ଡିଏଫ୍‌ଓ ଅଫିସ୍‌ ସମ୍ମୁଖରେ ଆମ୍ବ ବିକ୍ରି କରୁଛନ୍ତି ନିଲମ୍ବିତ ଫରେଷ୍ଟର

ଚାକିରିରୁ ନିଲମ୍ବିତ ହୋଇଥିବା ଜଣେ ଫରେଷ୍ଟର ଡିଏଫ୍‌ଓଙ୍କ ଅଫିସ୍‌ ସମ୍ମୁଖରେ ବସି ଆମ୍ବ ବିକ୍ରି କରୁଛନ୍ତି। ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ ଏହିଭଳି ଢଙ୍ଗରେ ପ୍ରତିବାଦ ଜଣାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ।

ନିଲମ୍ବିତ ହୋଇଥିବା ଏହି ଫରେଷ୍ଟରଙ୍କ ନାଁ ପ୍ରୟାଗ ପ୍ରଧାନ। ସେ ବରଗଡ଼ ଜିଲ୍ଲାର ଭଟଲି ରେଞ୍ଜ ଅଧୀନ ଅମ୍ବାଭୋନା ସେକ୍ସନରେ ଫରେଷ୍ଟର ଭାବେ ନିଯୁକ୍ତ ହୋଇଥିଲେ। ଗତ ୧୦ ତାରିଖରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପ୍ରୟାଗ ଅଭିଯୋଗ କରିଛନ୍ତି ଯେ ଆକ୍ରୋଶମୂଳକ ଭାବେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରେଞ୍ଜର, ଏସିଏଫ୍‌ ଓ ଡିଏଫଓଙ୍କୁ ପିସି ନଦେବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ପ୍ରୟାଗ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ବନ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଛି। ବିଭାଗର ଉଚ୍ଚ ଅଧିକାରୀମାନେ ଏଥିରେ ସିଧାସଳଖ ସଂପୃକ୍ତ ଅଛନ୍ତି। ଭଟଲି ରେଞ୍ଜର ତାଙ୍କୁ ସବୁ ବେଳେ ପିସି ମାଗୁଥିଲେ। ପିସି ନ ଦେବାରୁ ବହୁତ ହଇରାଣ କରୁଥିଲେ। ତାଙ୍କୁ ଛୁଟି ମଧ୍ୟ ଦିଆଯାଉ ନଥିଲା। ଭଟଲି ରେଞ୍ଜରଙ୍କ ବିରୋଧରେ ସେ ଏସିଏଫ୍‌ ଅଶୋକ ଦାସ ଓ ଡିଏଫଓ ସମ୍ବିତ ପତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହାର ପରିମାଣ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Leave A Reply

Your email address will not be published.