ଦୁର୍ନୀତି କୋଭିଡ ପରି ମାଡି ଚାଲେ: ଏମ ଅକ୍ଷୟ

ରାଜ୍ୟ ପରିବହନ ପ୍ରାଧିକରଣରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ  

କଟକ, ୨।୧୧।୨୦୨୪: ଚାକିରୀ ଜୀବନ ଆରମ୍ଭ କରୁଥିବା କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରିବାର ଆବଶ୍ୟକତା ରହିଛି, ନଚେତ କୋଭିଡ ବ୍ୟାପିବା ପରି ଏହା ମାଡି ଚାଲେ ବୋଲି ରାଜ୍ୟ ପରିବହନ ପ୍ରାଧିକରଣରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ଉଦଯାପନ ସମାରୋହର ଅତିଥି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏମ ଅକ୍ଷୟ କହିଛନ୍ତି।

ଜଣେ ସରକାରୀ କର୍ମଚାରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ସହ ଭଲ ସ୍ବାସ୍ଥ୍ୟ, ସମ୍ମାନ ଓ ପେନସନ ନେଇ ଅବସର ନେବା ଉଚିତ। ସେ କାମ ଏପରି କରିବା ଆବଶ୍ୟକ ଯେମିତି ସରକାରଙ୍କ ତହବିଲକୁ କ୍ଷତି ନ ହେବ ଓ ଜନ ସାଧାରଣ ହଇରାଣ ନ ହେବେ। ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ସାରା ଦେଶରେ ଅଧିକ ଶକ୍ତିଶାଳୀ ବୋଲି ସେ ଅଭିହିତ କରିଥିଲେ। ଏହି ଅବସରରେ ସେ କଟକ ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ ଦ୍ବାରା ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ତର୍କ ପ୍ରତିଯୋଗିତାର ବିଜେତା ବର୍ଷା ରାଉତରାୟ, ସାଇ ସ୍ମାରକୀ ବରାଳ ଓ ମଧୁସ୍ମିତା ଦଶଙ୍କୁ ପୁରସ୍କାର ବିତରଣ କରିଥିଲେ। ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ମଧ୍ୟ ସେ ସମ୍ମାନିତ କରିଥିଲେ। ପରିବହନ ଆୟୁକ୍ତ ଅମିତାଭ ଠାକୁର ସ୍ବାଗତ ଭାଷଣ ଦେଇ ପ୍ରାଧିକରଣ ପକ୍ଷରୁ ସପ୍ତାହ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ଯକ୍ରମ ଉପରେ ଆଲୋକପାତ କରିଥିଲେ। ପ୍ରାଧିକରଣ ସମ୍ପାଦକ ଚିନ୍ମୟୀ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅତିରିକ୍ତ ପରିବହନ ଆୟୁକ୍ତ ଇନ୍ଦ୍ରମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧିକରଣର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଚଳିତ ବର୍ଷ ରାଜ୍ୟ ସରକାର ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି‘ ବିଷୟବସ୍ତୁ ରଖିଥିଲେ। ଏହାକୁ ଆଧାର କରି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସାଧୁତା ଶପଥ ପାଠ, ସଚେତନତା ଶୋଭାଯାତ୍ରା, ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ମେଳା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ସାମାଜିକ ଗଣମାଧ୍ୟମରେ ସଚେତନତା ଆଦି କାର୍ଯ୍ଯକ୍ରମ କରାଯାଇଥିଲା।

Leave A Reply

Your email address will not be published.