ମଣ୍ଡି ପୂର୍ବରୁ ମାତିଛନ୍ତି ଧାନର କଳା ବେପାରୀ, ଚାଷୀଙ୍କ ଠାରୁ କମ ଦରରେ ଧାନ କିଣି ପଡୋଶୀ ରାଜ୍ୟକୁ ହେଉଛି ଚାଲାଣ, ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ
ମାଲକାନଗିରି, ୨୭।୧୦: ଚାଷୀଙ୍କ ବିଳରୁ ସଠିକ ଭାବେ ଉଠିନି ଧାନ, ଏବେବି ଅନେକ ଜମିରେ ଧାନ ଫସଲ ରହିଥିବା ବେଳେ ଆରମ୍ଭ ହେଲାଣି ଧାନର କଳା ବେପାରୀ। ମଣ୍ଡି ଖୋଲିବା ପୂର୍ବରୁ ଶାଗ ମାଛ ଦରରେ ଦଲାଲ ଧାନ କିଣି ବାହାରକୁ ଚାଲାଣ କରିବା ଆରମ୍ଭ କରିଥିବା ବେଳେ ଅତି କମ ଦରରେ ଚାଷୀ ନିଜ କଷ୍ଟ ଅର୍ଜିତ ଫସଲ ବିକୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମାଲକାନଗିରିରେ ମଣ୍ଡି ନଖୋଲୁଣୁ ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଚାଲାଣ ହେଉଛି ଧାନ। ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଧାନ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଦଲାଲ। ଆଉ କରଜ କରି ଚାଷ କରିଥିବା ଚାଷୀ ଧାର ଟଙ୍କା ଶୁଝିବା ପାଇଁ କମ ମୂଲ୍ୟରେ ନିଜ ଅମଳ ବିକ୍ରି କରିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି। ରାଜ୍ଯରେ ନୂଆ ସରକାର ଆସିବା ପରେ ରାଜ୍ୟରେ ଚାଷୀଙ୍କୁ ବର୍ଦ୍ଧିତ ମୂଲ୍ୟ ଦେଇ ଧାନ କିଣିବେ ଏବଂ ଚାଷୀ ଅଧିକ ଲାଭବାନ ହେବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏପରି ଚିତ୍ର ସରକାରଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛି। ଗୋଟିଏ ପଟେ ମଣ୍ଡି ଗୁଡିକୁ ମନ୍ତ୍ରୀ ଜଗିବେ ବୋଲି ସରକାର କହୁଥିବା ବେଳେ ଅନ୍ୟପଟେ ମଣ୍ଡି ଖୋଲିବା ପୂର୍ବରୁ ଦଲାଲ ମାତିଲେଣି। ସରକାର ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି, ତା ସତ୍ତ୍ୱେ ଚାଷୀମାନେ ଦଲାଲଙ୍କୁ କ୍ୱିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଧାନ ବିକୁଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଜିଲ୍ଲାର ଏମଭି ୪୩ ଗ୍ରାମରେ ଏପରି ଧାନର କଳା ବଜାରୀ ହେଉଥିବା ବେଳେ ଏନେଇ ଚାଷୀ ମାନେ ପ୍ରକାଶ କରିଛନ୍ତି ଯେ, ଆମକୁ ମଣ୍ଡିରେ ବିଭିନ୍ନ ନିୟମ ଅନୁଯାୟୀ ଯେତିକି ଧାନ ବିକ୍ରି ପାଇଁ ଅନୁମତି ମିଳିବ ସେତିକି ରଖୀ ଯାହା ବି ଅଧିକ ଧାନ ଅମଳ ହେଉଛି ତାହାକୁ ଆମେ ରଖି ଅଧିକ ଅମଳ ଧାନକୁ କମ ଦରରେ ବିକ୍ରି କରି ଦେଉଛୁ। ଏହା ସହ ଆମେ ଧର କରଜ କରି ଚାଷ କରୁଥିବା ବେଳେ ବକେୟା ଅର୍ଥ ସୁଝିବା ପାଇଁ ଆଗୁଆ ଭାବେ ଧାନ ବିକ୍ରି କରୁଥିବା ମଧ୍ୟ କିଛି ଚାଷୀ ପ୍ରକାଶ କରିଛନ୍ତି। ତେବେ ଏସବୁ ମଧ୍ୟରେ ଚାଷୀ କୁଳ କେଉଁଠି ନା କେଉଁଠି ନିଜ କଷ୍ଟ ଅର୍ଜିତ ଫସଲର ସଠିକ ଦାମ ପାଉନଥିବା ବେଳେ ଦଲାଲ କିନ୍ତୁ ଧାନ ଚାଲାଣ କରି ମାଲେମାଲ ହେଉଥିବା ଦେଖିବାକୁ ମିଳିଛି। ମଣ୍ଡି ପୂର୍ବରୁ ଏପରି କଳା ବଜାରୀ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଓ ପ୍ରଶାସନ କିପରି ନୀରବ ରହିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।