ଚିକିତ୍ସା ଅବହେଳାରୁ ଛାତ୍ର ମୃତ୍ୟୁ ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ମାଲକାନଗିରି ୨୧|୮: ଚିକିତ୍ସା ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ନିଲିଗୁଡ଼ା ଗ୍ରାମ ପଞ୍ଚାୟତ ଧରମପାଲ୍ଲୀ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଗତ ସୋମବାର ଦିନ ଛାତ୍ରଙ୍କ ମୃତଦେହକୁ ରଖି ଆନ୍ଦୋଳନ କରିଥିଲେ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ପୋଇବାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ,ସୂଚନା ଦେଇଛନ୍ତି । ଏହାସହ ନୂତନ ତିନି ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଥିବା ନେଇ ମଧ୍ୟର ଶ୍ରୀ ଆଚାରୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନନ୍ଦିଗୁଡ଼ା ଗ୍ରାମର ଇଙ୍ଗା ମାଡ଼ିଙ୍କ ୧୨ ବର୍ଷର ପୁତ୍ର ସୁକା ମାଡ଼ି ଧରମପାଲ୍ଲୀ ଆଶ୍ରମ ଆବାସିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଗତ ୧ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବା ସହ ଗୋଡ଼ ଫୁଲିଯିବାରୁ ଧରମପାଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ତିନିଦିନ ପରେ ପୁନର୍ବାର ଡାକ୍ତରଖାନାକୁ ଆଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ତିନିଦିନ ମଧ୍ୟରେ ଜ୍ଵର ଓ ଗୋଡ଼ଫୁଲା ଭଲ ହୋଇ ନ ଥିବାବେଳେ ପୁନର୍ବାର ଡାକ୍ତରଖାନାକୁ ନିଆଯାଇ ନ ଥିଲା। ଏ ଖବର ପାଇ ଛାତ୍ରଙ୍କ ବାପା ଇଙ୍ଗା ମାଡ଼ି ବିଦ୍ୟାଳୟକୁ ଆସି ପୁଅକୁ ଘରକୁ ନେଇ ଚିକିତ୍ସା କରିବେ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିବେଦନ କରିଥିଲେ। ତେବେ ପ୍ରଧାନଶିକ୍ଷୟିତ୍ରୀ ସମ୍ପୃକ୍ତ ଛାତ୍ରଙ୍କୁ ବିଦ୍ୟାଳୟରୁ ଛାଡ଼ି ନ ଥିଲେ । ଏହିପରି ୪ ଥର ଇଙ୍ଗା ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଶିକ୍ଷୟିତ୍ରୀ ପୁଅକୁ ଛାଡ଼ି ନ ଥିବା ଇଙ୍ଗା ପ୍ରକାଶ କରିଥିଲେ। ପରେ ରବିବାର ଗୋଡ଼ଫୁଲା ଓ ଭୀଷଣ ଅସୁସ୍ଥ କାରଣରୁ ସୁକା ବିଦ୍ୟାଳୟରୁ ସକାଳୁ ସମୟରେ ବାହାରିଯାଇ ୨ କିଲୋମିଟର ଦୂରରେ ଥିବା ନିଜ ଗ୍ରାମ ନନ୍ଦିଗୁଡ଼ାରେ ପହଞ୍ଚିଥିଲା । ପରେ ସୋମବାର ସକାଳେ ସୁକାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁରେ ଗ୍ରାମବାସୀ ଓ ପରିବାରବର୍ଗ ଉତ୍ତେଜିତ ହୋଇ ଏକ ଅଟୋରେ ମୃତଦେହକୁ ଧରି ବିଦ୍ୟାଳୟ ଫାଟକ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଥିଲେ। ଏହି ଘଟଣାରେ ଜିଲ୍ଳା ମଙ୍ଗଳ ଅଧିକାରୀ ତଦନ୍ତ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ୱିତ କରିଛନ୍ତି।

Leave A Reply

Your email address will not be published.