ବିଧାୟକଙ୍କ ଦ୍ୱାରା ପଟ୍ଟା ବଣ୍ଟନ

ମାଲକାନଗିରି, ୧୨।୮: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ତହସିଲ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୈଠକକୁ କୁଡୁମୁଲୁଗୁମ୍ମା ତହସିଲଦାର ଟୁକୁନୁ ପୁଟ୍ଟା ସଭାପତିତ୍ବ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦିଦାୟୀ ଉନ୍ନୟନ ସ°ସ୍ଥାର ସ୍ୱତନ୍ତ୍ର ଅଧିକାରୀ କିରଣ ନାୟକ, ସରପଞ୍ଚ ମଙ୍ଗଳା ମାଢୀ, ବନ ଅଧିକାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ଓ ପରିବର୍ତ୍ତନ ସ°ସ୍ଥାର କର୍ମଚାରୀ ଏସ୍. କେ. ରଜିଦ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖିଲ କହିଥିଲେ ଯେ ଜଙ୍ଗଲ ଜମି ପଟ୍ଟା ପାଇଲା ପରେ ଉକ୍ତ ଜମିର ସମତୁଲ କରିବା ସହ ଗୋଟିଏ ଗୋଟିଏ ଚାରା ରୋପଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଏବଂ କହିଥିଲେ ଯେ ଉକ୍ତ ଜଙ୍ଗଲ ଜମି ଅଧିକାରରୁ ଯେଉଁମାନେ ବଞ୍ଚିତ ରହିଯାଇଛନ୍ତି, ସେମାନେ ଉକ୍ତ ଜମିର ପଟ୍ଟା ପାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ତିନି ଗୋଟି ଗ୍ରାମ ଯଥା ପରଜାପଦର, ନାଲିଗୁଡା ଓ ଗୋଟିଗୁଡା ଗ୍ରାମର ପାଖାପାଖି ୧୩୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ଓ ଏଥିରେ ତହସିଲର ହେଡକ୍ଲର୍କ ଲକ୍ଷ୍ମଣ ରାଉତ, ବରିଷ୍ଠ କିରାଣି ସୋମନାଥ ପାତ୍ର, ରାଜସ୍ୱ ନିରୀକ୍ଷକ ରୁଦ୍ର ପ୍ରସାଦ ଗୈଡ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.