କୋରୁକୋଣ୍ଡା ବ୍ଲକରେ ଟେଣ୍ଡର ଫିକ୍ସିଂ ମାମଲା, ସମ୍ପୂର୍ଣ ରୂପେ ବାତିଲ କଲେ ବିଡିଓ

ମାଲକାନଗିରି, ୩୦।୮ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ ଗୋଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପତ୍ର ସଂଖ୍ୟା:- ୩୪୪୧/୨୪ ରେ ସର୍ବମୋଟ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ହେଲେ ଏହି ଟେଣ୍ଡର ଆବେଦନ ପ୍ରକ୍ରିୟାରେ ଅନୟମିତତା ଓ ଏହାକୁ ଫିକ୍ସି କରାଯାଇଥିବା ଭିଡିଓ ଭାଇରାଲ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ପରେ ଆଜି ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ ରୂପେ ରଦ୍ଧ କରିଥିବା ନେଇ ଏକ ବିଜ୍ଞପ୍ତୀ ପ୍ରକାଶ ପାଇଛି । ଗତ ୨୮ ତାରିଖରେ ଏହି ଟେଣ୍ଡର ଖୋଲିବାର ଥିବା ବେଳେ ଏହାକୁ ସ୍ଥଗିତ ରଖିଥିଲେ ବିଡିଓ । ଏନେଇ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଥିଲେ ଏବଂ ଆଜି ଏହାକୁ ବାତିଲ କରିଛନ୍ତି । ସୂଚନା ଅନୁଯାୟୀ କୋରୁକୋଣ୍ଡା ବ୍ଲକରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ବ୍ଲକ୍ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ୧୨/୦୮/୨୪ ରୁ ୨୨/୦୮/୨୪ ତାରିଖ ପର୍ଯ୍ୟନ୍ତ ଉକ୍ତ ଟେଣ୍ଡର ନିମନ୍ତେ ଟେଣ୍ଡର ପେପର ବିକ୍ରି କରାଯାଇଥିଲା। କିନ୍ତୁ ଶେଷ ଦିନ ଅର୍ଥାତ ୨୨ ତାରିଖ ଅପରାହ୍ନରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଠିକାଦାର ବ୍ଲକ ପରିସର ମଧ୍ୟରେ ଏକତ୍ରିତ ହୋଇ ସରକାରଙ୍କ ଟେଣ୍ଡର ନିୟମକୁ ଫୁ କରି ଉଡାଇ ଉକ୍ତ ଟେଣ୍ଡର ଗୁଡିକୁ ଫିକ୍ସିଂ କରି ଆପୋଷ ବୁଝାମଣାରେ ନିଜ ମନ ମୁତାବକ ଏକ ବେଆଇନ କମିଟି ଗଠନ କରି ମୌଖିକ ଭାବେ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ନିଜ ନିଜ ମଧ୍ୟରେ ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ପ୍ରତ୍ୟେକ ଟି କାର୍ଯ୍ୟରେ ୩ ଜଣ ଲେଖାଏଁ ଠିକାଦାର ଟେଣ୍ଡର ପେପର କିଣିଥିବା ବେଳେ ଅନ୍ୟ ଠିକାଦାର ମାନଙ୍କୁ ମୋଟା ଅଙ୍କର ଅର୍ଥ କିମ୍ବା ଭୟ ଦେଖାଇ ଟେଣ୍ଡର ପେପର କିଣିବାକୁ ଦିଆଯାଇନଥିବା ବିଶେଷ ସୁତରୁ ସୂଚନା ମିଳିଥିଲା। ଏନେଇ ଖବର ପ୍ରକାଶିତ ହେବା ପରେ ଆଜି ଏହାକୁ ବାତିଲ କରାଯାଇଛି ।

Leave A Reply

Your email address will not be published.