ସୋଆରେ ୬ଷ୍ଠ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର, ୧୦/୦୮ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ୬ଷ୍ଠ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ (ଆଇଏ ଆର ଆଇ) ର ବୀଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ବୈଜ୍ଞାନିକ ଡକ୍ଟର ଶ୍ୟାମଳ କୁମାର ଚକ୍ରବର୍ତୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦେଶରେ ଶଙ୍କର ଜାତୀୟ ବିହନର ସ୍ଥିତି ଓ ବିଭିନ୍ନ ଫସଲରେ ଏହାର ଆଧୁନିକ ବୈଜ୍ଞାନିକ ଉତ୍ପାଦନର ଦିଗ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ ।

ଏହି ବକ୍ତୃତାମାଳାରେ ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ ପ୍ରଫେସର ସ୍ୱାମୀନାଥନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଓ ନାମିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଇଏଏସ୍ ବୀଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଶାନ୍ତନୁ ସ୍ୱାଇଁ ଓଡିଶାରେ ଶଙ୍କର ଜାତୀୟ ବିହନର ପ୍ରୋତ୍ସାହନ ଦିଗରେ ଆଲୋଚନା କରିବା ସହ ଡକ୍ଟର ଚକ୍ରବର୍ତୀଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ ।

ଅଧ୍ୟାପକ ରାଜୀବ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.