ବିଦ୍ୟୁତ ସଂଯୋଗ କାଟି ଦେବାରୁ ପ୍ରତିବାଦ କଲେ ଗ୍ରାହକ

ମାଲକାନଗିରି, ୭।୮: ବିଦ୍ୟୁତ୍ ସଂଯୋଗ କାଟିବାରୁ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଗୋଟିଏ ପରିବାର । ସୂଚନା ଅନୁଯାୟୀ ମାଲକାନଗିରି ଶାସ୍ତ୍ରୀ ନଗରର ଚକ୍ରଧର ସୁନାନିଙ୍କ ଘରର ବିଦ୍ୟୁତ ଦେୟ ବାକି ଥିବାରୁ ତାଙ୍କ ବିଦ୍ୟୁତ ସଂଯୋଗକୁ ବିଭାଗ ପକ୍ଷରୁ କାଟି ଦିଆଯାଇଥିଲା । ଯାହାକୁ ନେଇ ସେ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଶ୍ରୀ ସୁନାନି ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ବର୍ଷ ଧରି ସେମାନଙ୍କୁ କୌଣସି ବିଦ୍ୟୁତ ବିଲ ଆସୁ ନଥିଲା । ବାରମ୍ବାର ଆସି କହିବା ସତ୍ତ୍ୱେ ବିଦ୍ୟୁତ ବିଲ ମିଳୁ ନଥିଲା । ତେବେ କିଛି ଦିନ ପୂର୍ବେ ହଠାତ୍ ୫୨ ହଜାର ଟଙ୍କାର ଏକ ବିଦ୍ୟୁତ ବକେୟା ବିଲ ତାଙ୍କୁ ଦିଆଗଲା । ସମସ୍ତ ପଇସା ତୁରନ୍ତ ପୈଠ ନହେଲେ ସଂଯୋଗ କଟିଦେବାକୁ ବିଭାଗୀୟ କର୍ମଚାରୀ ମାନେ ଚେତାବନୀ ଦେଇଥିଲେ । ଏଥିପାଇଁ ୧୫ ଦିନ ସମୟ ମାଗିଥିଲେ ଶ୍ରୀ ସୁନାନି । ହେଲେ ମାତ୍ର ୩ ଦିନ ପରେ କୌଣସି ସୂଚନା ନଦେଇ ତାଙ୍କ ଘରର ବିଦ୍ୟୁତ ସଂଯୋଗକୁ କାଟି ଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି । ସେ ୨୦୦୦ ଟଙ୍କା ପୈଠ କରିବା ପାଇଁ ଆସି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । କିନ୍ତୁ ତାଙ୍କ କଥା କିଛି ଶୁଣିଲେନି ଆଉ ଅଫିସ ଚାବି ପକେଇ ଜନ୍ତ୍ରୀ ଚାଲିଗଲେ ବୋଲି ସେ ଅଭିଯୋଗ କରି ପରିବାର ସହ ପ୍ରତିବାଦ କରିଥିଲେ । ତାଙ୍କ ଘରେ ପୁନଃ ବିଦ୍ୟୁତ ସଂଯୋଗ ନକଲା ଯାଏଁ ସେ ପ୍ରତିବାଦରେ ବସି ରହିବେ ବୋଲି ପ୍ରକାଶ କରିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.