xmas

ବାତ୍ୟା ମୁକାବିଲା ପାଇଁ ଏସଟିଏର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

କଟକ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ୍, ୨୬ ସକାଳ ୭ ଯାଏଁ ରହିବ ସକ୍ରିୟ

ସଜାଗ ରହିବାକୁ ସମସ୍ତ ଆରଟିଓଙ୍କୁ ପରିବହନ କମିସନରଙ୍କ ନିର୍ଦ୍ଦେଶ

କଟକ/ଭୁବନେଶ୍ୱର, ୨୩/୧୦/୨୪: ବାତ୍ୟା ମୁକାବିଲା ସଂକ୍ରାନ୍ତରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବହନ ପ୍ରାଧିକରଣର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଧିକରଣ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଗାଡ଼ି ଚାଳକ ଓ ଯାତ୍ରୀଙ୍କୁ ସତର୍କ ରହିବାରୁ ପରାମର୍ଶ ଜାରି ହୋଇଛି । ନିହାତି ଆବଶ୍ୟକ ନ ଥିଲେ ଯାତ୍ରା ନ କରିବାକୁ କୁହାଯାଇଛି । ସେହିଭଳି କୌଣସି ଜରୁରୀ ପରିସ୍ଥିତି ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ।

କଟକ ସ୍ଥିତ ଏସଟିଏ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର-୧ ଆରଟିଓ କାର୍ଯ୍ୟାଳୟରେ କଣ୍ଚ୍ରୋଲ ରୁମ୍ ଖୋଲାଯାଇଛି । ଏସଟିଏ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍ ନମ୍ବର ହେଉଛି- ୦୬୭୧-୨୫୦୭୦୪୨ । ୨୩ ଅକ୍ଟୋବର ସକାଳ ୭ରୁ ଏହା କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୬ ଅକ୍ଟୋବର ସକାଳ ୭ ଯାଏଁ ସକ୍ରିୟ ରହିବ । ଅତିରକ୍ତ ପରିବହନ ଆୟୁକ୍ତ (ପ୍ରଶାସନିକ) ଇନ୍ଦ୍ରମଣି ନାୟକଙ୍କ ନୀରିକ୍ଷଣରେ ଏହା ପରିଚାଳିତ ହେଉଛି । ସେହିଭଳି ଭୁବନେଶ୍ୱର-୧ ଆରଟିଓ କଣ୍ଟ୍ରୋଲ ରୁମ୍ ଅତିରିକ୍ତ ପରିବହନ ଆୟୁକ୍ତ (ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀଙ୍କ ନୀରିକ୍ଷଣରେ କାର୍ଯ୍ୟ କରୁଛି । ଏହି କଣ୍ଟ୍ରୋଲ ରୁମ୍ ନମ୍ବର ହେଉଛି- ୦୬୭୪-୨୫୪୦୯୦୪ । ଏହାବ୍ୟତୀତ ସମସ୍ତ ଆରଟିଓ କାର୍ଯ୍ୟାଳୟ ପୂର୍ଣ୍ଣ ସଜାଗ ରହିବାକୁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ନିମନ୍ତେ ଅତିରିକ୍ତ କର୍ମଚାରୀ ମୁତୟନ କରାଯାଇଛି ।  ପୋଲ୍ ମାଷ୍ଟର, କ୍ରେନ୍, ହାଇଡ୍ରା, ବୋଲେରୋ, ଜେସିବି, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା କରିବାକୁ କୁହାଯାଇଛି । ୨୬ ତାରିଖ ଯାଏଁ ଏସଟିଏ ଓ ଆରଟିଓରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ବୈଠକରେ ପରିବହନ ଆୟୁକ୍ତଙ୍କ ସମେତ ଏସଟିଏର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀମାନେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

Leave A Reply

Your email address will not be published.