ଭୁବନେଶ୍ୱର, ଅକ୍ଟୋବର ୩୦ : ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି । ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ମମ୍ ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ (ବ୍ରେନ୍ ଷ୍ଟ୍ରୋକ୍)ର ସମସ୍ୟା ନେଇ ଗତ ୨୭ ତାରିଖ ଦିନ ରାତିରେ ସମ୍ମମ୍ରେ ଭର୍ତି ହୋଇଥିଲେ । ତେବେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ସହିତ ବ୍ରେନ୍ ଷ୍ଟେମ୍ ରିଫ୍ଲେକ୍ସ ପରୀକ୍ଷା ଅର୍ଥାତ୍ ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା କରାଯାଇଥିଲା । ତେବେ ଏହି ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିବା ପରେ ଏକ ଆପ୍ନିଆ ଟେଷ୍ଟ ମଧ୍ୟ କରାଯାଇଥିଲା ଯେଉଁଥିରେ ସେ ବ୍ରେନ୍ ଡେଡ୍ ହୋଇଯାଇଥିବା ଜଣାପଡ଼ିଥିଲା ବୋଲି ତାଙ୍କୁ ଚିକିତ୍ସା କରୁଥିବା ସମ୍ମମ୍ର କ୍ରିଟିକାଲ୍ କେୟାର ମେଡିସିନ୍ର ସିନିୟର କନ୍ସଲ୍ଟାଂଟ ଡାକ୍ତର ଆଲୋକ ପାଣିଗ୍ରାହୀ ସୂଚନା ଦେଇଥିଲେ ।
ବ୍ରେନ୍ ଡେଡ୍ ହୋଇଯିବା ପରେ ତାଙ୍କର ଅଂଗଦାନ ନିମନ୍ତେ ପରିବାରକୁ ଅନୁରୋଧ କରାଯାଇଥିଲା ଏବଂ ପରିବାରବର୍ଗ ମଧ୍ୟ ଏଥି ନିମନ୍ତେ ଇଚ୍ଛା ପ୍ରକାଶ କରିବା ପରେ ବୁଧବାର ତାଙ୍କ ଶରୀରର ଦୁଇଟି ଅଂଗକୁ ରାଜଧାନୀର ଦୁଇଟି ହସ୍ପିଟାଲ୍କୁ ପଠାଯାଇଥିବା କହିଛନ୍ତି ସମ୍ମମ୍ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍ସଲ୍ଟାଂଟ ଡାକ୍ତର ସୋମନାଥ ଜେନା ।
ହସ୍ପିଟାଲରେ ତୃତୀୟ ଥର ପାଇଁ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଂଗଦାନ ପ୍ରକ୍ରିୟା ସଂପନ୍ନ କରାଯାଇଥିବା ବେଳେ ଏହି ପ୍ରକ୍ରିୟାକୁ ୩୦ ତମ ପର୍ଯ୍ୟନ୍ତ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ । ଅଂଗଦାନ ପ୍ରକ୍ରିୟାକୁ ବହୁ ମାତ୍ରାରେ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ମଧ୍ୟରେ ଏ ଦିଗରେ ସଚେତନତା ଆଣିବା ସମ୍ମମର ଲକ୍ଷ୍ୟ ବୋଲି ଡକ୍ଟର ଦାଶ କହିଛନ୍ତି ।
ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ୨୦୨୩ ଜୁନ୍ ମାସରେ ସମ୍ମମ୍ରେ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତି ପ୍ରସେନ୍ଜିତ ମହାନ୍ତିଙ୍କ ଶରୀରରୁ ଏକା ସଂଗେ ୫ ଟି ଅଂଗ ବାହାର କରାଯାଇ କଟକ ସମେତ ରାଜ୍ୟ ବାହାର ନୁଆଦିଲ୍ଲୀ ଓ କୋଲ୍କାତାର ହସ୍ପିଟାଲକୁ ମଧ୍ୟ ପଠାଯାଇ ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ଓ ସେମାନେ ନୂତନ ଜୀବନ ପାଇଥିଲେ ବୋଲି ଡକ୍ଟର ଦାଶ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ମୃତ ପ୍ରସେନ୍ଜିତଙ୍କ ପତ୍ନୀ ମୃଦୁମଞ୍ଜରୀଙ୍କୁ ମଧ୍ୟ ସମ୍ମମ୍ର ରେଡିଓଲୋଜି ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।
ସେହିପରି ୯ ମାସର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ୨୦୨୪ ମାର୍ଚ୍ଚ ମାସରେ ପୁଣି ଥରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ମହାଭୋଇଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ମୁମ୍ବାଇ ଓ କୋଲକାତାରେ ଚିକିତ୍ସାଧୀନ ଥିବା ଦୁଇଜଣ ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିଲା ବୋଲି ସେ କହିଛନ୍ତି ।
ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ସମସ୍ତ ନିୟମାବଳୀକୁ ଅନୁସରଣ କରାଯାଇ ଏହି ଅଂଗଦାନ ପ୍ରକ୍ରିୟା ସମ୍ପନ୍ନ କରାଯାଉଥିବା ଡକ୍ଟର ଦାଶ କହିଛନ୍ତି ।
ଏହି ଅଂଗଦାନ ପ୍ରକ୍ରିୟା ଅନେକ ଗୁରୁତର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିବାରେ ସହାୟକ ହେଉଥିବା ବେଳେ ଏହି କାର୍ଯ୍ୟକୁ ତୁଲାଇବାରେ ଅଗ୍ରଣୀ ଭୂମିକା ସମ୍ମମ୍ ନେଇଛି ବୋଲି କହିଛନ୍ତି ହସ୍ପିଟାଲ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର । ଏହି ପ୍ରକ୍ର୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।