ଭୁବନେଶ୍ୱର, ଅକ୍ଟୋବର ୧୬ : ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ ପକ୍ଷରୁ ବୁଧବାର ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀର ଆଲୋଚ୍ୟ ବିଷୟ ଥିଲା ‘ବିଶ୍ୱ ଖାଦ୍ୟ ନିରାପତାରେ କୃତ୍ରିମ ବୁଦ୍ଧିମତାର ଭୂମିକା’ ।
ଏହି ଜାତୀୟ ସମ୍ମିଳନୀରେ ସିୱାଇଏସଡିର ମୁଖ୍ୟ ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ଖାଦ୍ୟ ନିରାପତା କ୍ଷେତ୍ରରେ ଉପୁଜିଥିବା ଆହ୍ୱାନ ବିଷୟରେ ମତ ରଖିଥିଲେ । ସେ କହିଥିଲେ ଯେ ଓଡ଼ିଶାରେ ୨୯ ପ୍ରତିଶତ ୫ ବର୍ଷରୁ କମ ବୟସର ଶିଶୁ ଖାଦ୍ୟାଭାବ ଜନିତ ଦୁର୍ବଳତାର ଶିକାର ହେଉଛନ୍ତି । ଆଦିବାସୀ ଅଂଚଳରେ ଏହା ଅଧିକ ପରିଲକ୍ଷିତ ହେଉଛି ।
ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଥିବା ଶ୍ରୀ ଜଗଦାନନ୍ଦ କହିଥିଲେ ଯେ ଏହାର ପ୍ରତିକାର ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ ।
ସେ କହିଥିଲେ ଯେ ଓଡ଼ିଶାରେ ମାତ୍ର ୩୦ ଭାଗ ଚାଷଜମିରେ ଜଳସେଚନ ସୁବିଧା ଥିବା ବେଳେ ବାକି ଜମି ବର୍ଷା ଉପରେ ନିର୍ଭରଶୀଳ । କୃଷି କ୍ଷେତ୍ରରେ ଏଥି ନିମନ୍ତେ ସମସ୍ୟା ଉପୁଜୁଛି । ତେଣୁ ଜଳବାୟୁ ପରିବର୍ତନ ଜନିତ ସମସ୍ୟା ସତ୍ୱେ କୃଷି ଉତ୍ପାଦନ କିପରି ପ୍ରଭାବିତ ହେବ ନାହିଁ ସେଥି ନିମନ୍ତେ ଗବେଷଣା ଜରୁରୀ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଓ ଏହାର ଆଭିମୁଖ୍ୟ ଦିଗନ୍ତ ବିସ୍ତାରି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇସିଏଆର ପରିଚାଳିତ ସେଂଟ୍ରାଲ ହର୍ଟିକଲ୍ଚରାଲ୍ ଏକ୍ସପେରିମେଂଟ ଷ୍ଟେସନ୍ର ମୁଖ୍ୟ ତଥା ପ୍ରଧାନ ବୈଜ୍ଞାନିକ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଖାଦ୍ୟ ନିରାପତା ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ନିକଟରେ ପ୍ରକାଶ ପାଇଥିବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ତାଲିକାରେ ୧୨୭ଟି ଦେଶ ମଧ୍ୟରେ ଭାରତ ୧୦୫ ତମ ସ୍ଥାନରେ ରହିବା ଚିନ୍ତାଜନକ । ଭାରତର ପ୍ରତିବେଶୀ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଏହି ପରିପ୍ରେକ୍ଷୀରେ ଉତମ ସ୍ଥାନରେ ଅଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟବକ୍ତା ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଓଡ଼ିଶାରେ ନ ଅଙ୍କ ଦୁର୍ଭିକ୍ଷଠାରୁ ଆଜି ଯାଏଁ କୃଷି ଭିତିକ ଜ୍ଞାନ କୌଶଳର ନାଟକୀୟ ମୋଡ ଓ ପରିବର୍ତନ ବିଷୟରେ ଆଲୋକପାତ କରିବା ସହ ଏହି ସମ୍ମିଳନୀ ଅନେକ ଛାତ୍ର ଗବେଷକଙ୍କୁ ପ୍ରଭାବିତ କରିବ ବୋଲି କହିଥିଲେ ।
ଆଏଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଆବାହକ ପ୍ରଫେସର ବିବୁଧ ପରାଶର ସ୍ୱାଗତ ଭାଷଣ ଦେବା ସହ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସମ୍ମିଳନୀର ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।
ଉଦ୍ଘାଟନ ଉତ୍ସବ ପରେ ସମ୍ମିଳନୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ପ୍ରଫେସର ସର୍ବନାରାୟଣ ମିଶ୍ର ଡ. ଦେବାଶିଷ ମହାନ୍ତି, ଡ. ଜି.ଏ.କେ. କୁମାର, ଶ୍ରୀ ଏସ୍.କେ ମୁଶାରଫ ହୁସେନ୍ ପ୍ରମୁଖ ବକ୍ତା ଭାବ ଯୋଗ ଦେଇଥିଲେ । ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ମଂଚ ସଂଯୋଜନା କରିଥିଲେ । ଏଥିରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ ।