ରାସ୍ତାରେ ଅଟକାଇ ଲୁଟ ଅଭିଯୋଗରେ ୨ ଜଣ ଯୁବକ ଗିରଫ, ୪ ଲକ୍ଷ ୧୭ ହଜାର ଟଙ୍କା ଓ ୩ ମୋବାଇଲ ଜବତ

ମାଲକାନଗିରି, ୨୨/୮: ଏକ ଫାଇନାସ କମ୍ପାନୀର କର୍ମଚାରୀଙ୍କୁ ମାଲକାନଗିରି ରାସ୍ତାରେ ଅଟକାଇ ତାଙ୍କ ଠାରୁ ୪ ଲକ୍ଷ ୨୭ ହଜାର ୪୨୪ ଟଙ୍କା,ଟାବେଲ୍ଟ, ବାୟୋମେଟ୍ରିକ ମେସିନ ଓ ମୋବାଇଲ ଫୋନ ଲୁଟ କରିବା ଅଭିଯୋଗରେ ୨ ଜଣ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ମାଲକାନଗିରି ଏସଡିପିଓ ସଚୀନ ପଟେଲ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାଇ ମାଲକାନଗିରି ଜିଲ୍ଲା ପଡିଆ ଥାନାରେ ଗତ ୨୦ ତାରିଖରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ଲୋନ ଟଙ୍କା ଲୁଟ୍ ହୋଇଥିବା ଏକ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ମାଲକାନଗିରି ଏସପି ନୀତେଶ ୱାଧାନୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଚିନ ପଟେଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରା ଯାଇ ପଡିଆ ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଦୁଇ ଜଣ ଲୁଟେରା ଯୁବକଙ୍କୁ ଗିରଫ କରିଛି ପଡିଆ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଛତିଶଗଡ଼ ଓ ପଡିଆ ଅଞ୍ଚଳରେ ଦେଇଥିବା ଲୋନ ଟଙ୍କା କଲେକ୍ସନ କରି କମ୍ପାନୀର ଦୁଇ ଏଜେଣ୍ଟ ସୂରଜ ସରକାର ଓ ଚୟନ ମଣ୍ଡଳ କାଲିମେଳା ଶାଖା କାର୍ଯ୍ୟଳୟକୁ ଗତ ୧୬ ତାରିଖ ରାତ୍ରରେ ଫେରୁଥିବା ବେଳେ ଏମପିଭି ୬୬ ଗ୍ରାମ ନିକଟ ଉଣ୍ଢ୍ରୁକୋଣ୍ଡା ପୋଲ ନିକଟରେ ପୂର୍ବରୁ ଜଗିଥିବା ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ୪ ଲକ୍ଷ ୨୭ ହଜାର ୪୨୪ ଟଙ୍କା ସହ ଏକ ଟାବଲେଟ, ବାୟୋମେଟ୍ରିକ ମେସିନ ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ସେହି ଘଟଣା ସମ୍ପର୍କରେ ପୁଲିସ ତଦନ୍ତରେ ଜଣାପଡ଼ିଲା କମ୍ପାନୀରେ କାମ କରୁଥିବା ଏଜେଣ୍ଟ ସୂରଜ ସରକାର ଥିଲା ଲୁଟ୍ ମାଷ୍ଟରମାଇଣ୍ଡ ଏବଂ ଜଣେ କର୍ମଚାରୀ ଯିଏ ୭ ଦିନ ପୂର୍ବରୁ କମ୍ପାନୀ ଛାଡିଥିଲେ। ଉଭୟ ମିଶି ଟଙ୍କା ଲୁଟ କରିବାର ଯୋଜନା କରିଥିଲେ । ଆଜି ପଡିଆ ପୁଲିସ ଦୁଇ ଜଣ ଲୁଟେରା ଯୁବକ ସୂରଜ ସରକାର ଏବଂ ଆଶିଷ ମଣ୍ଡଳକୁ ଗିରଫ କରିଛି। ଆଶିଷ ମଣ୍ଡଲକୁ ସୂରଜ ସରକାର ଲୁଟ ଟଙ୍କାରୁ କିଛି ଟଙ୍କା ରଖିବା ପାଇଁଁ ଦେଇଥିଲା। ସେମାନଙ୍କ ଠାରୁ ଲୁଟ ହୋଇଥିବା ୪ ଲକ୍ଷ ୧୭ ହଜାର ଟଙ୍କା ଓ ୩ଟି ମୋବାଇଲ ଫୋନ ପୁଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥାଇ ଫେରାର ହୋଇ ଯାଇଥିବା ଅନ୍ୟମାନଙ୍କୁ ପୁଲିସ ଖୋଜା ଚଲାଇଛି। ପୁଲିସ ଲୁଟ ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଲୁଟେରା ସହଯୋଗୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.