୋଡ଼ା ଦେଇ ବିଧାୟକ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସମସ୍ୟାଗୁଡ଼ିକର ସମାଧାନ ଉପରେ ଉତ୍ତର ଦେଇ ବିଧାୟକ କହିଥିଲେ ଯେ ମାଲକାନଗିରି ସହର ଲାଗି ରିଙ୍ଗ ରୋଡ଼ ପାଇଁ ପ୍ରସ୍ତାବ ରହିଛି। ରେଳ ଲାଇନ୍ ଏବଂ ବିମାନ ବନ୍ଦର କାର୍ଯ୍ୟକୁ ତ୍ଵରାନିତ କରାଯାଇଛି। ଜିଲ୍ଲାର ଯେଉଁ ସବୁ ସମସ୍ୟା ରହିଛି ସବୁର ସମାଧାନ ପାଇଁ ବ୍ୟବସାୟୀ ସଂଘର ସହଯୋଗ କାମନା କରିଛନ୍ତି ଯୁବ ବିଧାୟକ। ଏଥିପାଇଁ ପ୍ରତ୍ୟେକ ମାସରେ ସଂଘର ପ୍ରତିନିଧି ମାନଙ୍କ ସହ ବୈଠକ କରି ଆଲୋଚନା କରିବା ଉପରେ ସେ ପ୍ରସ୍ତାବ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟଗଣ ଏବଂ ଭାଜପାର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.