ବିଜେଡି ନେତାଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଓ ରିଲିଫ ବଣ୍ଟନ

ମାଲକାନଗିରି, ୧୩/୯: ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକରେ ଗତ ୮ ଓ ୯ ତାରିଖରେ ହୋଇଥିବା ପ୍ରବଳ ବର୍ଷାରେ ବହୁ ଗ୍ରାମ ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଜମି ମଧ୍ୟ ପାଣିରେ ବୁଡିଯାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ଇତି ମଧ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଜିଲ୍ଲା ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝିଙ୍କ ନେତୃତ୍ବରେ ଏକ ଟିମ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।ଏଥିସହ ସେଠାରେ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ବିଭିନ୍ନ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି। ବିଜେଡି ତରଫରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଚୁଡା, ଗୁଡ, ବିସ୍କୁଟ ଓ କଦଳୀ ଇତ୍ୟାଦି ରିଲିଫରେ ପ୍ରଦାନ କରାଯାଇଛି। ତେବେ ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମଗୁଡିକ ମଧ୍ୟରୁ ପୋଟେରୁ, ବଦଲି, ଏମପିଭି-୧୬, ପଗୁରକୋଣ୍ଡା, ଭେଙ୍କଟପାଲାମ ଆଦି ଗ୍ରାମ ଗୁଡିକକୁ ବୁଲି ବିଜେଡି ଟିମ ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି। ଏହି ଟିମରେ ପ୍ରଦୀପ ମାଝିଙ୍କ ସହ ମାନସ ମାଡକାମୀ, ଗୋପାଳ ପଣ୍ଡା, ଦୁର୍ଗା ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ରବୀ ରାଜେଶ, ବ୍ଲକ ଅଧ୍ୟକ୍ଷା ଗୌରି ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.