ସାଂସଦ ବଳଭଦ୍ର ମାଝିଙ୍କ ଦ୍ୱାରା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିସରରେ ୩ଟି ନୂତନ କୋଠା ଉଦଘାଟିତ

ମାଲକାନଗିରି, ୧୮।୯: ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିସରରେ ଆଜି ରକ୍ତଭଣ୍ଡାର, ଔଷଧ ଭଣ୍ଡାର ଓ ସରକାରୀ ଏ.ଏନ.ଏମ ତାଲିମ କେନ୍ଦ୍ରର ନୂତନ କୋଠା ଉଦଘାଟିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ନୂତନ ରକ୍ତ ଭଣ୍ଡାରରେ ଦିନକୁ ୧୦୦ରୁ ୨୦୦ ୟୁନିଟ ରକ୍ତ ସଂଗ୍ରହ ହେବା ସହ ୫୦୦ ୟୁନିଟ ରଖାଯାଇପାରିବ । ସେହିଭଳି ନୂତନ ଔଷଧ ଭଣ୍ଡାରରେ ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩ ମାସର ଔଷଧ ଗଛିତ ରଖାଯାଇପରିବ । ପୁରୁଣା ଓ ନୂଆ ଔଷଧ ଭଣ୍ଡାର ସହ ମୋଟ ୬ ମାସର ଔଷଧ ଗଛିତ ରଖାଯାଇପାରିବ । ପୂର୍ବରୁ ପୁରୁଣା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଅସ୍ଥାୟୀ ଭାବେ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଉଥିବା ବେଳେ ନୂତନ କୋଠାରେ ପ୍ରଥମ ବର୍ଷ ପାଇଁ ୫୦ ଓ ଦ୍ୱିତୀୟ ବର୍ଷ ପାଇଁ ୫୦ଟି ସିଟର ବ୍ୟବସ୍ଥା ରହିଥିବା ସାଂସଦ ଶ୍ରୀ ମାଝି ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଧନେଶ୍ୱର ମହାପାତ୍ର, ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ଅଧିକ୍ଷକ ଡ଼.ବ୍ରଜବନ୍ଧୁ ଦାସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.