ବନ୍ୟା ସ୍ଥିତି ପରିଚାଳନାରେ ବିଫଳ ରାଜ୍ୟ ସରକାର;ପୋଲାଭରମ ଯୋଗୁଁ ବୁଡିବ ମାଲକାନଗିରି

ସୁରକ୍ଷା ଦାବିରେ ମାଲକାନଗିରି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ପୂର୍ବେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି। ତେବେ ଏହି କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ଏହାର ସମୀକ୍ଷା କରିବା ଲାଗି ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ମଧ୍ୟ ଜିଲ୍ଲା ପାଇଁ ସେପରି କୌଣସି ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରି ନାହାନ୍ତି। ଜିଲ୍ଲାରେ ଆଜି ମଧ୍ୟ ଅନେକ ଘର ଭାଙ୍ଗିଥିବା ପରିବାରକୁ ଜରି ଖଣ୍ଡିଏ ମିଳି ନଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ବନ୍ୟା ସମୟରେ ସଠିକ ଭାବେ ନିଜର ଦାଇତ୍ଵ ତୁଲାଇ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲା ସଦରରେ ଥିବା ହୋଟେଲ ସ୍ଵାଗତ ପରିସରରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ବିଧ୍ୟାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ, ମାଲକାନଗିରି ପୌର ଉପାଧକ୍ଷ୍ୟା କବିତା ମହନ୍ତ, ବ୍ଲକ ଚେୟାର ମ୍ୟାନ ଗୌରି ପଡିଆମୀ, ବରିଷ୍ଠ ନେତା ଗୋପାଳକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଦଳୀୟ ନେତା। ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ପୂର୍ବରୁ ସୂଚନା ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସଠିକ ଭାବେ କାର୍ଯ୍ୟ କରିନଥିଲା। ବନ୍ୟା ହେବା ଆଶଙ୍କା ଥାଇ ମଧ୍ୟ ପୂର୍ବରୁ ଲୋକଙ୍କୁ ସତର୍କ କରାଇ ନଥିବା ବେଳେ ତଳି ଅଞ୍ଚଳରେ ଓଡ୍ରାଫ ଓ ଉଦ୍ଧାରକାରୀ ଦଳ ବିଳମ୍ବରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିବା ନେଇ ଶ୍ରୀ ମାଝି ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ଧରି ଶତାଧିକ ଲୋକେ ଜଳଘେରରେ ରହିଥିବା ବେଳେ ପ୍ରଶାସନର ଅବହେଳା ଯୋଗୁଁ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଉଦ୍ଧାର କରା ଯାଇନଥିଲା। ଏହା ସହ ଜିଲ୍ଲାରେ ଅନେକ ଘର ଭାଙ୍ଗିଥିବା ବେଳେ ସରକାର ସମସ୍ତଙ୍କୁ ପଲିଥିନ ଖଣ୍ଡେ ମଧ୍ୟ ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ଜିଲ୍ଲାର ପୋଗୁରୁକୋଣ୍ଡା, ବଦଲି ପଞ୍ଚାୟତର ତଣ୍ଡାପାଲି ସମେତ ଅନେକ ଗ୍ରାମରେ ଲୋକେ ଭଙ୍ଗା ଘରେ ବହୁ କଷ୍ଟରେ ରହୁଥିବା ବେଳେ ସେମାନଙ୍କୁ ଆଜି ଯାଏଁ ପଲିଥିନ ଯୋଗାଇ ଦିଆଯାଇନାହି ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯଦିଓ ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିଥିଲେ ସତ କିନ୍ତୁ କେବଳ ସରକାରୀ ଅଧିକାରୀଙ୍କ ସହ ସମୀକ୍ଷା ହୋଇଥିଲା। କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ପହଞ୍ଚିନଥିବା ବେଳେ ଲୋକଙ୍କୁ ଏହା ବ୍ୟଥିତ କରିଛି ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ବନ୍ୟା ସ୍ଥିତିକୁ ନେଇ ପୂର୍ବରୁ ଥିବା ସୂଚନା ଆଧାରରେ କାର୍ଯ୍ୟ କରିବା ପରିବର୍ତେ କେବଳ ଦେଖାଣିଆ ମନବୃତି ନେଇ ହେଲିକ୍ୟାପ୍ଟରରେ ଆସି ଏହି ସମୀକ୍ଷା କରିଥିବା ଶ୍ରୀ ମାଝି ଅଭିଯୋଗ କରିଛନ୍ତି। ପୂର୍ବରୁ ଥିବା ବିଜୁ ଜନତା ଦଳର ସରକାର ବନ୍ୟା ସ୍ଥିତିର ମୁକାବିଲା ଓ ନିୟନ୍ତ୍ରଣ ଏବଂ ଜିରୋ କାଜୁଆଲିଟିକୁ ନେଇ ମିଳିତ ଜାତିସଂଘ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ସମ୍ପୂର୍ଣ ବିଫଳ ବୋଲି ଶ୍ରୀ ମାଝି ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଏହି ବନ୍ୟା ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବ, କାରଣ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶରେ ନିର୍ମିତ ପୋଲାଭରମ ପ୍ରକଳ୍ପର ବଳକା ଥିବା କାର୍ଯ୍ୟକୁ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯାଉଥିବାରୁ ଜିଲ୍ଲା ପାଇଁ ଏହା ବିପଦ ହେବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତିା ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରର ମିଳିତ ସରକାରଙ୍କୁ ପ୍ରକଳ୍ପ ଅଗ୍ରଗତି ଏବଂ ସମ୍ପୂର୍ଣ କରିବା ପାଇଁ ୧୨୫୦୦ କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତିା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମୋଟୁ ସହ ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ର ତେଲେଙ୍ଗାଣାର ଅନେକ ଅଂଚଳ ଜଳମଗ୍ନ ହେବା ସହ ଲକ୍ଷ ଲକ୍ଷ ସ୍ଥାନୀୟ ବାସିନ୍ଦା ବିସ୍ତାପିତ ହେବା ସହ ଲକ୍ଷ ଲକ୍ଷ ଜାଷ ଜମି, ଜଙ୍ଗଲ, ଖଣିଜ ସମ୍ପଦ ନଷ୍ଟ ହେବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ମାନଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପୋଲାଭରମ ପ୍ରକଳ୍ପର ଉଚ୍ଚତା କମାଇବା, ମାଲକାନଗିରି ଜିଲ୍ଲାକୁ ଯେପରି କୌଣସି କ୍ଷୟକ୍ଷତି ନହେବ ସେଥିପାଇଁ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାପାଇଁ ବିଜେଡି ଦାବି କରିଛିା ଆଜି ପର୍ଯ୍ୟନ୍ତ କ୍ଷୟକ୍ଷତି ହେବାକୁ ଥିବା ଲୋକମାନଙ୍କୁ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧରେ ଅବଗତ କରା ନଯିବା, ପଲ୍ଲୀସଭା ବା ଗ୍ରାମସଭା ନ ହେବା, ବର୍ତମାନ ସୁଦ୍ଧା ଜଳମଗ୍ନ ହେବାକୁ ଥିବା ଅଂଚଳର ସର୍ଭେ ନ କରିବା, ଦୁର୍ଭାଗ୍ୟ ଜନକ । ବିଜୁ ଜନତା ଦଳ ଶାସନ କାଳରେ ବାରମ୍ବାର ପୋଲାଭରମ ପ୍ରକଳ୍ପ ବିରୁଦ୍ଧରେ ସଂଗ୍ରାମ କରି ଆସୁଥିଲା ବେଳେ ଏହା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲାବେଳେ କେନ୍ଦ୍ର ସରକାର କିପରି ପ୍ରକଳ୍ପକୁ ସମ୍ପୂର୍ଣ କରିବା ପାଇଁ ଅର୍ଥ ବରାଦ କରିବା ସହ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ମଝୀ ପ୍ରଶ୍ନ କରିଛନ୍ତିା ତୁରନ୍ତ ରାଜ୍ୟ ସରକାର ପୋଲାଭରମ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତିରୁ ମାଲକାନଗିରି ଜିଲ୍ଲାକୁ ବଞ୍ଚାଇବାକୁ ହେଲେ ଓଡିଶା ସୀମାରେ ଆଡିବନ୍ଦ ନିର୍ମାଣ କରି କ୍ଷୟକ୍ଷତିର ସଠିକ ଆକଳନ ନକଲେ ଜିଲ୍ଲାର ମୋଟୁ ତହସିଲ ସମେତ କାଲିମେଳା ବ୍ଲକ, ପଡିଆ ବ୍ଲକ ଓ ମାଥିଲି ବ୍ଲକ ପ୍ରଭାବିତ ହେବାର ଆଶଙ୍କାରହିଛି। ଏବଂ ଏହି କ୍ଷୟକ୍ଷତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଯଦି ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ବିଜୁ ଜନତା ଦଳ ତରଫରୁ ମାଲକାନଗିରି ସମେତ ଓଡିଶାର ରାଜଧାନୀ ଓ ଦିଲ୍ଲୀରେ ଗଣ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ମାଝି ଓ ଅନ୍ୟ ଦଳୀୟ ନେତୃ ମଣ୍ଡଳୀ।

Leave A Reply

Your email address will not be published.