ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି, ୯/୦୮/୨୪: ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବା ବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ ଜିଲ୍ଲାରେ ବସ୍ ସେବା ଚଳପ୍ରଚଳ ନେଇ ରହିଥିବା ସ୍ଥିତି ସମ୍ପର୍କରେ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ। ୧୨ ଅକ୍ଟୋବର ୨୦୨୩ ରୁ ନିତି ଆୟୋଗ ଦ୍ବାରା ଆଦୃତ ଡି ସି ସି ( ଡିଜିଟାଲ କମାଣ୍ଡ କଣ୍ଟ୍ରୋଲ) ମଡେଲରେ ଗ୍ରାମାଞ୍ଚଳ ପରିବହନ ସେବା ଭଲ ଭାବରେ ଚାଲିଛି ବୋଲି ପରିବହନ ବିଭାଗ ଅତିରିକ୍ତ ସଚିବ ପ୍ରକାଶ କରିଛନ୍ତି। ଜିଲ୍ଲାର ସଦର ସମେତ ସମସ୍ତ ବ୍ଲକରେ ବସ ଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ରାଧିକାର ଦିଆଯାଉଛି। ବସ ସେବାରେ ଯେଉଁଭଳି ଭାବେ ସ୍ବଚ୍ଛତା ବଜାୟ ରହିବ ସେଥିପ୍ରତି ବିଭାଗ ପୂର୍ଣ୍ଣ ସଜାଗ ରହିଛି। ଏଥିରେ ବ୍ୟତିକ୍ରମ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମଧ୍ୟ ଶ୍ରୀ ସେଠୀ କହିଛନ୍ତି। ପ୍ରତି ପଞ୍ଚାୟତ ମୁଖ୍ୟାଳୟଠାରୁ ବସ୍ ଚଳାଚଳ ପାଇଁ ପ୍ରୟାସ କରାଯାଉଛି ବୋଲି ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି। ଏହି ଅବସରରେ ମାଲକାନଗିରି ବିଧାୟକ କହିଛନ୍ତି ଯେ ଜିଲ୍ଲାର ଜନସାଧାରଣ ପରିବହନ ସେବା ପାଇବାରେ ଯେଉଁଭଳି ଅସୁବିଧା ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯିବ। ସ୍ଵାଭିମାନ ଅଞ୍ଚଳ ସମେତ ଜିଲ୍ଲାର ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳକୁ ବସ ସେବା ଯୋଗାଇ ଦେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି।ଗମନାଗମନର ସୁବିଧା ପାଇଁ ସମସ୍ତ ବିଭାଗ ଓ ଷ୍ଟେକ ହୋଲ୍ଡରଙ୍କ ଭିତରେ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀ ଶବର ମତ ପ୍ରକାଶ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ, ଉଷା ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକ ଅନୁଷ୍ଠିତ ହେଉଛି ଏବଂ ବୈଠକରେ ଯୋଗ ଦେଇଥିବା ଘରଇ ବସ ମାଲିକ ସଂଘ କର୍ମଚାରୀ ଓ ବୁଦ୍ଧିଜୀବୀ ମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ଜିଲ୍ଲାସ୍ତରରେ ଅନୁମୋଦନ କରାଯାଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ, ଭାଗିରଥୀ ନାୟକ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକର ବିଡ଼ିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ଘରୋଇ ବସ ମାଲିକ ସଂଘ କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଓଏସଆରଟିସି ମ୍ୟାନେଜର, ବିଭୁ ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.