ମହାବାତ୍ୟାକୁ ୨୫ ବର୍ଷ; ବିପତ୍ତି ସଂଗୀତ ଓ ଦୁଇଟି ପୁସ୍ତକ ଲୋକାର୍ପିତ

ଆଜି ହେଉଛି ତର୍ପଣ ଓ ଅର୍ପଣର ଦିନ: ଡ. ପ୍ରତିଭା ରାୟ
ଅତୀତ ଆମର ଶିକ୍ଷକ: ସୁରେଶ ପୂଜାରୀ

ଭୁବନେଶ୍ବର: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ମଙ୍ଗଳବାର ଦିନ ୨୫ ବର୍ଷ ପୂରିଛି। ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପତ୍ତି ଆସିଛି ଓ ଯାଇଛି। ହେଲେ ଓଡ଼ିଶା ଧୈର୍ଯ୍ୟର ସହ ସେସବୁକୁ ସାମନା କରିଛି ଏବଂ ବିକାଶ ପଥରେ ଆଗେଇ ଆସିଛି। ବିପର୍ଯ୍ୟୟ ସହ ସଙ୍ଗାତ ବସିଥିବା ଓଡ଼ିଶାର ଏହି ଅଦମନୀୟ ଧୈର୍ଯ୍ୟ, ସହନଶୀଳତା ଓ ଅଗ୍ରଧାବନକୁ ଉତ୍ସାହିତ କରିବା ପାଇଁ ଆଜି ଅକ୍ଟୋବର ୨୯ ତାରିଖ ସଂଧ୍ୟାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ ଶୀତଳ ହୋଟେଲ ପରିସରରେ “ମହାବାତ୍ୟା @୨୫” ଶୀର୍ଷକ ଏକ ଉତ୍ସବର ଆୟୋଜିତ ହୋଇଛି। ଏ ଅବସରରେ ଉନ୍ମୋଚିତ ହେଉଛି ବାତ୍ୟା ସମ୍ପର୍କିତ ଦୁଇଟି ପୁସ୍ତକ ଓ ଶ୍ରୋତାର୍ପିତ ହେଉଛି ଏକ ସଂଗୀତ।

ଉତ୍ସରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ କହିଲେ ଯେ ୧୯୯୯ ମହାବାତ୍ୟା ହଜାର ହଜାର ଓଡ଼ିଆଙ୍କର ମୃତ୍ୟୁତିଥି। ଏଣୁ ଆଜିର ଦିନଟି ସେମାନଙ୍କ ତର୍ପଣ ଓ ଅର୍ପଣ କରିବାର ଦିନ। ଆଜିର ଦିନଟି ଶ୍ରାଦ୍ଧ ଓ ଶ୍ରଦ୍ଧାର ଦିନ ବୋଲି ଡ. ରାୟ କହିଥିଲେ। ଯେଉଁମାନେ ଜୀବନ ଦେଲେ ସେମାନେ ତରିଗଲେ, କିନ୍ତୁ ନିଜର ସର୍ବସ୍ବ ହରାଇ ଯେଉଁମୋନ ବଞ୍ଚିବା ଶିଖିଲେ ସେମାନେ ଅସଲ ବୀର। ସାହିତ୍ୟରେ ଇତିହାସ ରହିଛି। ଏଣୁ ସାହିତ୍ୟ ମାଧ୍ୟମରେ ଆମର ସେ କରୁଣ ଅନୁଭୂତି ବଞ୍ଚିରହିବ ଓ ଆମକୁ ପିଢ଼ି ପରେ ପିଢ଼ି ଚେତାଇ ଦେବ।

ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅତୀତକୁ ମନେ ପକାଇବା ଗୋଟେ ଜାତିର କର୍ତ୍ତବ୍ୟ। କାରଣ ଅତୀତ ଆମର ସବୁଠୁ ବଡ଼ ଶିକ୍ଷକ। ମହାବାତ୍ୟା କଥା ମନେପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠୁଛି। ତେବେ ‘ଦାନା’ ବାତ୍ୟାକୁ ଆମ ସରକାର ସଫଳତାର ସହ ସାମନା କରି ଶୂନ୍ୟମୃତ୍ୟୁ ହାସଲ କରିଛି। କେବଳ ମାନବ ସମ୍ବଳ ନୁହେଁ, ପଶୁ ସମ୍ପଦ ମଧ୍ୟ ଶୂନ୍ୟ ମୃତ୍ୟୁ ଘଟିଛି। ଏ ସଫଳତା କେବଳ ଆମ ସରକାରର ନୁହେଁ, ବରଂ ଶିବାନୀ ମଣ୍ଡଳ ପରି ଲକ୍ଷ ଲକ୍ଷ ସାହସୀ ଓଡ଼ିଆଙ୍କର ବୋଲି ମନ୍ତ୍ରୀ କହିଥିଲେ। ଆମର ସମାଜ ବିଶ୍ବରେ ସବୁଠୁ ଶକ୍ତିଶାଳୀ ସମାଜ, ଏଣୁ ବାତ୍ୟା ଆମକୁ ଦୋହଲାଇ ପାରିବ ନାହିଁ ବୋଲି ସେ ମତ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ ଯେ ୧୯୯୯ ମହାବାତ୍ୟା ବେଳକୁ ମୁଁ ନୂଆନୂଆ ଚାକିରି କରିଥାଏ। ସେତେବେଳେ ବିପତ୍ତିକୁ ମୁକାବିଲା କରିବାରେ ଓଡ଼ିଶା ପଛରେ ପଡ଼ିଥିଲା। ତେବେ ଏ ଭିତରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଉଦାହରଣ ସୃଷ୍ଟିକରିଛି ଏବଂ ବିଶ୍ବସାରା ପ୍ରଶଂସା ସାଉଁଟିଛି। ଓଡ଼ିଶା ପାଇଁ ଭବିଷ୍ୟତରେ ଦୁଇଟି ବଡ଼ ଆହ୍ବାନ ଅଛି ବୋଲି ସେ କହିଥିଲେ। ହେନ୍ତାଳବଣ କ୍ଷୟ ଓ ଜଙ୍ଗଲ ନଷ୍ଟ ଆଗକୁ ସାମୁଦ୍ରିକ ବିପତ୍ତି ଓ ଭୂସ୍ଖଳନ ପରି ନୂଆ ବିପତ୍ତି ଡାକିଆଣିବ ବୋଲି ସେ ଚେତାଇ ଦେଇଥିଲେ। ଏବେଠାରୁ ପାହାଡ଼ର ସବୁଜିମା ସଂରକ୍ଷଣ ଓ ହେନ୍ତାଳବଣ ବୃଦ୍ଧି ପ୍ରତି ସଚେତନ ହେବାକୁ ଡ. ପାଢ଼ୀ ଆହ୍ବାନ ଦେଇଥିଲେ।

ବାତ୍ୟା ସମ୍ପର୍କିତ ଓଡ଼ିଆ ଗଳ୍ପକୁ ଏକାଠି କରି କଥାକାର ଚିରଶ୍ରୀ ଇନ୍ଦ୍ରସିଂଙ୍କ ସଂପାଦନାରେ ପ୍ରକାଶିତ ଗଳ୍ପ ସଂକଳନ “ବାତ୍ୟା” ଏ ଅବସରରେ ଉନ୍ମୋଚିତ ହୋଇଥିଲା। ସେହିପରି ଓଡ଼ିଶାର ବାତ୍ୟା ସମୂହ ସମ୍ପର୍କରେ ଭାସ୍କର ପରିଚ୍ଛାଙ୍କ ଲିଖିତ “ସାଇକ୍ଲୋନ୍ସ ଇନ୍‌ ଓଡ଼ିଶା” ଶୀର୍ଷକ ଏକ ଗବେଷଣା ଓ ତଥ୍ୟ ସମ୍ବଳିତ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। ଉଭୟ ପୁସ୍ତକକୁ ପ୍ରକାଶ କରିଛନ୍ତି ପେନ୍‌ ଇନ୍‌ ବୁକ୍ସ। ଓଡ଼ିଆ ମିଡିଆର ମନୋରଂଜନ ବିଭାଗ ଓଡ଼ିଆ ମ୍ୟୁଜିକ୍‌ ପକ୍ଷରୁ ଏ ଅବସରରେ “ବିପତ୍ତି ସଂଗୀତ” ବା “ଡିଜାଷ୍ଟର ଆନ୍ଥେମ୍” ଶୀର୍ଷକ ଏକ ଭିଡିଓ ସଂଗୀତ ମଧ୍ୟ ଶ୍ରୋତାର୍ପିତ ହୋଉଛି। ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଏହାର ପରିକଳ୍ପନା ଓ ଗୀତ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। ଗୀତଟି ଆଜିଠାରୁ ୟୁଟ୍ୟୁବ୍‌ରେ ଉପଲବ୍ଧ ହେଉଛି।

ଡ. ମୃତ୍ୟୁଞ୍ଜୟ ରଥ ସଭା ପରିଚାଳନା କରିଥିବା ବେଳେ କବି ପବିତ୍ରମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.